କନକ ବ୍ୟୁରୋ : ରାଜ୍ୟରେ ୨ ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବାକୁ ଯାଉଛି ଉପନିର୍ବାଚନ । ଯାହା ମଧ୍ୟରେ ରହିଛି ବାଲେଶ୍ୱର ସଦର ଓ ତିର୍ତ୍ତୋଲ । ଏହି ୨ ଟି ଉପନିର୍ବାଚନ ପାଇଁ ଏବେ ରାଜ୍ୟ ରାଜନୀତି ସରଗରମ ହେବାରେ ଲାଗିଛି । ଏଭଳି ସ୍ଥିତିରେ ଜଗତସିଂହପୁର ଜିଲ୍ଲା କଂଗ୍ରେସର ଜଣେ ବରିଷ୍ଠ ନେତା ରାଜକିଶୋର ବେହେରା ଦଳରୁ ଆଜି ଇସ୍ତଫା ଦେଇଛନ୍ତି । ସେ ତାଙ୍କର ଇସ୍ତଫାପତ୍ର ପିସିସି ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି । ଅନ୍ୟପଟେ ସେ ଆସନ୍ତାକାଲି ବିଜେପିରେ ଯୋଗ ଦେବେ ବୋଲି ସୂଚନା ମିଳିଛି । ବିଜେପିରେ ଯୋଗଦେବା ପରେ ତିର୍ତ୍ତୋଲ ଆସନ ପାଇଁ ବିଜେପି ତାଙ୍କୁ ବିଧାୟକ ପ୍ରାର୍ଥୀ କରିବ ବୋଲି ଜଣାପଡିଛି । ସୂଚନା ଥାଉକି ୨୦୦୯ ଓ ୨୦୧୪ ରେ ଶ୍ରୀ ବେହେରା ତିର୍ତ୍ତୋଲ ଆସନରୁ କଂଗ୍ରେସର ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ପରାଜିତ ହୋଇଥିଲେ ।
ଦଳ ଛାଡିବା ନେଇ ଶ୍ରୀ ବେହେରା ଜଗତସିଂହପୁର ସାରଦାମଣ୍ଡପ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ନିଜର ଇସ୍ତଫା ସଂପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି କି ୨୦୧୪ ରୁ ୨୦୨୦ ଭିତରେ କଂଗ୍ରେସ ଦଳ ତାଙ୍କୁ ଅହେତୁକ ଅଣଦେଖା କରିଛି । ସାଂପ୍ରତିକ ପରିସ୍ଥିତିରେ କଂଗ୍ରେସ ଦଳର ଆଭ୍ୟନ୍ତରୀଣ ଗଣତନ୍ତ୍ରରେ ବିପଦ ଅଛି । ଅନ୍ୟପଟେ ତାଙ୍କର ଇସ୍ତଫା ନେଇ ଜଗତସିଂହପୁର କଂଗ୍ରେସ ଜିଲ୍ଲା ସଭାପତି ନଟବର ବାରିକ କହିଛନ୍ତି କି ତିର୍ତ୍ତୋଲ ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ଚୟନ ସରିଛି, ଖାଲି ବିଧି ବଧ ଘୋଷଣା ବାକି ରହିଛି । ରାଜକିଶୋରଙ୍କୁ ଦଳ ଅନେକଥର ସୁଯୋଗ ଦେଇଛି । ହେଲେ ସେ ତାଙ୍କର ଯୋଗ୍ୟତା ପ୍ରତିପାଦିତ କରିପାରିଲେ ନାହିଁ ।