କନକ ବ୍ୟୁରୋ : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ ଏମ.ଟି ମନ୍ଥନ ଓରଫ ଟି.ସୁଥେଥିଶରାଜ ଏବେ ଏକ କୋହଭରା ଚିଠି ଲେଖିଛନ୍ତି । ସେ କହିଛନ୍ତି କି, ଆଜି ଏକ ସ୍ୱାଧୀନ କଏଦୀ ଭାବେ ସ୍ପେଶାଲ କ୍ୟାମ୍ପରେ ଜୀବନ ଅତିବାହିତ କରିବା ପରିବର୍ତ୍ତେ ସେଣ୍ଟ୍ରାଲ ଜେଲ ଭିତରେ ଆଜୀବନ କଏଦୀ ଭାବେ ଜୀବନ କାଟିବା ବହୁତ ଭଲ । ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ ତଥା ଶ୍ରୀଲଙ୍କା ନାଗରିକ ଏମ.ଟି ମନ୍ଥନ ଓରଫ ଟି.ସୁଥେଥିଶରାଜଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । ଏବେ ସେ ଘରକୁ ଫେରିଯିବାକୁ ଏକ ଆବେଦନ କରିବା କ୍ରମରେ ଏବେ ରହୁଥିବା ସ୍ପେଶାଲ କ୍ୟାମ୍ପର ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ।

Advertisment

ସୁପ୍ରିମକୋର୍ଟ ତରଫରୁ ୨୦୨୨ ନଭେମ୍ବର ୧୧ ତାରିଖରେ ରାଜୀବ ଗାନ୍ଧୀ ହତ୍ୟାକାଣ୍ଡରେ ସଂପୃକ୍ତ ଥାଇ ଆଜୀବନ ଜେଲ ଦଣ୍ଡରେ ଦଣ୍ଡିତ ହୋଇଥିବା କଏଦୀମାନଙ୍କ ମଧ୍ୟରୁ ୬ଜଣଙ୍କୁ ଜେଲରୁ ମୁକ୍ତ କରିବାକୁ ଆଦେଶ ଦେଇଥିଲେ । ସୁପ୍ରିମକୋର୍ଟର ଆଦେଶ ପାଇବାର ପରଦିନ ନଳିନୀ, ଶ୍ରୀହରନ, ସନ୍ଥନ, ରାବର୍ଡ ପାୟସ, ଜୟକୁମାର ଓ ରବିଚନ୍ଦ୍ରନଙ୍କୁ ୩୨ ବର୍ଷ ପରେ ଜେଲରୁ ମୁକ୍ତି ମିଳିଥିଲା । ହେଲେ ଜେଲରୁ ମୁକ୍ତ ହୋଇଥିବା ୬ଜଣଙ୍କ ମଧ୍ୟରୁ କେବଳ ନଳିନୀ ଓ ରବିଚନ୍ଦ୍ରନଙ୍କୁ ସେମାନଙ୍କ ପରିବାର ସହ ରହିବାର ଅନୁମତି ମିଳିଥିବା ବେଳେ ବାକି ୪ଜଣଙ୍କୁ ତ୍ରୀଚି ସେଣ୍ଟ୍ରାଲ ଜେଲର ସ୍ପେଶାଲ କ୍ୟାମ୍ପରେ ରଖାଯାଇଥିଲା । ଏହା ଏଥିପାଇଁ କରାଯାଇଥିଲା କି, ଏହି ୪ଜଣ ଶ୍ରୀଲଙ୍କାର ନାଗରିକ ଥିଲେ ।

ଏବେ ଏମ.ଟି ମନ୍ଥନ ଓରଫ ଟି.ସୁଥେଥିଶରାଜ ତ୍ରୀଚି ଜେଲର ସ୍ପେଶାଲ କ୍ୟାମ୍ପ ସେଲରୁ ଏକ ଖୋଲାପତ୍ର ଲେଖିଛନ୍ତି । ଏହି ଚିଠିରେ ସେ କହିଛନ୍ତି କି ଏଠାରେ ସେ ନା ଦିନର ସୂର୍ଯ୍ୟକିରଣ ନା ରାତିର ଚନ୍ଦ୍ର ଦେଖିପାରୁଛନ୍ତି । ଏହାସହ ଚିଠି ମାଧ୍ୟମରେ ସେ ତମାମ ତାମିଲ ସମୁଦାୟକୁ ଏହା ବିରୋଧରେ ସ୍ୱର ଉର୍ତ୍ତୋଳନ କରିବାକୁ ଆହ୍ୱାନ ଦେଇଛନ୍ତି । ଯାହା ଫଳରେ ସେ ନିଜ ଦେଶକୁ ଫେରି ପାରିବେ ।

ଏହାସହ ଏମ.ଟି ମନ୍ଥନ ଓରଫ ଟି.ସୁଥେଥିଶରାଜ କହିଛନ୍ତି ଯେ, ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ଚିଠି ଲେଖି ତାଙ୍କୁ ସ୍ୱଦେଶ ଫେରାଇ ଦେବାକୁ ନିବେଦନ କରିଛନ୍ତି   । ଏହାସହ ସେ ଜେଲ ଅଧିକାରୀଙ୍କ ନିକଟରେ ନିବେଦନ କରିଛନ୍ତି କି, ତାଙ୍କୁ ଚେନ୍ନାଇ ସ୍ଥିତ ଶ୍ରୀଲଙ୍କା ଡେପୁଟୀ ହାଇକମିଶନ ଅଫିସକୁ ଯିବାକୁ ସୁଯୋଗ ମିଳୁ । ସେଠାରେ ସେ ନିଜର ପାସପୋର୍ଟ ରିନ୍ୟୁ କରିବାକୁ ଚାହାଁନ୍ତି ।

ଏହି ଚିଠିରେ ସେ ଲେଖିଛନ୍ତି ଯେ, ୩୨ ବର୍ଷ ହେବ ସେ ତାଙ୍କ ମା’ଙ୍କୁ ଦେଖିନାହାଁନ୍ତି । ଏହାସହ ମା’ଙ୍କର ଏଭଳି ସମୟରେ ସେ ତାଙ୍କ ମାଙ୍କୁ ସହାୟତା କରିପାରୁନଥିବାରୁ ନିଜକୁ ଦୋଷୀ ମନେକରୁଛନ୍ତି । ଏହାସହ ଫୋନ ମାଧ୍ୟମରେ ଘର ଲୋକଙ୍କ ସହ କଥା ହେବାକୁ ଅନୁମତି ମିଳୁନଥିବାରୁ ସେ ଦୁଃଖ ପ୍ରକାଶ କରିଛନ୍ତି ।