ଦାୟିତ୍ୱ ନେଲେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର। ୨୦୨୫ ଯାଏ ଦାୟିତ୍ୱରେ ରହିବେ।

42

କନକ ବ୍ୟୁରୋ: ଭାରତର ୨୫ ତମ ମୁଖ୍ୟ ନିର୍ବାଚନ କମିଶନର ଭାବେ ଶପଥ ନେଇଛନ୍ତି ରାଜୀବ କୁମାର । ୧୯୮୪ ବ୍ୟାଚର ଅବସରପ୍ରାପ୍ତ ଆଏଏଏସ ଅଫିସର ଭାରତର ନୂଆ ମୁଖ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱଗ୍ରହଣ କରିଛନ୍ତି । ଆଜିଠାରୁ ସେ କାର୍ଯ୍ୟଭାର ଗ୍ରହଣ କରି ୨୦୨୫ ଯାଏ ଏହି ଦାୟିତ୍ୱରେ ରହିବେ । ସୁଶିଲ ଚନ୍ଦ୍ରା ମେ ୧୪ରେ ଅବସର ନେଇଥିଲେ । ଦୁଇ ଦିନ ପୂର୍ବେ ତାଙ୍କ ନିଯୁକ୍ତି ନେଇ କେନ୍ଦ୍ର ଆଇନମନ୍ତ୍ରୀ ସୂଚନା ଦେଇଥିଲେ । ଆଗାମୀ ଦିନରେ ଗୁଜରାଟ, ରାଜସ୍ଥାନ, ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହି ନିର୍ବାଚନର ସୁପରିଚାଳନା ତାଙ୍କ ପାଇଁ ପ୍ରଥମ ଚ୍ୟାଲେଞ୍ଜ ।

ଜାଣନ୍ତୁ ରାଜୀବ କୁମାର କିଏ?

୧୯୬୦ ମସିହା ୧୯ ଫେବ୍ରୁଆରୀରେ ରାଜୀବ କୁମାରଙ୍କ ଜନ୍ମ ହୋଇଥିଲା । ୧୯୮୪ ବ୍ୟାଚର ଏହି ପ୍ରଶାସନିକ ଅଧିକାରୀ କେନ୍ଦ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦରେ ରହି ଅବସର ନେଇଥିଲେ । ୨୦୨୦ରେ ସେ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ନେଇଥିଲେ । ୩୬ ବର୍ଷର ଲମ୍ବା ପ୍ରଶାସନିକ ଦକ୍ଷତା ତାଙ୍କ ପାଖରେ ରହିଛି । ବିହାର ଝାରଖଣ୍ଡ କ୍ୟାଡରରେ କାମ କରିବା ପରେ ସେ କେନ୍ଦ୍ର ଅର୍ଥ ସଚିବ ଭାବେ ଅବସର ନେଇଥିଲେ ।

୨୦୨୪ ସାଧାରଣ ନିର୍ବାଚନରେ ମୁଖ୍ୟ ନିର୍ବାଚନ କମିଶନର ରହିବେ ରାଜୀବ

ଆଗାମୀ ସାଧାରଣ ନିର୍ବାଚନରେ ଦେଶର ମୁଖ୍ୟ ନିର୍ବାଚନ କମିଶନର ରହିବେ ରାଜୀବ କୁମାର ।  କେବଳ ଲୋକସଭା ନୁହେଁ ନିକଟରେ ୩ ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ ।  ଏ ନିର୍ବାଚନର ପରିଚାଳନାରୁ ଗୁରୁଦାୟିତ୍ୱ ତାଙ୍କ ଉପରେ ରହିଛି । ନିୟମ ଅନୁନସାରେ ୬ ବର୍ଷ କିମ୍ବା ୬୫ ବର୍ଷ ଯାଏ ଜଣେ ଏହି ପଦରେ ରହିବେ । ୨୦୨୫ ଯାଏ ତାଙ୍କର କାର୍ଯ୍ୟକାଳ ରହିଛି ।