କରୋନା ସଂକ୍ରମଣକୁ ବଳିଗଲା ସାମାଜିକ ବାସନ୍ଦ: ସୁସ୍ଥ ହୋଇ ଫେରିବା ପରେ ଗାଁ ଦୋକାନୀ ଦେଉନି ସଉଦା, ନଳକୂପରୁ ମିଳୁନି ପାଣି

ସାମାଜିକ କଟକଣା ପାଇଁ ସୋସିଆଲ୍ ମିଡିଆରେ ଚାଲିଛି କ୍ୟାମ୍ପେନ୍

690

କନକ ବ୍ୟୁରୋ: କେଉଁଠି ଆକ୍ରାନ୍ତ, ପ୍ରଶାସନକୁ ସହଯୋଗ କରୁନାହାନ୍ତି, ତ ଆଉ କେଉଁଠି କରୋନାରୁ ସୁସ୍ଥ ହୋଇ ଫେରିବା ପରେ ସହଯୋଗ କରୁନି ସମାଜ । ଏଭଳି ଅଭାବନୀୟ, ଦୁଃଖଦ ଓ ସମ୍ବେଦନହୀନ ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକର ବଇଦମାଳ ଗାଁରୁ । ଆପଣ ଟିଭି ସ୍କ୍ରିନରେ ଦେଖୁଥିବା ଏହି ମାଆ, ପୁଅଙ୍କ ସାମାଜିକ ବାସନ୍ଦ ପାଇଁ ସୋସିଆଲ ମିଡିଆରେ ଚାଲିଛି ରିତିମତ କ୍ୟାମ୍ପେନ । ଗାଁ ଦୋକାନି ସଉଦା ଦେବାକୁ ମନା କରୁଛି । ସେହିପରି ଗାଁ ନଳକୂଅରୁ ପାଣି ମିଳୁନି । କଥାହେଲା ଏହି ଯୁବକ ଜଣକ ବେଙ୍ଗାଳୁରୁରୁ ଆସି ନିୟମ ଅନୁସାରେ ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ ।

୧୨ଦିନ ପରେ ତାଙ୍କର କରୋନା ପଜିଟିଭ ଚିହ୍ନଟ ହେଲା । ଏବଂ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲରେ ରଖି ଚିକିତ୍ସା କରାଗଲା । ୮ ଦିନ ପରେ ସେ ସୁସ୍ଥ ହୋଇ ଘରକୁ ଫେରିଲେ  । ଆରୋଗ୍ୟ ପ୍ରମାଣପତ୍ର ଦେଇ ହୋମ କ୍ୱାରେଂଟିନରେ ରହିବାକୁ ପରାମର୍ଶ ଦିଆଯାଇଥିଲା । ଗତ ୫ଦିନ ହେଲା ସେ ଘରେ ସଙ୍ଗରୋଧରେ ରହୁଥୁଲେ ମଧ୍ୟ ତାଙ୍କ ପରିବାରକୁ ସାମାଜିକ ବାସନ୍ଦ ଦଣ୍ଡ ଭୋଗିବାକୁ ପଡୁଛି । ପଡୋଶୀ ତାଙ୍କୁ ପାଖରେ ପୁରାଉ ନାହାନ୍ତି । ସୋସିଆଲ ମିଡିଆରେ ତାଙ୍କ ନାଁରେ ବିଭିନ୍ନ ପ୍ରକାର ଅପପ୍ରଚାର କରାଯାଉଛି । କରୋନାରେ ଆକ୍ରାନ୍ତ ହୋଇ ଯୁବକ ଜଣକ ଯେତିକି କଷ୍ଟ ଭୋଗିନଥିଲେ ତାକୁ ବଳିପଡିଛି ଗାଁ ଲୋକଙ୍କ ମାନସିକ ନିର୍ଯାତନା ।