ଓଡ଼ିଶା ଗସ୍ତରେ ଆସି ରାଜନାଥଙ୍କ ଦମ୍ଭୋକ୍ତି: କହିଲେ, ରାଜ୍ୟରେ ଏଥର ଡବଲ ଇଂଜିନ୍ ସରକାର

142

କନକ ବ୍ୟୁରୋ: ଏଥର ୪ଶହ ଆସନ ପାର, ଲକ୍ଷ୍ୟ ନେଇ ଆଗଉଥିବା ବିଜେପି, ଦେଶର ଅନ୍ୟ ରାଜ୍ୟ ପରି ଓଡିଶା ଉପରେ ବି ଫୋକସ କରିଛି । କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବଲପୁରକୁ ଆସିଥିବାବେଳେ ଆଜି ଓଡିଶା ଗସ୍ତରେ ଆସି ତିନୋଟି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ମୋଦୀ ସରକାର ଓଡିଶାକୁ କେତେ ଗୁରୁତ୍ୱ ଦେଉଛନ୍ତି, ତାହା ଗଣାଇବା ସହ ଆଗାମି ଦିନରେ ଓଡିଶାରେ ଡବଲ ଇଞ୍ଜିନ ସରକାର ହେବ ବୋଲି ଦମ୍ବୋକ୍ତି କରିଛନ୍ତି ।

ଓଡିଶା ଗସ୍ତରେ ଆସି ନିର୍ବାଚନ ବିଗୁଲ ବଜାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଗୋଟିଏ ଦିନରେ ନବରଂଗପୁର, ବ୍ରହ୍ମପୁର, ମୟୂରଭଞ୍ଜ, ରାଜ୍ୟର ତିନୋଟି ସ୍ଥାନରେ ଆୟୋଜିତ ବିଜେପି ସଂକଳ୍ପ ସମାବେଶର ସଭାମଂଚରୁ ରଣହୁଙ୍କାର ଦେଇଛନ୍ତି । ମୋଦୀ ସରକାର ଓଡିଶାକୁ କେତେ ଗୁରୁତ୍ୱ ଦେଉଛନ୍ତି ତାହା ଗଣାଇଛନ୍ତି । ୨୦୧୪ ପୂର୍ବରୁ କଂଗ୍ରେସ ସରକାର ଓଡିଶାକୁ କେମିତି ଅବହେଳା କରୁଥିଲା ଓ ମୋଦୀ ସରକାର ଆସିବା ପରେ ଓଡିଶାକୁ କେତେ ଅନୁଦାନ ଦେଉଛନ୍ତି ତାହା କହିଛନ୍ତି । କେବଳ ଏତିକି ନୁହେଁ, ଆଗାମି ଦିନରେ ରାଜ୍ୟରେ ବିଜେପି ସରକାର ଗଢ଼ିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

ବିଜେଡି ଓ ବିଜେପିର ସମ୍ପର୍କକୁ ନେଇ ନେତା କର୍ମୀ ଦ୍ୱନ୍ଦ୍ୱରେ ଥିବାବେଳେ ରାଜନାଥଙ୍କ ଗସ୍ତ ଦଳୀୟ ନେତା ଓ କର୍ମୀଙ୍କ ଭିତରେ ଜୋସ ଭରି ଦେଇଛି । ଆଗାମି ନିର୍ବାଚନ ଓଡିଶାରେ ବଡ ପରିବର୍ତନ ଆଣିବ ବୋଲି ଆଶା ବାନ୍ଧିଛନ୍ତି । ହେଲେ, ବିଜେପି ନେତାଙ୍କ ଦାବିକୁ ଖଣ୍ଡନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଆଗରେ କିଛି କାମ ଦେବନି ବୋଲି କହିଛନ୍ତି ବିଜେଡି ବିଧାୟକ ।
କେବଳ ବିଜେଡି ନୁହେଁ ରାଜନାଥଙ୍କ ଦାବିକୁ ନେଇ, ପ୍ରଶ୍ନ ଉଠାଇଛି କଂଗ୍ରେସ । ବାହାସ୍ପୋଟ ମାରୁଥିବା କହି କଟାକ୍ଷ କରିଛନ୍ତି ପିସିସି ସଭାପତି । ତେବେ ଆଗାମି ଦିନରେ ଓଡିଶାରେ ଡବଲ ଇଞ୍ଜିନ ସରକାର ହେବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ ବି ରାଜ୍ୟ ସରକାରଙ୍କୁ ନେଇ କିଛି କହିନାହାନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।