ମୋ ମା’ଙ୍କ ଅନ୍ତିମ ସଂସ୍କାରରେ ସାମିଲ୍ ହେବାକୁ ଛାଡିଲାନି କଂଗ୍ରେସ । ୧୯୭୫ ଜରୁରୀକାଳୀନ ପରିସ୍ଥିତି କଥା ମନେ ପକାଇ ଭାବବିହ୍ୱଳ ହେଲେ ରାଜନାଥ

3,141

କନକ ବ୍ୟୁରୋ : ନର୍ବାଚନ ମାହୋଲ ଚାଲିଥିବା ବେଳେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ କଂଗ୍ରେସ, ଚୀନ୍ ଓ ପାକିସ୍ତାନ ଉପରେ ବର୍ଷୁଛନ୍ତି । ଜାତୀୟ ଗଣମାଧ୍ୟମର ଏକ ସାକ୍ଷାତକାରରେ କଂଗ୍ରେସକୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି ରାଜନାଥ । ୧୯୭୫ରେ ଲାଗୁ ହୋଇଥିବା ଜରୁରୀକାଳୀନ ପରିସ୍ଥିତି କଥା ମନେ ପକାଇ ଭାବବିହ୍ୱଳ ହୋଇପଡିଛନ୍ତି ।

୧୯୭୫ରେ ଲାଗୁ ହୋଇଥିବା ଜରୁରୀକାଳୀନ ପରିସ୍ଥିତି ଏବଂ କଂଗ୍ରେସ ପାର୍ଟି ବିଷୟରେ ଆଲୋଚନା ବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭାବପ୍ରବଣ ହୋଇପଡିଥିଲେ । ଭାବବିହ୍ୱଳ ହୋଇ ରାଜନାଥ କହିଛନ୍ତି, ଯେଉଁମାନେ ଏକଛତ୍ରବାଦୀ ଶାସନ ବ୍ୟବସ୍ଥାରେ ଜରୁରୀକାଳୀନ ପରିସ୍ଥିତି ଲଗାଇଥିଲେ ସେମାନେ ଆମକୁ ବର୍ତ୍ତମାନ ଏକଛତ୍ରବାଦୀ ଶାସକ କହୁଛନ୍ତି । ମୋ ମାଆଙ୍କର ବ୍ରେନ୍ ହାମ୍ରେଜ୍ ହୋଇଥିଲା । କିନ୍ତୁ କଂଗ୍ରେସ ସରକାର ମତେ ପରୋଲ୍ ଦେଇନଥିଲେ । ମୋ ମାଆ ୨୭ଦିନ ହସ୍ପିଟାଲରେ ରହିଥିଲେ । ଆଉ ମତେ ଜେଲରେ ରଖାଯାଇଥିଲା । ମୁଁ ମୋ ମାଆଙ୍କୁ ଥରେ ଦେଖିବାକୁ ବି ଯାଇପାରିଲିନି । ଏପରିକି ମୋ ମାଆଙ୍କ ଅନ୍ତିମ ସଂସ୍କାରରେ ବି ସାମିଲ ହୋଇପାରିନଥିଲି ।

ଅନ୍ୟପଟେ ପାକିସ୍ତାନ ଓ ଚୀନକୁ ମଧ୍ୟ ସିଧାସଳଖ ଟାର୍ଗେଟ୍ କରିଛନ୍ତି ରାଜନାଥ । କହିଛନ୍ତି, ଯଦି ଆତଙ୍କବାଦୀଙ୍କୁ ନିପାତ କରିବାରେ ପାକିସ୍ତାନ୍ ଅସମର୍ଥ ତେବେ ଭାରତ ଆତଙ୍କବାଦକୁ ରୋକିବା ପାଇଁ ପାକିସ୍ତାନର ସହଯୋଗ କରିବା ପାଇଁ ପ୍ରସ୍ତୁତ ଅଛି । ରାଜନାଥ ସିଂ ପାକିସ୍ତାନକୁ ଚେତାବନୀ ଦେଇ କହିଛନ୍ତି, ଯଦି ପାକିସ୍ତାନ୍ ଆତଙ୍କବାଦ ସହ ମିଶି ଭାରତ ବିରୋଧରେ କୌଣସି ଷଡଯନ୍ତ୍ର ରଚିବାକୁ ଚେଷ୍ଟା କରେ ତେବେ ତାକୁ ଏହାର ପରିଣାମ ଭୋଗିବାକୁ ପଡିବ ।
ସେହିପରି ଚୀନ୍ ଭାରତର କିଛି ଅଂଶକୁ କବ୍ଚା କରିନେଇଥିବା ପ୍ରଶ୍ନର ଉତର ଦେଇ ରାଜନାଥ କହିଛନ୍ତି, ମୋଦୀ ସରକାର ଥିବା ପର୍ଯ୍ୟନ୍ତ ଭାରତର ଗୋଟିଏ ଇଞ୍ଚ୍ ଯାଗା ବି କେହି ନେଇପାରିବେ ନାହିଁ । ପିଓକେ ବି ଆମର ଥିଲା, ଅଛି ଓ ଆଗକୁ ମଧ୍ୟ ରହିବ