ମମତା କ୍ୟାବିନେଟରୁ ଇସ୍ତଫା ଦେଲେ ଆଉ ଜଣେ ମନ୍ତ୍ରୀ । ବନ ବିଭାଗର ମନ୍ତ୍ରୀ ରାଜୀବ ବାନାର୍ଜୀଙ୍କ ଇସ୍ତଫା । ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା

214

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଯେତିକି ପାଖେଇ ପାଖେଇ ଆସୁଛି ତୃଣମୂଳ କଂଗ୍ରେସରୁ ନେତାମାନଙ୍କର ଇସ୍ତଫା ମଧ୍ୟ ସେତିକି ବଢି ବଢିଚାଲିଛି । ଯାହାକି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଶୁକ୍ରବାର ମମତା ସରକାରରେ ମନ୍ତ୍ରୀ ଥିବା ଆଉ ଜଣେ ନେତା ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି । କୁହାଯାଉଛି ଯେ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଏହି ନେତା ଜଣକ ଖୁବଶୀଘ୍ର ବିଜେପିରେ ସାମିଲ ହୋଇପାରନ୍ତି ।

ମମତା କ୍ୟାବିନେଟରେ ବନ ବିଭାଗର ମନ୍ତ୍ରୀ ଥିବା ରାଜୀବ ବାନାର୍ଜୀ ଆଜି ନିଜର ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି । ଏନେଇ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖି ଜଣାଇଦେଇଛନ୍ତି । ଏପଟେ ଖୁବଶୀଘ୍ର ରାଜୀବ ବାନାର୍ଜୀ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଥିଲେ ମଧ୍ୟ ସେ ଏପର୍ଯ୍ୟନ୍ତ ତୃଣମୂଳ କଂଗ୍ରେସରୁ ବିଧିବଦ୍ଧ ଭାବେ ଇସ୍ତଫା ଦେଇନାହାନ୍ତି ।

ଗତ କିଛି ଦିନ ଧରି ରାଜୀବ ବାନାର୍ଜୀ ରାଜ୍ୟ କ୍ୟାବିନେଟର କୌଣସି ବୈଠକରେ ସାମିଲ ହେଉନଥିଲେ । ଯାହାପରେ ଦଳ ସହ ତାଙ୍କର ଅସନ୍ତୋଷ ଥିବା ନେଇ ଖବର ପ୍ରକାଶ ପାଇଥିଲା । ଆଜି ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସେ ବିଜେପିରେ ସାମିଲ ହେବା ଚର୍ଚ୍ଚା ପୁଣି ଆଗକୁ ଆସିଛି ।

ସୂଚନାଯୋଗ୍ୟ, ତୃଣମୂଳ କଂଗ୍ରେସରୁ ଶୁଭେନ୍ଦୁ ଅଧିକାରୀ ଇସ୍ତଫା ଦେବା ପରେ ଏବେ ଏକାଧିକ ବିଧାୟକ ଓ ମନ୍ତ୍ରୀ ଟିଏମସିକୁ ବାଏ ବାଏ କହିସାରିଲେଣି । ଆଗକୁ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ମମତାଙ୍କ ପାଇଁ ଏହା ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।