କନକ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ, ରାଜନଗର ରାଜନୀତି ରୋଚକ ହେବାରେ ଲାଗିଛି । ରାଜନଗର ନିର୍ବାଚନମଣ୍ଡଳୀରେ ବିଜୁ ଜନତା ଦଳର ପଲ୍ଲା ଭାରି ଥିଲେ ବି ପଦାରେ ପଡିଛି ଦଳୀୟ କନ୍ଦଳ । ବର୍ତମାନର ରାଜନଗରର ବିଧାୟକ ଧ୍ରୁବ ସାହୁ ଓ ବିଜୁ ଜନତା ଦଳର ତିନି ତିନି ଥରର ବ୍ଲକ ସଭାପତି ଏବଂ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଅଶୋକ ପ୍ରତିହାରୀଙ୍କ ମଧ୍ୟରେ ବିବାଦ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଛି । ସବୁଠାରୁ ରୋଚକ କଥା ହେଉଛି, ବିଧାୟକଙ୍କ ପଛରେ ଜିଲ୍ଲାର ଜଣେ ମନ୍ତ୍ରୀ ରହିଥିବାବେଳେ, ଅଶୋକଙ୍କ ପଛରେ ଆଉ ଜଣେ ମନ୍ତ୍ରୀଙ୍କ ସମର୍ଥନ ରହିଥିବା ରାଜନୈତିକ ମାହୋଲକୁ ସରଗରମ କରିଛି ।

Advertisment

ଧ୍ରୁବ ସାହୁ, ଅଶୋକ ପ୍ରତିହାରୀ । ରାଜନଗର ବିଜେଡିର ଦୁଇ ପ୍ରମୁଖ ଚେହେରା । ଦିନ ଥିଲା ଦୁହେଁ ଏକାଠି ହୋଇ ଦଳୀୟ ସଂଗଠନକୁ ମଜବୁତ କରୁଥିଲେ । ଏକାଠି ଶୋଭାଯାତ୍ରା କରୁଥିଲେ । ଦଳ କେମିତି ନିର୍ବାଚନମଣ୍ଡଳୀରେ ଭଲ ପ୍ରଦର୍ଶନ କରିବ ସେଥିପାଇଁ ରଣନୀତି ପ୍ରସ୍ତୁତ କରୁଥିଲେ । କିନ୍ତୁ ଏବେ ଦୁହିଁଙ୍କ ମଧ୍ୟରେ ବିବାଦ ହାଟରେ ପଡି ଦାଣ୍ଡରେ ଗଡୁଛି ।

ବିଧାୟକ ଧ୍ରୁବ ସାହୁଙ୍କ ଏକାନ୍ତ ଅନୁଗତ କୁହାଯାଉଥିବା ଅଶୋକ ପ୍ରତିହାରୀ ଏବେ ଟିକେଟ ଆଶାୟୀଙ୍କ ଦୌଡରେ ରହିଛନ୍ତି । ନିଜର ସ୍ୱତନ୍ତ୍ର ସଂଗଠନ କରୁଛନ୍ତି । ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ବିଧାୟକ ଆଉ ନିଜର ଗଡକୁ ସଜାଡିବାରେ ଲାଗି ପଡିଛନ୍ତି । ଦଳୀୟ ନେତା ଓ କର୍ମୀଙ୍କ ଡାକି ସାଙ୍ଗଠନିକ ବୈଠକ କରିଛନ୍ତି । ଆଉ ଅଶୋକ ପ୍ରତିହାରୀଙ୍କ ବିରୋଧରେ ବର୍ଷିଛନ୍ତି ।

ଆଲୋଚନା ହେଉଛି ରାଜନଗର ବିଜେଡିର ବିବାଦ ପଛରେ ରହିଛି ଦୁଇ ମନ୍ତ୍ରୀ ପ୍ରତାପ ଦେବ ଓ ଅତନୁ ସବ୍ୟସାଚୀଙ୍କଙ୍କ ହାତ । ଜଣେ ମନ୍ତ୍ରୀ ବିଧାୟକ ଧ୍ରୁବ ସାହୁଙ୍କ ପଛରେ ଥିବାବେଳେ ଅଶୋକଙ୍କୁ ପଛରୁ ରହି ସମର୍ଥନ ଦେଉଛନ୍ତି ଆଉ ଜଣେ ମନ୍ତ୍ରୀ । ଉଭୟ ମନ୍ତ୍ରୀଙ୍କ ମଧ୍ୟରେ ଥିବା ଶୀତଳ ଯୁଦ୍ଧର ଏହା ହେଉଛି ପରିଣାମ । ତେବେ ଯଦି ଦଳୀୟ କନ୍ଦଳକୁ ସମାଧାନ କରାନଯାଏ, ତାହେଲେ ଅନ୍ୟ ରାଜନୈତିକ ଦଳ ଫାଇଦା ଉଠାଇବେ ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ ।

ଏସବୁ ଭିତରେ ଅଶୋକ ପ୍ରତିହାରୀଙ୍କୁ ରାଜନଗର ବ୍ଲକ ବିଜେଡି ସଭାପତି ପଦରୁ ହଠାଇ ଦେଇଛି ଦଳ । ତେବେ ଏହି ବିବାଦ ରାଜ୍ୟର ଦୁଇ ଟାଣୁଆ ମନ୍ତ୍ରୀଙ୍କ ପତିଆରାର ଲଢ଼େଇ ହୋଇଥିବାରୁ ଏହା ଆଗକୁ ବଢ଼ିବ ନା ଏଇଠି ଶେଷ ହେବ ତା ଉପରେ ରହିଛି ସମସ୍ତଙ୍କ ନଜର ।