ଭୁବନେଶ୍ୱରରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାଜନାଥ ସିଂହ: ବଛାହେବେ ନୂଆ ମୁଖ୍ୟମନ୍ତ୍ରୀ

460

କନକ ବ୍ୟୁରୋ: ଓଡିଶାରେ ପହଁଚିଲେ କେନ୍ଦ୍ରମନ୍ତ୍ରୀ ତଥା ପର୍ଯ୍ୟବେକ୍ଷକ ରାଜନାଥ ସିଂ । ବିଜେପିରେ କିଏ ହେବେ ମୁଖ୍ୟମନ୍ତ୍ରୀ ସେନେଇ ରାଜନାଥ ସିଂହ ଓ ଭୂପିନ୍ଦର ଯାଦବଙ୍କୁ ମିଳିଛି ପର୍ଯ୍ୟବେକ୍ଷକ ଦାୟିତ୍ୱ । ଅପରାହ୍ଣରେ ବିଧାୟକ ଦଳ ବୈଠକରେ ନେତା ବାଛିବା ନେଇ ବିଜୟୀ ବିଧାୟକଙ୍କ ସହ କରିବେ ଆଲୋଚନା । ସାଢେ ୪ଟାରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବୈଠକ ବସିବ । ପାର୍ଟି କାର୍ଯ୍ୟାଳୟରେ ବିଜୟୀ ବିଧାୟକ, ବରିଷ୍ଠ ନେତା ପହଂଚିଗଲେଣି । ସେପଟେ ଦିଲ୍ଲୀରେ ଥିବା ବିଜେପି ସାଂସଦ ସବୁ ଓଡିଶା ପହଁଚିଲେଣି । ବିମାନବନ୍ଦରରେ ଏକପ୍ରକାର ଉତ୍ସବର ମାହୋଲ । ଅପରାହ୍ଣ ସାଢେ ୪ରେ ବିଧାୟକ ଦଳ ବୈଠକରେ ସାମିଲ ହୋଇ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଓ ଭୁୁପିନ୍ଦର ଯାଦବ ବିଧାୟକଙ୍କ ସହ ଆଲୋଚନା କରିବେ । ବୈଠକରେ ସର୍ବସମ୍ମତିକ୍ରମେ ଯେଉଁ ନେତାଙ୍କ ଉପରେ ମୋହର ବାଜିବ ତାଙ୍କ ନାମକୁ ସଂସଦୀୟ ବୋର୍ଡକୁ ସୁପାରିଶ କରାଯିବ । ବିଧାୟକ ଦଳ ବୈଠକ ପରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହେବାର ସମ୍ଭାବନା ରହିଛି । ଏହାପରେ ସନ୍ଧ୍ୟାରେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ କରିବାକୁ ଦାବି ଜଣାଇବ ବିଜେପି । ରାଜ୍ୟପାଳଙ୍କ ନିମନ୍ତ୍ରଣ କ୍ରମେ ବୁଧବାର ଜନତା ମଇଦାନରେ ବିଜେପିର ପ୍ରଥମ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କରିବେ । ଯଦି କିଛି ସମସ୍ୟା ହୁଏ ତେବେ ବୁଧବାର ସକାଳ ହିଁ ବିଜେପି ବିଧାୟକମାନେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ କରିବାକୁ ଦାବି କରିବେ ବୋଲି ସୂଚନା ମିଳିଛି ।