ବଦଳିଲେ ନିତି ଆୟୋଗ ଉପାଧ୍ୟକ୍ଷ । ରାଜୀବ କୁମାରଙ୍କ ଇସ୍ତଫା ପରେ ସୁମନ କେ ବେରୀଙ୍କୁ ମିଳିଲା ଦାୟିତ୍ୱ । 

70

କନକ ବ୍ୟୁରୋ: ବଦଳିଲେ ନିତି ଆୟୋଗ ଉପାଧ୍ୟକ୍ଷ । ଉପାଧ୍ୟକ୍ଷ ପଦବୀରୁ ରାଜୀବ କୁମାରଙ୍କ ଇସ୍ତଫା ପରେ ନୂଆ ଉପାଧ୍ୟକ୍ଷ ନିଯୁକ୍ତ କରିଛନ୍ତି କେନ୍ଦ୍ର ସରକାର । ସୁମନ କେ ବେରୀଙ୍କୁ ନିତି ଆୟୋଗର ନୂଆ ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ସେ ଆସନ୍ତା ମେ ୧ ତାରିଖରୁ କାର୍ଯ୍ୟଭାର ଗ୍ରହଣ କରିବେ । ସୁମନ କେ ବେରୀ ନୂଆଦିଲ୍ଲୀରେ ଥିବା ନ୍ୟାସନାଲ କାଉନସିଲ ଅଫ୍ ଆପ୍ଲାଏଡ ଇକୋନୋମିକ୍ ରିସର୍ଚ୍ଚର ନିର୍ଦ୍ଦେଶକ ଥିଲେ । ଏଥିସହ ସେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା କାଉନସିଲର ସଦସ୍ୟ ଥିଲେ । ରିଜର୍ଭ ବ୍ୟାଙ୍କର ଷ୍ଟାଟିଷ୍ଟିକାଲ କମିଶନ ଥିଲେ । ରାଜୀବ କୁମାରଙ୍କ କାର୍ଯ୍ୟକାଳ ଚଳିତ ଏପ୍ରିଲ ୩୦ ତାରିଖରେ ଶେଷ ହେବାର ଥିଲା କିନ୍ତୁ ତା ପୂବରୁ ସେ ପଦବୀରୁ ଇସ୍ତଫା ଦେଇଛନ୍ତି  । ତାଙ୍କ ଇସ୍ତଫା ପତ୍ର ସରକାର ଗ୍ରହଣ କରିଛନ୍ତି । ସେ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟଭାର ସମ୍ଭାଳିବେ । ରାଜୀବ କୁମାର ଜଣେ ପ୍ରଖ୍ୟାତ ଅର୍ଥନୀତିଜ୍ଞ ଥିଲେ । ୨୦୧୭ରେ ସେ ନିତି ଆୟୋଗ ଉପାଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିଲେ । କୁମାର ନିତି ଆୟୋଗ ନିତି ନିର୍ଦ୍ଧାରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ । କୃଷି, ଆସେଟ୍ ମନିଟାଇଜେସନ୍, ପୁଞ୍ଜି ପ୍ରତ୍ୟାହାର, ବିଦ୍ୟୁତ୍ ଚାଳିତ ଗାଡି ସହ ଅନ୍ୟାନ୍ୟ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।