ରାଜନଗରର ପ୍ରସିଦ୍ଧ ଛେନାମୁଡକି । ଯାହାକୁ ଭିତରକନିକା ବୁଲି ଆସିଥିବା ପର୍ଯ୍ୟଟକ ଖାଇବାକୁ ଭୁଲି ନଥାନ୍ତି

238

କନକ ବ୍ୟୁରୋ : କେନ୍ଦ୍ରାପଡାର ରସାବଳୀ, ପଟ୍ଟାମୁଣ୍ଡାଇର ରସକଦମ ପରି ରାଜନଗରର ଛେନାମୁଡକି ବି ବେଶ୍ ପ୍ରସିଦ୍ଧ । ରାଜ୍ୟ ତଥା ରାଜ୍ୟ ବାହରେ ବି ଏହି ମିଠା ବେଶ୍ ପ୍ରସିଦ୍ଧି ଲାଭ କରିଛି । ଏଥିସହ ଭିତରକନିକା ବୁଲିବାକୁ ଆସୁଥିବା ବିଦେଶୀ ପର୍ଯ୍ୟଟକ ବି ରାଜନଗରର ବିଶ୍ୱମ୍ବର ଦାସଙ୍କ ଦୋକାନର ଛେନାମୁଡକି ଖାଇ ବେଶ୍ ପ୍ରଶଂସା କରିଥାନ୍ତି ।

କ୍ଷୀରରୁ ପ୍ରସ୍ତୁତ ହେଉଛି ଛେନା, ସେଥିରୁ ଛେନା ମୁଡକି । ଆଉ ଏହି ଗରମାଗରମ ଛେନାମୁଡକି ଖାଇବା ପାଇଁ ପ୍ରତିଦିନ ଜମୁଛି ଗ୍ରାହଙ୍କ ଭିଡ । ପାଖାପାଖି ୩୦ବର୍ଷ ତଳେ ତିଆରି କରାଯାଇଥିବା ମିଠା ଆଜିବି ଲୋକଙ୍କର ବେଶ୍ ପସନ୍ଦ । କେବଳ ଛେନାରୁ ପ୍ରସ୍ତୁତ ହେଉଥିବାରୁ ଏହାର ନାଁ ଛେନାମୁଡକି ରଖାଯାଇଥିବା କୁହାଯାଏ । ଆଉ ଏହି ମିଠା ବେଶ୍ ପ୍ରସିଦ୍ଧ ରାଜନଗର ବ୍ଲକ୍ ଜରିମୂଳ ବଜାରର ବିଶ୍ୱମ୍ବର ଦାସଙ୍କ ଦୋକାନ । ତେବେ ତାଙ୍କ ମୃତ୍ୟୁ ପରେ ଏହି ମିଠା ବ୍ୟବସାୟକୁ ଆଗେଇ ନେଇଛନ୍ତି ତାଙ୍କ ନାତି ଶ୍ରୀକାନ୍ତ ।

କେବଳ କେନ୍ଦ୍ରାପଡା କି ଓଡିଶା ନୁହେଁ ବରଂ ଏହି ମିଠା ଦେଶ ତଥା ଦେଶ ବାହାରେ ମଧ୍ୟ ପ୍ରସିଦ୍ଧି ଲାଭ କରିଛି । ଜାତୀୟ ଉଦ୍ୟାନ ଭିତରକନିକାକୁ ଯିବା ବେଳେ ବିଦେଶୀ ପର୍ଯ୍ୟଟକ ବି ଗାଡି ଅଟକାଇଥାନ୍ତି ଏହି ଦୋକାନରୁ ଛେନା ମୁଡକି ଖାଇବା ପାଇଁ । ତେବେ ଏଭଳି ଏକ ମିଠାର ପ୍ରଚାର ପ୍ରସାର ପାଇଁ ସରକାରୀ ପ୍ରୋତ୍ସାହନ ମିଳିଲେ ଅଧିକ ସଂଖ୍ୟାରେ ଗ୍ରାହକ ଓ ପର୍ଯ୍ୟଟକ ଏଥିପ୍ରତି ଆକୃଷ୍ଟ ହୋଇପାରନ୍ତେ ବୋଲି ବୁଦ୍ଧିଜୀବୀ କହିଛନ୍ତି ।