କନକ ବ୍ୟୁରୋ : ନବରଙ୍ଗପୁର ପରେ ବ୍ରହ୍ମପୁରରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ରାଜନାଥ ସିଂଙ୍କ ରଣହୁଙ୍କାର । ରାଜ୍ୟରେ ଡବଲ ଇଞ୍ଜିନ୍ ସରକାର ଆସିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ । ଆଗାମୀ ନିର୍ବାଚନରେ ବଡ଼ ବିଜୟ ସହ ଓଡ଼ିଶାରେ ବିଜେପି ସରକାର ଗଢିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ରାଜନାଥ । ସେ କହିଛନ୍ତି, ଓଡ଼ିଶାରେ ଆଗକୁ ଡବଲ ଇଞ୍ଜିନ ସରକାର ଗଠନ ହେବାକୁ ଯାଉଛି । ଏଥିସହିତ ବିଗତ ୧୦ବର୍ଷରେ କେନ୍ଦ୍ର ସରକାର ଓଡ଼ିଶାକୁ ବିଭିନ୍ନ ଯୋଜନାରେ ପ୍ରଦାନ କରିଥିବା ସହାୟତାର ହିସାବ ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଓଡ଼ିଶାକୁ କେତେ ଗୁରୁତ୍ୱ ଦେଉଛି ତାର ହିସାବ ରଖିଛନ୍ତି ରାଜନାଥ ।

Advertisment

ରାଜନାଥ କହିଛନ୍ତି ମୋଦି ସରକାର ଓଡ଼ିଶାକୁ କେବେ ଅବହେଳା କରିନାହାଁନ୍ତି । ୨୦୧୪ ପୂର୍ବରୁ କଂଗ୍ରେସ ସରକାର କେବଳ ପ୍ରକଳ୍ପକୁ ଶିଳାନ୍ୟାସ କରୁଥିବା ବେଳେ ମୋଦି ସରକାର ବିକାଶ କାର୍ଯ୍ୟକୁ ଆଗେଇ ନେଇଛନ୍ତି, ବିଜେପି ସରକାର ଯାହା କହେ, ତାକୁ କାମରେ କରି ଦେଖାଏ । ନବରଙ୍ଗପୁରରେ ଅନୁଷ୍ଠିତ କୋର କମିଟି ବୈଠକରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ୪ ଲୋକସଭା ଆସନର ସ୍ଥିତି ନେଇ ବରିଷ୍ଠ ନେତୃତ୍ୱଙ୍କ ସହ ରାଜନାଥ ସିଂ ଆଲୋଚନା କରିଛନ୍ତି । କୋରାପୁଟ, ନବରଙ୍ଗପୁର, ବଲାଙ୍ଗିର, କଳାହାଣ୍ଡି ଲୋକସଭା କ୍ଷେତ୍ରରେ ଦଳ କିପରି ଭଲ ପ୍ରଦର୍ଶନ କରିବ, କ’ଣ ରହିବ ରଣନୀତି, ସେ ସଂପର୍କରେ ନେତା ଓ କର୍ମୀଙ୍କ ସହ ଆଲୋଚନା କରିଛନ୍ତି ରାଜନାଥ ।