ପରିବା ବିକିଲେ ପୂରିବ ପେଟ: ଦୁର୍ଘଟଣାର ଶିକାର ହୋଇ ବାପା ରୋଗ ଶର୍ଯ୍ୟାରେ ପଡିବା ପରେ ଭାଙ୍ଗିଗଲା ହସଖୁସି ସଂସାର; ପାଠଛାଡି ଗାଁ ଗାଁ ବୁଲି ପରିବା ବିକୁଛନ୍ତି କେନ୍ଦ୍ରାପଡା ଆଳିର ୨ ଭାଇ

272

କନକ ବ୍ୟୁରୋ: ପରିବା ବିକିଲେ ପୂରିବ ପେଟ । ଏଥିପାଇଁ ତ ପାଠପଢା ଛାଡି ଗାଁ ଗାଁ ବୁଲି ପରିବା ବିକ୍ରି କରୁଛନ୍ତି ୨ ନାବାଳକ ଭାଇ । ବାପା ଦୁର୍ଘଟଣାର ଶିକାର ହୋଇ ରୋଗ ଶର୍ଯ୍ୟାରେ ପଡିଯିବା ପରେ ପୁଅଙ୍କ ପାଠପଢାରେ ଡୋରି ବନ୍ଧା ହୋଇଗଲା । ପାଠ ଛାଡି ଘରେ ରୋଷେଇବାସ କରି ରୋଗୀଣା ବାପା ଓ ବୁଢା ଜେଜେବାଙ୍କୁ ଖାଇବାକୁ ଦେବା ସହ ଗାଁ ଗାଁ ବୁଲି ପରିବା ବିକୁଛନ୍ତି କେନ୍ଦ୍ରାପଡା ଆଳି ଅଂଚଳର ଦୁଇ ଭାଇ ।

ଗାଁ ଗାଁ ବୁଲି ସାଇକେଲରେ ପରିବା ବିକ୍ରି କରୁଛନ୍ତି କୁନି କୁନି ଦୁଇ ଭାଇ । ହାତର ପାଠ ବହି ବଦଳରେ ଅଛି ପରିବା ବୋଝେଇ ଝୁିଡି । ଆଉ ଏହି ଝୁଡିରେ ଥିବା ପରିବା ବିକ୍ରି ହେଲେ ଦୁଇ ପଇସା ମିଳିବ, ରୋଗ ଶଯ୍ୟାରେ ପଡିଥିବା ରୋଗୀଣା ବାପା ଓ ବୁଢା ଜେଜେବାପାଙ୍କ ମୁହଁକୁ ଦାନା ଗଣ୍ଡାଏ ଯିବ । ଏମିତି ଆଶା ନେଇ ଗାଁ ଦାଣ୍ଡରେ ପରିବା ନେବ ପରିବା ଡାକ ଛାଡୁଛନ୍ତି କେନ୍ଦ୍ରାପଡା ଆଳି ବ୍ଲକ ସିଙ୍ଗିରି ଗାଁର ପ୍ରମୋଦ ମଲିକଙ୍କ ଦୁଇ ପୁଅ ରୁଦ୍ରପ୍ରତାପ ଓ ରିଶିକାନ୍ତ ।

ପରିବାରର ଆର୍ଥିକ ସ୍ଥିତି ରୁଦ୍ରଙ୍କୁ ନବମରୁ ପାଠ ଛାଡିବାକୁ ବାଧ୍ୟ କରିଥିବା ବେଳେ ରିଶି ସପ୍ତମରୁ ପାଠ ବହିରେ ଡୋରୀ ବାନ୍ଧି ଘର କାମରେ ଭାଇଙ୍କୁ ସହଯୋଗ କରୁଛି । ରୁଦ୍ର ଓ ଋଷିଙ୍କ ବାପା ପ୍ରମୋଦ ଧୂପ କାଠି ବିକ୍ରି କରି ବୁଢାବାପା ଏବଂ ପିଲାଙ୍କ ମୁହଁରେ ଦାନା ଦେଉଥିଲେ । ପିଲା ଦୁଇ ଜଣ ବି ପାଠ ପଢୁଥିଲେ । ହେଲେ ପ୍ରମୋଦ ଏକ ଦୁର୍ଘଟଣାର ଶିକାର ହେବା ପରେ ତାଙ୍କ ପରିବାର ଉପରେ ଭାଙ୍ଗି ପଡିଛି ଦୁଃଖର ପାହାଡ ।

ପ୍ରମୋଦଙ୍କ ଚିକିତ୍ସା ପାଇଁ ଅଧିକ ଅର୍ଥର ଆବଶ୍ୟକତା ରହିଛି । ହେଲେ ତାଙ୍କ ପାଖରେ କାଣି କଉଡିଟିଏ ନାହିଁ । ଏହି ଖବରଟି ଦେଖିବା ପରେ ଯଦି କୌଣସି ସହହୃଦୟ ବ୍ୟକ୍ତି ବା ପ୍ରଶାସନିକ ଅଧିକାରୀ ସହଯୋଗର ହାତ ବଢାନ୍ତି ତେବେ ହୁଏତ ପ୍ରମୋଦଙ୍କ ପରିବାରର ଦୁଃଖ ଦୂର ହୋଇପାରିବ ।