ଦିଲ୍ଲୀ ବିଜେପି ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ପ୍ରବାସୀ ଓଡିଆଙ୍କ ବିକ୍ଷୋଭ : ଅଲେଖଙ୍କୁ ହଟାଇ ଯୁବନେତା ଅଜୟଙ୍କୁ ଦଳୀୟ ଟିକେଟ୍ ଦେବାକୁ କଲେ ଦାବି

239

କେନ୍ଦ୍ରାପଡା ଜିଲ୍ଲା ରାଜନଗର ନିର୍ବାଚନ ମଣ୍ଡଳୀର ବିଜେପି ବିବାଦ ଦିଲ୍ଲୀରେ ପହଂଚିଛି । ଆଜି ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ୧୨ଟି ସଂଗଠନର ପ୍ରବାସୀ ଓଡିଆମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଅଲେଖ କୁମାର ଜେନାଙ୍କୁ ହଟାଇ ଯୁବନେତା ଅଜୟ କୁମାର ବେହେରାଙ୍କୁ ଦଳୀୟ ଟିକେଟ୍ ଦେବାକୁ ସେମାନେ ଦାବି କରିଛନ୍ତି । ଟିକେଟ୍ ପ୍ରଦାନର ପୁନର୍ବିଚାର କରାନଗଲେ ପ୍ରବାସୀ ଓଡିଆମାନେ ରାଜରାସ୍ତାଙ୍କୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

କାଲି ଦିନ ପ୍ରାୟ ୧୦ଟାରେ ନୂଆ ଦିଲ୍ଲୀ ସ୍ଥିତ ବିଜେପିର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ପ୍ରବାସୀ ଓଡିଆମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଅଲେଖ କୁମାର ଜେନାଙ୍କୁ ହଟାଇ ରାଜନଗର ନିର୍ବାଚନମଣ୍ଡଳୀରୁ ଯୁବନେତା ତଥା ପ୍ରବାସୀ ଓଡିଆଙ୍କ ସୁଖଦୁଃଖର ସାଥୀ ଅଜୟ କୁମାର ବେହେରାଙ୍କୁ ପ୍ରାର୍ଥୀ କରିବା ପାଇଁ ଦାବି କରିଛନ୍ତି । ଆଦର୍ଶ ଉତ୍କଳ ସମାଜ, ଫରିଦାବାଦ ଓଡିଆ ଫାଉଣ୍ଡେସନ୍, ଶ୍ରୀକ୍ଷେତ୍ର ଫାଉଣ୍ଡେସନ୍, ପ୍ରବାସୀ ଓଡିଆ ପରିବାର, ଜୟ ଜଗନ୍ନାଥ ଓଡିଆ ସଂଘ, ନୋଏଡା ଜଗନ୍ନାଥ ମନ୍ଦିର, ରୋହିଣୀ ଜଗନ୍ନାଥ ମନ୍ଦିର, ଝିଲମିଲ ଜଗନ୍ନାଥ ମନ୍ଦିର, ଜୟ ଜଗନ୍ନାଥ ଓଡିଆ ସଂଘ ଏକାଠି ହୋଇ ଯୁବ ନେତା ଅଜୟ ବେହେରାଙ୍କୁ ବିଜେପିରୁ ଟିକେଟ୍ ଦେବା ଦାବିରେ ଏହି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ସୂଚନାଯୋଗ୍ୟ, ରାଜନଗର ବିଧାନସଭା କ୍ଷେତ୍ର ପାଇଁ ବିଜେପି ପକ୍ଷରୁ ଅଲେଖ କୁମାର ଜେନାଙ୍କୁ ପ୍ରାର୍ଥୀ କରାଯାଇଛି । ମାତ୍ର ରାଜନଗର ନିର୍ବାଚନ ମଣ୍ଡଳୀରେ ବିଜେପିର ଅନ୍ୟ ସମସ୍ତ ଟିକେଟ୍ ଆଶାୟୀ, ଜୋନ୍ ସଭାପତି, ପଂଚାୟତ ସଭାପତି ଓ ଆଗ ଧାଡିର କର୍ମୀ, ବିଧାୟକ ପ୍ରାର୍ଥୀ ଶ୍ରୀ ଜେନାଙ୍କୁ ବିରୋଧ କରି ଆସୁଛନ୍ତି । ଗତ ୨୩ ତାରିଖ ଦିନ ଶତାଧିକ ବିଜେପି କର୍ମୀ ଭୁବନେଶ୍ୱର ସ୍ଥିତ ବିଜେପି କାର୍ଯ୍ୟାଳୟ ସମ୍ମୁଖରେ ‘ଅଲେଖ ହଟାଅ, ରାଜନଗର ବିଜେପି ବଂଚାଅ’ ନାରା ଦେଇ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧାରଣାରେ ବସିଥିଲେ । ୨୪ ତାରିଖରେ ରାଜନଗରର କରିମୂଳ ଠାରେ ବିଜେପି କର୍ମୀମାନେ ଦଳୀୟ ପ୍ରାର୍ଥୀଙ୍କ କୁଶପୁତ୍ତଳିକା ବି ଦାହ କରିଥିଲେ ।