କେନ୍ଦ୍ରାପଡ଼ା ରାଜନଗରକୁ ବାତ୍ୟାରୁ ବଞ୍ଚାଇଦେଲା ହେନ୍ତାଳ ବଣ । ସହିନେଲା ବାତ୍ୟା ମାଡ଼, ଅନେକ ବାତ୍ୟାକୁ ରୋକିବାରେ ସମର୍ଥ ହୋଇଛି ଭିତରକନିକା ।

534

କନକ ବ୍ୟୁରୋ : ହେନ୍ତାଳବଣ ପାଇଁ ବର୍ତ୍ତିଗଲା ରାଜନଗର । କୁହାଯାଏ, ସମୁଦ୍ରକୂଳରେ ହେନ୍ତାଳବଣ ଥିଲେ, ପଛୁଆ ଅଞ୍ଚଳ ବର୍ତିଯାଏ । ଏଥର ବି ସେମିତି ହୋଇଛି । ବର୍ତିଯାଇଛି ରାଜନଗର । ବାତ୍ୟା ୟାସ୍ ଭିତରକନିକା ନିକଟରେ ମାଡ ହେବ ଓ ରାଜନଗର ଅଂଚଳରେ ବିଶେଷ ଭାବେ କ୍ଷତିଗ୍ରସ୍ତ ହେବ ବୋଲି ପୂର୍ବାନୁମାନ କରି୍ଥିଲା ଭାରତୀୟ ପାଣିପାଗ ବିଭାଗ । ସେହି ଆଧାରରରେ ପ୍ରଶାସନ ପକ୍ଷରୁ ଜିରୋ କାଜୁଆଲିଟି ଲକ୍ଷ୍ୟରେ ସମସ୍ତ ପଦକ୍ଷେପ ନିଆଯାଇଥିଲା ।

ଭିତରକନିକା ଦେଇ ବାତ୍ୟା ୟାସ୍ ଜଳପଥରେ ସ୍ଥଳଭାଗକୁ ଯାଇଥିଲେ ମଧ୍ୟ ରାଜନଗରରେ ଯେଉଁ ଧରଣର ଧ୍ୱଂସଲୀଳା ହେବ ବୋଲି ଆଶାଙ୍କା କରାଯାଉଥିଲା, ସେଥିରୁ ବର୍ତ୍ତିଯାଇଛି । ବ୍ରାହ୍ମଣୀ, ବୈତରଣୀ, ଓ ମହାନଦୀ ତ୍ରିକୋଣଭୂମିରେ ଅବସ୍ଥିତ ଭିତରକନିକାର ହେନ୍ତାଳବଣ । ଧାମରା ମୁହାଁଣ ଠାରୁ ବରୁଣେଇ ମୁହାଁଣ ଯାଏଁ ୬୭୨ ବର୍ଗ କିଲୋମିଟର ବିସ୍ତାରିତ ଏହି ଲୁଣା ଜଙ୍ଗଲ । ଏହି ଜଙ୍ଗଲ ଉପକୂଳକୁ ବାତ୍ୟା ଦାଉରୁ ରକ୍ଷା କରିଥାଏ । ଏହି ଲୁଣା ଜଙ୍ଗଲର ପ୍ରାକୃତିକ ବିପର୍ଯ୍ୟୟ ପାଇଁ ରହିଛି ଅପରାଜୟ ଶକ୍ତି ।

ଭିତରକନିକାକୁ ଏହି ଲୁଣା ଜଙ୍ଗଲ କେବଳ ରାଜନଗର ନୁହେଁ ସମଗ୍ର ଉପକୂଳକୁ ଅଧିକାଂଶ ସମୟରେ ବିପର୍ଯ୍ୟୟରୁ ରକ୍ଷା କରି ଆସୁଛି । ୧୯୯୯ ମହାବାତ୍ୟାରେ ଯେଉଁ ଧରଣର କ୍ଷୟକ୍ଷତି ଅନ୍ୟ ଅଂଚଳରେ ହୋଇଥିଲା, ଭିତରକନିକାର ଲୁଣା ଜଙ୍ଗଲ ପାଇଁ ରାଜନଗର ଅଂଚଳର ସେଭଳି କ୍ଷତି ହୋଇନଥିଲା । ଏହାପରେ ଓଡିଶାରେ ତାଣ୍ଡବ ରଚିଥିବା ଫୋନି, ହୁଡହୁଡ, ବୁଲବୁଲ, ଫାଇଲିନ ଓ ତିତିଲି କବଳରୁ ଭିତରକନିକା ରାଜନଗରକୁ ରକ୍ଷା କରିଆସିଛି । ଏଥର ବି ବାତ୍ୟା ୟାସକୁ ସାମ୍ନା କରି ପୁଣି ଥରେ ରାଜନଗରକୁ ସୁରକ୍ଷା ଯୋଗାଇବାରେ ସକ୍ଷମ ହୋଇଛି ଏହି ହେନ୍ତାଳବଣ । ଏବେ ଲୁଣା ଜଙ୍ଗଲର ସୁରକ୍ଷା ଓ ବୃଦ୍ଧିପାଇଁ ସବୁ ସ୍ତରରେ ଉଦ୍ୟମ ହେବା ଆବଶ୍ୟକ ।