କନକ ବ୍ୟୁରୋ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରବିବାର ଲେହ-ଲଦାଖ ଗସ୍ତରେ ଯାଉଛନ୍ତି । ସେଠାରେ ସେ ସେନାର ସ୍ଥିତି ପରଖିବା ସହିତ ବିଭିନ୍ନ ସଡକ, ବ୍ରିଜର ଉଦଘାଟନ କରିବେ । ରାଜନାଥଙ୍କ ଏହି ଗସ୍ତକୁ ଏବେ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି, କାରଣ ଗତ ସପ୍ତାହରେ ହିଁ ରକ୍ଷାମନ୍ତ୍ରୀ ରାଜନାଥ ସିଂହ ଆସାମ-ଅରୁଣାଚଳ ପ୍ରଦେଶ ଗସ୍ତ କରିବା ସହିତ ସେଠାରେ ବିଭିନ୍ନ ସଡକ ଏବଂ ବ୍ରିଜର ଉଦଘାଟନ କରିଥିଲେ । ଏହାର ଗୋଟିଏ ସପ୍ତାହ ପରେ ସେ ଲେହ-ଲଦାଖ ଗସ୍ତରେ ଯାଉଛନ୍ତି ।
ଗତ କିଛି ମାସ ଧରି ସରକାର ବର୍ଡର ଅଂଚଳରେ ନିଜର ସ୍ଥିତି ମଜଭୁତ କରିବା ଲଗାତାର ପ୍ରୟାସ କରିିିଆସୁଛନ୍ତି । ଏଥିପାଇଁ ସେଠାରେ ଖୁବଶୀଘ୍ର ସଡକ ଏବଂ ବ୍ରିଜ୍ ନିିର୍ମାଣ କରାଯାଉଛି । ଏହାଫଳରେ ସେହି ଅଞ୍ଚଳରେ ସେନାର ଗତିବିଧି ବଢିବା ସହିତ ଦେଶର ସେନା ମଧ୍ୟ ଶକ୍ତିଶାଳୀ ହୋଇପାରିବ । ତେବେ ଏହି ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ସେନା ସହ ସାକ୍ଷାତ କରିବା ସହିତ ସଡକ ଏବଂ ବ୍ରିଜର ମଧ୍ୟ ଉଦଘାଟନ କରିବେ ।
ପୂର୍ବ ଲଦାଖ ଅଞ୍ଚଳରେ ସୀମା ବିବାଦକୁ ନେଇ ଭାରତ-ଚୀନ ଭିତରେ କଥା କଟାକଟି ଜାରିି ରହିଛି । ଚୀନ ସେନା – ଭାରତୀୟ ସେନା ଅନେକ ଥର ମୁହାଁମୁହିଁ ମଧ୍ୟ ହୋଇସାରିଲେଣି । ଏପରି ସ୍ଥିତିରେ ରାଜନାଥ ସିଂହଙ୍କ ଏହି ଗସ୍ତ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ।