୬୭ତମ ଜାତୀୟ ଚଳଚ୍ଚିତ୍ର ସମ୍ମାନ ବିତରଣ ଉତ୍ସବ । ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ହାତେଇଲେ କଙ୍ଗନା ରଣାୱତ । ରଜନୀକାନ୍ତଙ୍କୁ ମିଳିଲା ଦାଦା ସାହେବ ଫାଲକେ ଆୱାର୍ଡ ।

79

କନକ ବ୍ୟୁରୋ: ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ହୋଇ ଯାଇଛି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିତରଣ ଉତ୍ସବ । ଉପ-ରାଷ୍ଟ୍ରପତି ଭେଙ୍କୟା ନାଇଡୁ ଏବଂ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଅନୁରାଗ ଠାକୁର ମନୋନୀତ କଳାକାରଙ୍କୁ ଜାତୀୟ ସମ୍ମାନରେ ସମ୍ମାନିତ କରିଛନ୍ତି । ମଣିକର୍ଣ୍ଣିକା ଚଳଚିତ୍ର ପାଇଁ ଅଭିନେତ୍ରୀ କଙ୍ଗନାଙ୍କୁ ମିଳିଛି ଶ୍ରେଷ୍ଠ ଅଭିନେତ୍ରୀର ପୁରସ୍କାର । କଙ୍ଗନା ଚତୁର୍ଥ ଥର ପାଇଁ ନ୍ୟାସନାଲ ଆୱାର୍ଡ ବିଜେତା ହୋଇପାରିଛନ୍ତି ।

ସେହିପରି ଭାରତୀୟ ଫିଲ୍ମ ଜଗତର ବଳିଷ୍ଠ କଳାକାର ମନୋଜ ବାଜପେୟୀଙ୍କୁ ଭୋଁସଲେ ଫିଲ୍ମ ପାଇଁ ଶ୍ରେଷ୍ଠ ଅଭିନେତାର ପୁରସ୍କାର ମିଳିଛି । ସେହିପରି ତାମିଲ ଷ୍ଟାର ଧନୁଷ ମଧ୍ୟ ଅସୁରନ ଚଳଚିତ୍ରରେ ବଳିଷ୍ଠ ଅଭିନୟ ପାଇଁ ଶ୍ରେଷ୍ଠ ଅଭିନେତାର ଆୱାର୍ଡ ହାତେଇଛନ୍ତି ।

ଭାରତୀୟ ଫିଲ୍ମ ଜଗତକୁ ୭୦ ଦଶକରୁ ନିଜ ଅଭିନୟର ଜାଦୁଗରୀରେ ବାନ୍ଧିରଖିଥିବା ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କୁ ଦାଦା ସାହେବ ଫାଲକେ ସମ୍ମାନରେ ସମ୍ମାନୀତ କରାଯାଇଛି । ବର୍ଷ ବର୍ଷ ଧରି ନିଜର ସ୍ୱତନ୍ତ୍ର ଅଭିନୟ ପାଇଁ ଦର୍ଶକଙ୍କୁ ମନୋରଂଜନ ଯୋଗାଇ ଆସୁଛନ୍ତି ରଜନୀକାନ୍ତ । ଶିବାଜୀ, ରୋବୋର୍ଟ, ଚାଲବାଜ, ତ୍ୟାଗୀ ଭଳି ଚଳଚିତ୍ର ଜରିଆରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ବେଶ ଲୋକପ୍ରିୟ ଥଲାଇବା । ନିଜର ଲୁକ ଆଉ ଡାଏଲଗକୁ ନେଇ ସବୁବେଳେ ଚର୍ଚାରେ ରହନ୍ତି ରଜନୀକାନ୍ତ । ତେବେ ସମ୍ମାନ ଗ୍ରହଣ ଅବସରରେ ରଜନୀକାନ୍ତଙ୍କ ପତ୍ନୀ ଓ ଝିଅ ମଧ୍ୟ ଉପସ୍ଥିତ ଥିଲେ । ସେହିପରି ସୁଶାନ୍ତ ସିଂ ରାଜପୁତଙ୍କ ଅଭିନୀତ “ଛିଚୋରେ” ମୁଭିକୁ ବେଷ୍ଟ ହିନ୍ଦୀ ସିନେମା ଆୱାର୍ଡ ମିଳିଛି । କରୋନା କାରଣରୁ ଦୀର୍ଘ ୨ ବର୍ଷ ଧରି ଏହି ପୁରସ୍କାର ବିତରଣ ଉତ୍ସବ ଆୟୋଜନ କରାଯାଇନଥିଲା । ସମସ୍ତ ପୁରଷ୍କାର ବିଜେତାଙ୍କୁ ସୋସିଆଲ ମିଡିଆରେ ପ୍ରଶଂସକ ମାନେ ଏବଂ ଚଳଚିତ୍ରପ୍ରେମୀମାନେ ଅଭିନନ୍ଦନ ଜଣାଇଛନ୍ତି ।