କନକ ବ୍ୟୁରୋ : ଆଜି ପହିଲି ରଜ । ଗାଁଠୁ ସହର ସବୁଠି ଉତ୍ସବର ପରିବେଶ । କୋଣାର୍କ ଯାତ୍ରୀ ନିବାସରେ ବେଶ ଧୁମଧାମରେ ପାଳିତ ହୋଇଛି ରଜ ଉତ୍ସବ । ଝିଅମାନେ ହାତରେ ମେହେନ୍ଦି, ମୁଣ୍ଡରେ କୁଙ୍କୁମ ଓ ପାଦରେ ଅଳତା ଲଗାଇବା ସହ ନୂଆ ପୋଷାକ ପିନ୍ଧି ଉତ୍ସବ ମନାଉଛନ୍ତି । କୋଣାର୍କର ବିଭିନ୍ନ ସଂଗଠନ ପକ୍ଷରୁ ୩ ଦିନ ଧରି ଉତ୍ସବ ପାଳିବାକୁ ଯୋଜନା କରାଯାଇଛି । ଓଡିଶା ପର୍ଯ୍ୟଟନ ନିଗମ ଦ୍ୱାରା ପର୍ଯ୍ୟଟନ ଅଧିକାରୀ ଅମୀୟ ସେଠୀଙ୍କ ତତ୍ୱାବଧାନରେ ଯାତ୍ରୀ ନିବାସ ପରିସରରେ ଦୋଳର ବ୍ୟବସ୍ଥା କରାଯାଇଛି । ସ୍ୱତନ୍ତ୍ର ପିଠା ଷ୍ଟଲ ଖୋଲାଯାଇଛି । ପୋଡପିଠା, ଆରିଶା, କାକରା, ମଣ୍ଡା ପିଠା ଓ ଛେନାପୋଡ ରଖାଯାଇଛି । ପହିଲି ରଜରେ ପର୍ଯ୍ୟଟକଙ୍କୁ ମାଗଣାରେ ପିଠା ସବୁ ଦିଆଯାଇଛି ।

Advertisment

ଚିଲିକା କୂଳରେ ରଜ ମଉଜ । ପୁରୀ କୃଷ୍ଣପ୍ରସାଦ ବ୍ଲକ ହରିପୁର ଗାଁର ମତ୍ସ୍ୟଜୀବୀ ପରିବାରର ଝିଅମାନେ ଚିଲିକା କୂଳରେ ରଜ ଉତ୍ସବ ପାଳନ କରିଛନ୍ତି । ବିଭିନ୍ନ ପ୍ରକାର ଖେଳ ଖେଳିବା ସହ ଦୋଳିରେ ଝୁଲିଛନ୍ତି ।

ବନସ୍ତେ ଡାକିଲା ଗଜ । ବରଷକେ ଥରକୁ ଆସିଛି ରଜ । ଆଉ ଏହି ରଜ ପର୍ବକୁ ଧୁମ୍ଧାମରେ ପାଳନ କରୁଛନ୍ତି ରାଉରକେଲାବାସୀ । ନୂଆ ପୋଷାକ ପିନ୍ଧି, ସଜବାଜ ହୋଇ ଦୋଳିରେ ଝୁଲିଛନ୍ତି ଝିଅ ବୋହୂ । ଯୁବକ ଓ ବରିଷ୍ଠ ବ୍ୟକ୍ତିମାନେ ବିଭିନ୍ନ ପ୍ରକାର ଖେଳ ଖେଳିଛନ୍ତି । ନାଚ ଗୀତର ତାଳେ ତାଳେ ଝୁମିଛନ୍ତି ଛୁଆରୁ ବୟସ୍କ ।