ସମୁଦ୍ର ପାଲଟିଛି ଗଳାବାଟ: କଡାକଡି ଯାଂଚ ସତ୍ୱେ ଜଳପଥରେ ଏବେବି ଜାରି ରହିଛି ପଶ୍ଚିମବଙ୍ଗକୁ ଯାତାୟତ; ରାତିରେ ବୋଟରେ ଚାଲିଛି ଲୋକବୁହା

Advertisment
ସମୁଦ୍ର ପାଲଟିଛି ଗଳାବାଟ: କଡାକଡି ଯାଂଚ ସତ୍ୱେ ଜଳପଥରେ ଏବେବି ଜାରି ରହିଛି ପଶ୍ଚିମବଙ୍ଗକୁ ଯାତାୟତ; ରାତିରେ ବୋଟରେ ଚାଲିଛି ଲୋକବୁହା

କନକ ବ୍ୟୁରୋ: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ପଶ୍ଚିମବଙ୍ଗରୁ ଆସିଥିବା ଲୋକ ଏବେ ଚିନ୍ତାର କାରଣ ହୋଇଥିବାବେଳେ କେନ୍ଦ୍ରାପଡା ଜିଲ୍ଲା ରାଜନଗରରେ ଏହାକୁ ନେଇ ଆତଙ୍କ ବଢିବାରେ ଲାଗିଛି। ତାଳଚୁଆ ସାମୁଦ୍ରିକ ଥାନା ବଙ୍ଗୀୟ ଭାଷାଭାଷୀ ଅଂଚଳର ଲୋକଙ୍କର ଜଳପଥରେ ପଶ୍ଚିମବଙ୍ଗ ଯାତାୟାତ ଏବେ ବି ଜାରି ରହିଥିବାରୁ ଭୟ ବଢିବାରେ ଲାଗିଛି। ଏହି ଅଞ୍ଚଳକୁ ରାତିରେ ବୋଟ ଚାଲୁଛି। ସପ୍ତାହ ଭିତରେ ଅନେକ ଲୋକ ପଶ୍ଚିମବଙ୍ଗ ସମେତ ଭଦ୍ରକ, ବାଲେଶ୍ବରରୁ ତାଳଚୁଆ ସାମୁଦ୍ରିକ ଥାନା ଅଂଚଳକୁ ଆସିଥିବା ସୂଚନା ମିଳିଛି।

ତାଳଚୁଆ ସାମୁଦ୍ରିକ ଥାନା ଅଧୀନରେ ଥିବା ତାଳଚୁଆ, ବାଘମାରି, କେରୁଆଁପାଳ, ରଂଗଣୀ, କୃଷ୍ଣନଗର, ଖମାରସାହି, ଡାଙ୍ଗମାଳ ପ୍ରଭୃତି ୭ଟି ପଂଚାୟତର ଲୋକେ ସ୍ଥଳପଥ ଅପେକ୍ଷା ଜଳପଥରେ ଅଧିକ ଯାତାୟତ କରନ୍ତି। ଏହି ପଂଚାୟତରେ ବଙ୍ଗୀୟ ଭାଷାଭାଷୀ ଲୋକେ ଅଧିକ ସଂଖ୍ୟାରେ ବାସ କରନ୍ତି। ଏଠାକାର ଲୋକେ ଭଦ୍ରକ, ବାଲେଶ୍ବର ଜିଲ୍ଲାର ବିଭିନ୍ନ ସ୍ଥାନକୁ ବୋଟ ମାଧ୍ୟମରେ ଯା’ଆସ କରିଥାନ୍ତି। ବୋଟରେ ଦିଘା, ପଶ୍ଚିମବଙ୍ଗକୁ ଯିବା ଆସିବା କରିଥା’ନ୍ତି। ଏଠାରେ ବାସ କରୁଥିବା ବଙ୍ଗୀୟ ଲୋକଙ୍କ ମଧ୍ୟରୁ ୧୦ ପ୍ରତିଶତରୁ ଅଧିକ ଲୋକଙ୍କ ଘର ପଶ୍ଚିମବଙ୍ଗରେ ରହିଛି।

୭ଟି ପଂଚାୟତରେ ୫ଶହରୁ ଅଧିକ ଟ୍ରଲର ଓ ବୋଟ ରହିଛି। ଟ୍ରଲର ମାଛ ମାରିବା ପରେ ଚନ୍ଦିନିପାଳ ଓ ଦିଘାରେ ମାଛ ଦେଇଥାଏ। ଟ୍ରଲରରେ ଭଦ୍ରକ, ବାଲେଶ୍ବର ସମେତ ପଶ୍ଚିମବଙ୍ଗର ମତ୍ସ୍ୟଜୀବୀମାନେ କାମ କରିଥାନ୍ତି। ଲକଡାଉନ ପରେ ଏହି ୭ଟି ପଂଚାୟତକୁ ଭଦ୍ରକ, ବାଲେଶ୍ବର ଓ ପଶ୍ଚିମବଙ୍ଗରୁ ୫ଶହରୁ ଅଧିକ ଲୋକ ଆସିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe