ରାଜଗାଙ୍ଗପୁର ରାଜଗାଦିରେ ବସିବ କିଏ ? ଆପଣଙ୍କ ମତରେ କାହାକୁ ମିଳିବ ଟିକେଟ ଓ କିଏ ମାରିବ ବାଜି ?

297

କନକ ବ୍ୟୁରୋ : ଉଷ୍ମ ହେଉଛି ରାଜଗାଙ୍ଗପୁର ରାଜନୀତି । ଗୋଟିଏ ପଟେ ବିଜେଡି ପୁଣିଥରେ ଏହି ଆସନ ଦଖଲ କରିବାକୁ ଅଙ୍କ କଷୁଥିବା ବେଳେ କଂଗ୍ରେସ ୫ ବର୍ଷର ବନବାସ ପରେ ନିଜ ଗଡକୁ କମବ୍ୟାକ୍ କରିବାକୁ ଲକ୍ଷ୍ୟ ରଖିଛି । ସେହିଭଳି ବିଜେପି ଏଠାରେ ଗେରୁଆ ବାନା ଉଡାଇବାକୁ ତୃଣମୂଳସ୍ତରରୁ ଉଦ୍ୟମ ଆରମ୍ଭ କରିଛି । କିନ୍ତୁ ରାଜଗାଙ୍ଗପୁର ରାଜନୀତିରେ କାହାର ରାଜତିଳକ ହେଉଛି ତାହା ଉପରେ ସମସ୍ତଙ୍କର ନଜର ରହିଛି ।

ଆଦିବାସୀ ନେତା ମଙ୍ଗଳା କିସାନ ରାଜଗାଙ୍ଗପୁର ନିର୍ବାଚନମଣ୍ଡଳୀରୁ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ଉଭୟ ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ସେ ବହୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ତୁଲାଇଛନ୍ତି । ୨୦୧୯ ନିର୍ବାଚନରେ ମଙ୍ଗଳାଙ୍କୁ ଟିକେଟ୍ ମିଳିବ ନା ଅନ୍ୟ କାହାକୁ ଟିକେଟ୍ ଦିଆଯିବ, ସେ ନେଇ ଏବେ ସମଗ୍ର ଜିଲ୍ଲାରେ ଚର୍ଚ୍ଚା । ବୟସାଧିକ ସତ୍ତ୍ବେ ମଙ୍ଗଳା ସମ୍ପୂର୍ଣ୍ଣ ଚଳଚଞ୍ଚଳ । ତଥାପି, ଏଥର ତାଙ୍କୁ ନୁହେଁ ତାଙ୍କର ଜଣେ ଉତ୍ତରାଧିକାରୀଙ୍କୁ ବିଜେଡି ଟିକେଟ୍ ମିଳିପାରେ ବୋଲି ଆଲୋଚନା ହେଉଛି।

ଭୁବନେଶ୍ବରରେ ସରକାରୀ ଚାକିରି କରିଥିବା ତାଙ୍କର ପୁଅଙ୍କୁ ଏଥର ଟିକଟ୍ ମିଳିବ ବୋଲି କୁହାଯାଉଥିଲେ ବି ତୃଣମୂଳସ୍ତରରେ ସେଭଳି କିଛି ଦୃଶ୍ୟ ଦେଖିବାକୁ ମିଳିନାହିଁ । ଗତ ୨୦୧୪ ନିର୍ବାଚନରେ ରାଜ୍ୟରେ ବିଜେଡିର ବରିଷ୍ଠ ନେତାଙ୍କ ଉତ୍ତରାଧିକାରୀମାନଙ୍କୁ ଟିକେଟ୍ ଦେବା ପାଇଁ ଯେଉଁ ଯୋଜନା ହୋଇଥିଲା, ସେଥିରେ ମଙ୍ଗଳାଙ୍କ ସ୍ଥାନରେ ତାଙ୍କ ପୁଅ ନାମ ଥିଲା । କିନ୍ତୁ ଶେଷମୁହୂର୍ତ୍ତରେ ମଙ୍ଗଳା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିଜେ ଟିକେଟ୍ ନେଇଥିଲେ। ବାପ-ପୁଅଙ୍କ ମଧ୍ୟରେ ଟିକେଟ୍ ପାଇଁ କୌଣସି ରାଜନୈତିକ ଲଢେଇ ନଥିଲେ ବି ମଙ୍ଗଳା ସବୁ ବେଳେ ନିଜ ପରିବାରକୁ ରାଜନୀତିରୁ ଦୂରେଇ ରଖୁଥିବାରୁ ପୁଣିଥରେ ସେ ଟିକେଟ ଆଶାରେ ଥିବା ଚର୍ଚ୍ଚା ହେଉଛି ।

