କନକ ବ୍ୟୁରୋ: ଆଜି ପହିଲି ରଜ । ତେବେ ପ୍ରଥମଥର ପାଇଁ ଏହି ଓଡିଆ ପର୍ବ ପାଳନ ହେବ ଘରେ । ଅର୍ଥାତ୍ ଗାଁ ଗଣ୍ଡାରେ ଦେଖିବାକୁ ମିଳିବନି ଦୋଳି ଖେଳର ଧୁମ୍ । ଗଛରେ ଦୋଳି ବାନ୍ଧି ସାଙ୍ଗସାଥୀଙ୍କ ସହ ଏକାଠି ଦୋଳି ଖେଳିି ହେବନି । କାରଣ, ଏକାଠି ହୋଇ ଦୋଳିଖେଳ ଉପରେ ପ୍ରଶାସନ କଟକଣା ଲଗାଇଛି । ତେବେ ଘରେ ଦୋଳିରେ ଝୁଲିହେବ । ସେହିପରି ପାନ ଖାଇବା ଏବଂ ଏକାଠି ହୋଇ ତାସ୍ ଖେଳିବା ବି ମନା ହୋଇଛି । ତେଣୁ ଅନଲାଇନରେ ପାନ ବେପାର ଆରମ୍ଭ ହୋଇଯାଇଛି । ବାହାରକୁ ବୁଲିଯାଇହେବନି । କାରଣ, ଆଜି ରାଜ୍ୟର ୧୧ଟିି ଜିଲ୍ଲାରେ ସଟଡାଉନ୍ । ଏସବୁ ପାଇଁ ଏଥର ଫିକା ପଡିଯାଇଛି ରଜ ମଉଜ । ତେବେ ଘରେ ପିଠାପଣା ହେବ ଏବଂ ଘରେ ଦୋଳି ଖେଳିହେବ ।
କରୋନା ଦୂରତା ବଢ଼େଇ ଦେଇଛି। ଦୋଳିରେ ସାଙ୍ଗମେଳରେ ଝୁଲିବାର ମଜା ବି ଛଡ଼େଇ ନେଇଛି। କଟକଣା ଥିଲେ ହେଁ ଉପକଣ୍ଠରେ ସାଙ୍ଗମେଳରେ ପରସ୍ପର ହାତରେ ମେହେନ୍ଦି ଲଗାଇଛନ୍ତି। ବିଏମ୍ସି ପକ୍ଷରୁ ରାଜଧାନୀରେ ଦୋଳି ଝୁଲିବା ଉପରେ କଟକଣା ଜାରି ହୋଇଛି। ତେଣୁ ଘରେ ଦୋଳି ଝୁଲିବା ଏକରକମ ଥୟ ହୋଇଛି। ଅନ୍ଲାଇନରେ ପାନ ବି ଅର୍ଡର ଦିଆ ଚାଲିଛି। ପୁଣି ଗତକାଲିଠୁ ଅନ୍ଲାଇନରେ ପିଠା ବି ଅର୍ଡର ଦିଆସରିଛି। ତେବେ ଅନେକ ଘରେ ନିଜେ ପିଠା କରିବା ପାଇଁ ଆଣ ପ୍ରସ୍ତୁତ କରିଛନ୍ତି। ବାହାରେ ଖେଳ ଜମି ପାରିବନି ବୋଲି ବି କଟକଣା ଲଗାଯାଇଛି। ତେଣୁ ଝିଅମାନେ ଗତକାଲିଠୁ ନିଜ ପଡ଼ୋଶୀ ସାଙ୍ଗମାନଙ୍କ ସହ କଥା ହୋଇ କିଏ କାହା ଘରକୁ ଯିବ ସ୍ଥିର କରିସାରିଛନ୍ତି। ବାହାରେ ବୁଲାବୁଲି ନକରିପାରିଲେ ହେଁ ସାଙ୍ଗଘରକୁ ଯାଇ ପିଠା ଖାଇବେ। ସେଇଠି ଖେଳ ଜମିବ। ରଜ ମଉଜ ଏଥର ଯାହା ହେବ ରୁଦ୍ଧ ଦ୍ବାର ମଧ୍ୟରେ।
ରାତି ଅଧ ପରେ ଲୁଚାଛପାରେ ଆମିଷ ବେପାର
ପହିଲି ରଜ ଏଥର ରବିବାର । ହେଲେ ଏଥର ରେସ୍ତୋରାଁ ଯାଇ ହେବ ନାହିଁ। ତେଣୁ ପିଠା ସହ ଘରେ ସ୍ବାଦିଷ୍ଟ ଖାଦ୍ୟର ଆସର ଜମିବ। ସଟ୍ଡାଉନ ଯୋଗୁଁ ବଜାର ହାଟ ବନ୍ଦ ରହିବ। ଫଳରେ ଆମିଷ ମିଳିବ ନାହିଁ। ମାତ୍ର ଆମିଷ ବ୍ୟବସାୟର ଚାହିଦାକୁ ଦୃଷ୍ଟିରେ ରଖି କିଛି ବ୍ୟବସାୟୀ ରାତି ଅଧ ପରେ ମଟନ, ଚିକେନ ଓ ମାଛ ବିକ୍ରି କରିବାକୁ ଯୋଜନା କରିଛନ୍ତି। ଏଥିପାଇଁ ଚିହ୍ନାଜଣା ଗ୍ରାହକମାନଙ୍କ ସହ ଡିଲ୍ ବି ସରିଛି। ଯୋଜନା ମୁତାବକ, ରାତି ପାହିବା ପୂର୍ବରୁ ବେପାର ସରିଯିବ। କିଛି ସ୍ଥାନରେ କଟା ଚିକେନ ବଦଳରେ ଗୋଟା ପକ୍ଷୀ ବିକ୍ରି ହେବ। ଅନେକ ଏନେଇ ନିଜ ଚିହ୍ନାଜଣା ଗ୍ରାହକଙ୍କୁ ଫୋନ ଯୋଗେ ମଧ୍ୟ ସୂଚନା ଦେଇସାରିଛନ୍ତି। ମଟନ ଦର ୭୦୦ ଛୁଇଁଛି, ଚିକେନ ଦର ବି ବଢ଼ି ୨୬୦ ହୋଇଛି। ମାତ୍ର ମଟନ ଖାଇବା ପାଇଁ ଅଧିକ ଆଗ୍ରହ ଦେଖାଇଛନ୍ତି। ବିଶେଷକରି ଗଳିକନ୍ଦିରେ ପାହାନ୍ତିଆ ପୂର୍ବରୁ ବେପାର ଶେଷ କରିଦେବାକୁ ଯୋଜନା ହୋଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/06/vlcsnap-2020-06-13-16h21m21s016.png)