ବିଜେଡିରେ ଯୋଗଦେଲେ , ବିଜେପି ନେତାଙ୍କ ଉପରେ ମନଇଚ୍ଛା ବର୍ଷିଲେ ରାଜକିଶୋର । କହିଲେ, ଯାହାର ୱାର୍ଡମେମ୍ବର ଜିତିବାର ଯୋଗ୍ୟତା ନାହିଁ, ସେ ମୁଖ୍ୟମନ୍ତ୍ରୀ ହେବାକୁ ସ୍ୱପ୍ନ ଦେଖୁଛନ୍ତି

843

କନକ ବ୍ୟୁରୋ : ବିଜେଡିରେ ଯୋଗ ଦେଉ ଦେଉ ବିଜେପି ଉପରେ ବର୍ଷିଲେ ରାଜକିଶୋର ଦାସ । ଦଳ ଅଣଦେଖା କରୁଥିବା ଅଭିଯୋଗ ଆଣି ରାଜ୍ୟ ବିଜେପି ଉପସଭାପତି ପଦରୁ ଗତକାଲି ଇସ୍ତଫା ଦେଇଥିବା ରାଜକିଶୋର ଆଜି ଶଙ୍ଖ ଶିବିରରେ ଏଣ୍ଟ୍ରି ମାରିଛନ୍ତି । ଆଉ ବିଜେଡିରେ ଯୋଗ ଦେବା ପରେ ଧର୍ମେନ୍ଦ୍ରଙ୍କ ଉପରେ ବର୍ଷିଛନ୍ତି ରାଜକିଶୋର । ମୟୂରଭଞ୍ଜରେ ଦୀର୍ଘ ୪୦ ବର୍ଷ ଧରି ବିଜେପିରେ ଥିବା ରାଜକିଶୋର ଦଳ ଛାଡିବା ସହ ବଡ ଅଭିଯୋଗ ଆଣିଛନ୍ତି । ବିଜେପି ମୋତେ ଅପମାନିତ କରିବା ସହ ଅତ୍ୟାଚାର କରିଛି । ଯାହାକୁ ଭଗବାନ କେବେ କ୍ଷମା କରିବେନି ।

ମୟୂରଭଞ୍ଜକୁ ନେଇ ବିଜେପି ଯେଉଁ ଗର୍ବ କରୁଥିଲା ଆଗାମୀ ଦିନରେ ସେଠାରେ ବିଜେପି ଶୂନ ହୋଇଯିବ ବୋଲି ଦମ୍ଭ ଦେଖାଇ କହିଛନ୍ତି ରାଜକିଶୋର । ଏହାଛଡା ନିଜ ଭାଷଣରେ ଧର୍ମେନ୍ଦ୍ରଙ୍କୁ ବୁଲେଇ ବଙ୍କେଇ ଟାର୍ଗେଟ କରିଛନ୍ତି ରାଜକିଶୋର । ବିଜେପି ନେତାଙ୍କୁ ଆହ୍ୱାନ ଦେଇ ରାଜକିଶୋର କହିଛନ୍ତି, ଯେଉଁ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ହେବାକୁ ସ୍ୱପ୍ନ ଦେଖୁଛନ୍ତି ଯଦି ସତସାହସ ଅଛି ତେବେ ମୋରଡାରୁ ମୋ ସହ ଲଢିକି ଜିତନ୍ତୁ ତାହା ପରେ ଓଡିଶାର ନେତୃତ୍ୱ ନେବାକୁ ଚିନ୍ତା କରିବେ । ଯାହାର ୱାର୍ଡମେମ୍ବର ଜିତିବାର ଯୋଗ୍ୟତା ନାହିଁ ସିଏ ମୁଖ୍ୟମନ୍ତ୍ରୀ ହେବାକୁ ସ୍ୱପ୍ନ ଦେଖୁଛନ୍ତି । କିନ୍ତୁ ଏହି ସ୍ୱପ୍ନ କେବେ ପୂରଣ ହେବ ନାହିଁ । ଏହି ଔରଙ୍ଗଜେବଙ୍କୁ ଓଡିଶାରେ ରାଜନୈତିକ କବର ଦେବା ବୋଲି କହିଛନ୍ତି ରାଜକିଶୋର ।

ଧର୍ମେନ୍ଦ୍ରଙ୍କୁ ବୁଲେଇ ବଙ୍କେଇ ଟାର୍ଗେଟ କରିଥିବା ବେଳେ ନବୀନଙ୍କୁ ପ୍ରଂଶସାରେ ପୋତି ପକାଇଛନ୍ତି ରାଜକିଶୋର । ଗୋଟିଏ ପଟେ ଦୀର୍ଘ ୪୦ ବର୍ଷ ଧରି ବିଜେପିରେ ଥିଲେ ମଧ୍ୟ ମୋତେ ଅତ୍ୟାଚାର ଓ ଅପମାନ କରାଯିବା ସହ ହତ୍ୟା କରିବାକୁ ଉଦ୍ୟମ କରାଯାଇଥିଲା । ଆଉ ସେଭଳି ସମୟରେ ବିଜେଡି ମୋତେ ସୁରକ୍ଷା ଦେବା ସହ ନିଜ ଦଳରେ ସାମିଲ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ରାଜକିଶୋର । ଏହାଛଡା ନବୀନଙ୍କ ସମୟରେ ରାଜ୍ୟରେ ଦ୍ରୁତ ବିକାଶ ହୋଇଛି । ଯେଉଁଥିପାଇଁ ଆଗାମୀ ନିର୍ବାଚନରେ ବିଜେଡି ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନରେ ବିଜୟୀ ହେବ ବୋଲି ଦମ୍ଭ ଦେଖାଇଛନ୍ତି ରାଜକିଶୋର । ଏହାଛଡା ଆଗାମୀ ନିର୍ବାଚନରେ ଦଳ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିବ ବୋଲି ଜୋର ଦେଇ କହିଛନ୍ତି ରାଜକିଶୋର ।