କନକ ବ୍ୟୁରୋ: ବେକାରୀ ସମସ୍ୟା ନେଇ ରାଜନୀତି ସରଗରମ ଥିବାବେଳେ ରାଜସ୍ଥାନ ସରକାର କରିଛନ୍ତି ବଡ ଘୋଷଣା । ରାଜସ୍ଥାନରେ କଂଗ୍ରେସ ସରକାର ବେରୋଜଗାର ଯୁବକ ଯୁବତୀଙ୍କ ପାଇଁ ମାସିକ ତିନି ହଜାର ପାଂଚ ଶହ ଟଙ୍କା ଘୋଷଣା କରିଛନ୍ତି । ଆସନ୍ତା ମାର୍ଚ୍ଚ ୧ ତାରିଖରୁ ଏହି ଟଙ୍କା ବେକାର ଯୁବକ ଯୁବତୀଙ୍କ ବ୍ୟାଙ୍କ ଖାତାକୁ ଯିବ । ଆଗମୀ ୨ ବର୍ଷ ପାଇଁ ବେରାଜଗାର ଯୁବକ ଯୁବତୀଙ୍କୁ ଏହି ରାଶି ପ୍ରଦାନ କରିବେ ରାଜସ୍ଥାନ ସରକାର ।
ମୁଖ୍ୟତଃ ଗ୍ରାଜୁଏସନ କରିଥିବା ଯୁବକ ଯୁବତୀ ଯେଉଁମାନେ କୈାଣସି ବି କମ୍ପାନୀରେ ଚାକୀରି ପାଇ ନାହାଁନ୍ତି ସେମାନଙ୍କୁ ଏହି ଆର୍ଥିକ ସହାୟତା ମିଳିବ । ତେବେ ଗୋଟିଏ ପରିବାରରୁ ସର୍ବାଧିକ ୦୨ଜଣ ବେକାର ଯୁବକ ଯୁବତୀ ଏ ନେଇ ଆବେଦନ କରିପାରିବେ । ତେବେ ଯଦି କୈାଣସି ଯୁବକ ଯୁବତୀ ସରକାରଙ୍କ ଅନ୍ୟ କୈାଣସି ଯୋଜନାରେ କୈାଣସି ବୃତ୍ତି ରାଶି ବା ଆର୍ଥିକ ସହାୟତା ପାଉଛନ୍ତି ସେମାନଙ୍କୁ ଏହି ଅର୍ଥ ମିଳିବ ନାହିଁ । ଏହା ସହ ଆବେଦନକାରୀ ରାଜସ୍ଥାନର ମୂଳ ବାସିନ୍ଦା ହୋଇଥିବା ଦରକାର ।
ରାଜସ୍ଥାନ ନିର୍ବାଚନ ଜିତିବା ପରେ ବେକାର ଯୁବକ ଯୁବତୀଙ୍କୁ ମାସିକ ୩ହଜାର ୫୦୦ଟଙ୍କାର ଆର୍ଥିକ ପ୍ରୋତ୍ସାହନ ନେଇ କଂଗ୍ରେସ ଘୋଷଣା କରିଥିଲା । ଆଉ ବର୍ତମାନ ଯେତେବେଳେ ସର୍ବନିମ୍ନ ଆୟ ନେଇ ସାରା ଦେଶରେଚର୍ଚ୍ଚା ଚାଲିଛି,ଠିକ ସେତିକି ବେଳେ ନିର୍ବାଚନୀ ବର୍ଷରେ ରାଜସ୍ଥାନରେ କଂଗ୍ରେସ ସରକାର ଏକ ବଡ ଘୋଷଣା କରିଛନ୍ତି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଏନେଇ ଘୋଷଣା କରିଥିବା ବେଳେ ଯୋଜନାରେ ନାଁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବେରୋଜଗାର ଭତ୍ତା ୨୦୧୯ ରଖାଯାଇଛି । ଯେଉଁଥିରେ ଆଗାମୀ ୨ ବର୍ଷ ଧରି ବେକାର ଯୁବକ ଯୁବତୀଙ୍କୁ ମାସିକ ତିିନି ହଜାର ୫ଶହ ଟଙ୍କା ହିସାବରେ ମୋଟ ୮୪ ହଜାର ଟଙ୍କା ପ୍ରଦାନ କରିବେ ରାଜସ୍ଥାନ ସରକାର ।