ଶାନ୍ତି ନଷ୍ଟ ପାଇଁ ପ୍ରୟାସ କଲେ ଚୁପ ବସିବନି ଭାରତ, ଦେବ ମୁହଁତୋଡ ଯବାବ । ଶତ୍ରୁ ଚୀନ୍ ଓ ପାକିସ୍ତାନକୁ ରାଜନାଥଙ୍କ ଚେତାବନୀ

70

ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲ୍ଲାର ସୀମାରେ ଚୀନ୍ ସହ ଯୁଦ୍ଧ କରି ସହିଦ ହୋଇଥିବା ୨୩୨ ଭାରତୀୟ ଯବାନଙ୍କ ସମ୍ମାନାର୍ଥେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ‘ସହିଦ ସମ୍ମାନ ଯାତ୍ରା’ରେ ଯାଇଥିଲେ। ଏହି ଅବସରରେ ରାଜନାଥ ପାକିସ୍ତାନ ଓ ଚୀନ୍‌କୁ କଡ଼ା ବାର୍ତ୍ତା ଦେଇଛନ୍ତି। ରାଜନାଥ କହିଛନ୍ତି ବର୍ତ୍ତମାନର ଭାରତ ଏକ ନୂଆ ଓ ଶକ୍ତିଶାଳୀ ଭାରତ। ଦେଶର ଶାନ୍ତି ନଷ୍ଟ ପାଇଁ କୌଣସି ଶକ୍ତି ପ୍ରୟାସ କଲେ ଭାରତ ଏହାକୁ ଦୃଢ଼ ହସ୍ତରେ ଦମନ କରିବ ଏବଂ ଆଦୌ ନିସ୍ତାର ମିଳିବ ନାହିଁ। କୁମାୟୁଁ ବାଟାଲିୟନକୁ ପ୍ରଶଂସା କରି ରାଜନାଥ କହିଲେ ଯେ, ରେଜାଙ୍ଗ ଲା ଯୁଦ୍ଧରେ ଏହି ବାଟାଲିୟନର ୧୧୪ ଯବାନ ସହିଦ ହେବା ପୂର୍ବରୁ ଚୀନ୍‌ର ୧୨୦୦ ସୈନିକଙ୍କୁ ମୃତ୍ୟୁଲୋକକୁ ପଠାଇଦେଇଥିଲେ। ଏବେ ପାକିସ୍ତାନ ଭାରତରେ ଶାନ୍ତିଭଙ୍ଗ କରିବାକୁ ଚେଷ୍ଟା କରୁଛି କିନ୍ତୁ ସେମାନଙ୍କୁ ଏକ ସ୍ପଷ୍ଟ ବାର୍ତ୍ତା ଦିଆଯାଇଛି ଯେ ଆମେ କଡ଼ା ଜବାବ ଦେବାକୁ ପଛାଇବୁ ନାହିଁ। ପ୍ରତିରକ୍ଷା ମନ୍ତ୍ରୀ କହିଥିଲେ, କୁମାୟୁଁ ବାଟାଲିୟନର ୧୨୪ ଜଣ ଯବାନ ଯେଉଁ ଅପୂର୍ବ ପରାକ୍ରମ ଦେଖାଇଥିଲେ ତାହା କେବେ ବି ଭୁଲି ହେବ ନାହିଁ।

‘ସହିଦ ସମ୍ମାନ ଯାତ୍ରା’ ପିଥୋରାଗଡ଼ରୁ ସହିଦମାନଙ୍କ ପବିତ୍ର ମାଟି ଦେଇ ଡେରାଡୁନ ଯାଏ ଯିବ। ଏହି ଯାତ୍ରା ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଦ୍ବାରା ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲା ଅନ୍ତର୍ଗତ ପ୍ରତିରକ୍ଷା କର୍ମଚାରୀବହୁଳ ଗାଁ ସୱାଦରେ ନଭେମ୍ବର ୧୫ରେ ଉଦ୍‌ଘାଟନ କରାଯାଇଥିଲା। ଯାତ୍ରା ସମୟରେ ସହିଦମାନଙ୍କ ଗୃହରୁ ପବିତ୍ର ମାଟି ସଂଗ୍ରହ କରାଯାଉଛି। ଏହି ପବିତ୍ର ମାଟିକୁ ନେଇ ଡେରାଡୁନଠାରେ ସହିଦ ସ୍ମାରକୀ ‘ସୈନ୍ୟଧାମ’ ନିର୍ମାଣ କରାଯିବ।