କନକ ବ୍ୟୁରୋ : ତାଲିବାନୀ ମାନଙ୍କ ଦ୍ୱାରା ଆଫଗାନିସ୍ତାନ ଦଖଲ ପରେ ସେଠାରେ ଦେଖା ଦେଇଥିବା ପରିସ୍ଥିତି ଏବେ ସାରା ବିଶ୍ୱପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଆଫଗାନିସ୍ତାନ ଦଖଲ ପରେ ଏବେ ଆତଙ୍କବାଦୀମାନଙ୍କ ମନୋବଳ ବୃଦ୍ଧି ପାଇଛି । ଏହାକୁ ନେଇ ସାରା ବିଶ୍ୱ ଏବେ ଚିନ୍ତାରେ ଥିବା ବେଳେ ଆଜି ରକ୍ଷାମନ୍ତ୍ରୀ ରାଜନାଥ ସିଂ ଆତଙ୍କବାଦକୁ ନେଇ ଦେଶର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ।
ରବିବାରଦିନ ତାମିଲନାଡୁର ଡିଫେନ୍ସ ସର୍ଭିସ ଷ୍ଟାଫ୍ କଲେଜରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରକ୍ଷାମନ୍ତ୍ରୀ ସିଧା ସିଧା ଶୁଣାଇ ଦେଇଛନ୍ତି କି ଆତଙ୍କବାଦକୁ ବିଶ୍ୱରୁ ହଟାଇବାକୁ ଭାରତ ଯେକୌଣସି ସ୍ତରକୁ ଯାଇପାରେ । ଆବଶ୍ୟକ ପଡିଲେ ସେମାନଙ୍କ ମାଟିରେ ସେମାନଙ୍କୁ କବର ଦେବାକୁ ପଛାଇବ ନାହିଁ ଭାରତ । ଆୟୋଜିତ କାର୍ଯ୍ୟକ୍ରମରେ ରାଜନାଥ ସିଂ କହିଛନ୍ତି କି ବର୍ତମାନର ସ୍ଥିତି ଆମକୁ ଆମ ରଣନୀତି ବଦଳାଇବାକୁ ବାଧ୍ୟ କରୁଛି । ଏବେ ଭାରତ ଆଫଗାନିସ୍ତାନକୁ ନେଇ ପୁଣିଥରେ ଚିନ୍ତା କରୁଛି । ଆବଶ୍ୟକ ପଡିଲେ ଶତ୍ରୁ ଦେଶକୁ ଯାଇ ଭାରତୀୟ ସେନା ଆତଙ୍କୀ ମାଟିରେ ଆତଙ୍କକୁ କବର ଦେବ ବୋଲି ରକ୍ଷାମନ୍ତ୍ରୀ ସିଧା ସିଧା ଶୁଣାଇ ଦେଇଛନ୍ତି ।
ଅନ୍ୟପଟେ ଏଭଳି ପରିସ୍ଥିତିର ମୁକାବିଲା କରିବାକୁ ରକ୍ଷାମନ୍ତ୍ରଣାଳୟ ଇଣ୍ଟିଗ୍ରେଟ ବେଟେଲ ଗ୍ରୁପ ପ୍ରସ୍ତୁତ କରିବା ବାବଦରେ ଖୁବଶୀଘ୍ର ନିଷ୍ପତ୍ତି ନେବ । କାରଣ ଯୁଦ୍ଧବେଳେ ସମୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, କେତେ ଶୀଘ୍ର ନିର୍ଣ୍ଣୟ ନିଆଯିବ ତାହା ଉପରେ ଯୁଦ୍ଧରେ ବିଜୟ ପରାଜୟ ନିର୍ଭର କରେ ବୋଲି ସେ କହିଛନ୍ତି ।
The changing equation in #Afghanistan is a challenge for us... These situations have forced our country to rethink its strategy. We are changing our strategy and the formation of QUAD underlines this strategy: Defence Minister Rajnath Singh pic.twitter.com/KNHHCXhMNZ
— ANI (@ANI) August 29, 2021
ଏହି କାର୍ଯ୍ୟକ୍ରମରେ ରକ୍ଷାମନ୍ତ୍ରୀ ପାକିସ୍ତାନକୁ ଟାର୍ଗେଟ କରି କହିଛନ୍ତି କି ବଦଳୁଥିବା ଭାରତର ରଣନୀତି ଦେଖି ପାକିସ୍ତାନ ଚୁପ ହୋଇ ଯାଇଛି । ଅନ୍ୟପଟେ ପାକିସ୍ତାନ ଭାରତ ବିରୋଧରେ ଆତଙ୍କବାଦୀଙ୍କ ସାହାରା ନେଉଥିବା ରକ୍ଷାମନ୍ତ୍ରୀ ଅଭିଯୋଗ କରିଛନ୍ତି । ପାକିସ୍ତାନ ଆତଙ୍କବାଦୀମାନଙ୍କୁ ପ୍ରଶିକ୍ଷଣ ଓ ହତିଆର ଯୋଗାଉଛି ବୋଲି ରାଜନାଥ ସିଂ କହିଛନ୍ତି ।