ରାଷ୍ଟ୍ରପତି ନିର୍ବାଚନ ପାଇଁ ଆରମ୍ଭ ହେଲା କସରତ: ଜାତୀୟ ଗଣମାଧ୍ୟମରେ ରିପୋର୍ଟ, ନବୀନଙ୍କ ସହ କଥା ହେଲେ ରାଜନାଥ

289

କନକ ବ୍ୟୁରୋ: ରାଷ୍ଟ୍ରପତି ନିର୍ବାଚନ ପାଇଁ ରାଜନୀତି ଜୋର ଧରିଛି । ଉଭୟ ବିରୋଧୀ ଓ ବିଜେପି ଶିବର ଆରମ୍ଭ ହୋଇଯାଇଛି କସରତ । ଗୋଟିଏ ପଟେ ମମତା ବାନାର୍ଜ ୧୬ଟି ବିରୋଧୀ ଦଳର ନେତାଙ୍କୁ ନେଇ ମେଳି କରିଥିବା ବେଳେ ଅନ୍ୟପଟେ ସର୍ବସମ୍ମତ ପ୍ରାର୍ଥୀ ପାଇଁ ବିଜେପି ଉଦ୍ୟମ ଆରମ୍ଭ କରିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଫୋନରେ କଥା ହୋଇଛନ୍ତି । ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବା ପାଇଁ ଅନୁରୋଧ କରିଛନ୍ତି । ଅନ୍ୟ ବିରୋଧୀ ନେତାଙ୍କ ପାଖରେ ପହଂଚିବାକୁ ବି ଉଦ୍ୟମ ଆରମ୍ଭ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ।

ସୂଚନା ଅନୁସାରେ, କେବଳ ନବୀନ ନୁହଁନ୍ତି କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ସହ ବି କଥା ହୋଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ରାଷ୍ଟ୍ରପତି ନିର୍ବାଚନରେ ସର୍ବସମ୍ମତ ପ୍ରାର୍ଥୀ ଚୟନ କରିବା ପାଇଁ ବିଜେପି ଦଳର ମୁଖ୍ୟ ଜେ.ପି.ନଡ୍ଡା ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଦାୟିତ୍ୱ ଦେଇଛି । ଏହାଛଡା ସେ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନୀତିଶ କୁମାରଙ୍କ ସହ କଥା ହେଇଥିବା ଜଣାପଡିଛି । ପୂର୍ବରୁ ନବୀନ କହିଥିଲେ, ରାଷ୍ଟ୍ରପତି ପ୍ରାର୍ଥୀ ଦେଖି ନିଷ୍ପତି ନେବେ । ଭଲ ପ୍ରାର୍ଥୀଙ୍କୁ ସମର୍ଥନ କରିବେ । ତେବେ ଆଜି ବିରୋଧୀଙ୍କ ମେଳିରେ ସାମିଲ ନହେବା, ଆଉ ଏପଟେ ରାଜନାଥଙ୍କ ସହ କଥା ହେବା ଚର୍ଚ୍ଚାର ବିଷୟ ହୋଇଛି । ଏବଂ ନବୀନଙ୍କ ପରବର୍ତି ଆଭିମୁଖ୍ୟ ଉପରେ ସାରା ଦେଶର ନଜର ରହିଛି ।