ରାଜସ୍ଥାନରେ ନିର୍ବାଚନ ପରବର୍ତ୍ତୀ ହିଂସା । ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ଅଧ୍ୟକ୍ଷଙ୍କୁ ଗୁଳିମାରି ହତ୍ୟା

2,011

କନକ ବ୍ୟୁରୋ : ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ଅଧ୍ୟକ୍ଷ ସୁଖଦେବ ସିଂ ଗୋଗାମେଡୀଙ୍କୁ ଜୟପୁର ଠାରେ ଗୁଳି କରି ହତ୍ୟା କରାଯାଇଛି । ଶ୍ୟାମନଗର ଅଞ୍ଚଳରେ ଥିବା ତାଙ୍କ ବାସଭବନରେ କିଛି ଅସାମାଜିକ ବ୍ୟକ୍ତି ପଶି ତାଙ୍କୁ ଗୁଳିକରିଥିଲେ । ଗୁଳି ପରେ ତାଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲେ ବି ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଛି । ଗୁଳିକାଣ୍ଡ ଖବର ପାଇବା ପରେ ବହୁମାତ୍ରାର ପୋଲିସ ସ୍ଥାନୀୟ ଅଞ୍ଚଳରେ ନିୟୋଜିତ ହୋଇଛନ୍ତି । ସୁଖଦେବ ସିଂଙ୍କ ଉପରକୁ ୪ଟି ଗୁଳିମାଡ ହୋଇଛି । ଗୁଳି କେଉଁଠାରେ ବାଜିଛି ତାହା ସ୍ପଷ୍ଟ ହୋଇନାହିଁ । ଏହାସହ କେଉଁମାନେ ସୁଖଦେବଙ୍କୁ ଗୁଳିମାରିଲେ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ ।

ସୁଖଦେବ ସିଂ ଦୀର୍ଘଦିନ ହେବ କରଣୀ ସେନା ସହ ଜଡିତ ଥିଲେ । କରଣୀ ସେନା ସହ ବିବାଦ ହେବା ପରେ ସେ ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ନାମରେ ଏକ ଅଲଗା ସଂଗଠନ ତିଆରି କରିଥିଲେ ଓ ନିଜେ ତାହାର ଅଧ୍ୟକ୍ଷ ଥିଲେ । ବିଭିନ୍ନ ସମୟରେ ଅଲଗା ଅଲଗା ପ୍ରସଙ୍ଗରେ ଆନ୍ଦୋଳନକୁ ନେଇ ସେ ଚର୍ଚ୍ଚାକୁ ଆସିଥିଲେ ।

ସୁଖଦେବ ସିଂଙ୍କ ଉପରେ ଗୁଳିମାଡ ଖବର ପ୍ରଚାରିତ ହେବା ପରେ ପୁରା ରାଜସ୍ଥାନରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଜୟପୁର ସହରରେ ପୋଲିସ ହାଇଆର୍ଲଟ ଜାରି କରିଛି । ଆକ୍ରମଣକାରୀ କିଏ ଓ କେଉଁଠୁ ଆସିଥିଲେ ସେ ନେଇ ପୋଲିସ ତଦନ୍ତ କରୁଛି । ସବୁଠାରୁ ବଡ କଥା ହେଉଛି ସୁଖଦେବ ସିଂ ଅନେକ ଦିନ ହେବ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସରକାରଙ୍କ ଠାରୁ ସୁରକ୍ଷା ଦାବି କରୁଥିଲେ ।