କୌଣସି କାରଣବସତଃ ଯଦି ମଙ୍ଗଳା କିମ୍ବା ତାଙ୍କର ପୁଅକୁ ଟିକେଟ୍ ନ ମିଳେ, ତେବେ ରାଜଗାଙ୍ଗପୁର ଆସନ ପାଇଁ ଏଥର ଟିକେଟ୍ ଦୌଡ଼ରେ ଲାଠିକଟା ବ୍ଲକ୍ ଜିଲ୍ଲା ପରିଷଦ ସଭ୍ୟ ମହେଶ ନାଗ, ବିଜେଡି ଯୁବ ନେତା ତଥା ପୂର୍ବରୁ ନିର୍ବାଚନ ଲଢିଥିବା ବେନେଡିକ୍ଟ ତିର୍କୀ ଓ ସରକାରୀ ପଦାଧିକାରୀ ରୁନୁ ଲାକ୍ରା ରହିଛନ୍ତି । ତେବେ ମଙ୍ଗଳା ନିର୍ଦିଷ୍ଟ କେତେ ଲୋକଙ୍କ ଦ୍ବାରା ପରିଚାଳିତ ହେବା, ରାଜଗାଙ୍ଗପୁରରେ ପଥର ଗାଢା ଓ ଜର୍ଜ ତିର୍କୀଙ୍କ ପ୍ରଭାବକୁ ରୋକିବାରେ ବିଫଳ ହୋଇଥିବା ଦର୍ଶାଇ ତାଙ୍କ ଟିକେଟ୍ କାଟିବାକୁ ବିଜେଡିର ଏକ ନିର୍ଦିଷ୍ଟ ଗୋଷ୍ଠୀ ଉଦ୍ୟମ କରୁଥିବା କୁହାଯାଉଛି ।

ଗତ ବିଧାନସଭା ନିର୍ବାଚନ ଫଳାଫଳକୁ ସମୀକ୍ଷା କଲେ ଏଠାରେ ଦ୍ବିତୀୟ ସ୍ଥାନରେ କଂଗ୍ରେସ ରହିଥିଲା । ପୂର୍ବରୁ ଦୁଇଥର ବିଧାୟକ ଥିବା ଗ୍ରିଗୋରୀ ମିଞ୍ଜ ଏଠାରେ ବିଜେଡି ଠାରୁ ବଡ ବ୍ୟବଧାନରେ ପରାସ୍ତ ହୋଇଥିଲେ । ଏହାସତ୍ତେ୍ୱ ମଧ୍ୟ କଂଗ୍ରେସ ଆଜି ସିଇସି କମିଟିକୁ ପଠାଇଥିବା ପ୍ରାର୍ଥୀ ତାଲିକାରେ ଗ୍ରିଗୋରୀଙ୍କ ସହ ରାଜନ ଏକ୍କାଙ୍କ ନାଁ ରହିଛି । ତେବେ କଂଗ୍ରେସ ଟିକେଟରେ ଏଠାରୁ କିଏ ଲଢିବ ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ଆସନ୍ତା ସପ୍ତାହରେ ଏହି ସସପେନ୍ସ ଉପରୁ ପରଦା ଉଠିବ ।

ଏହାଛଡା ନିକଟରେ କଂଗ୍ରେସର ହାତ ଧରିଛନ୍ତି ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କୀ । ଯେହେତୁ ଜର୍ଜଙ୍କର ରାଜଗାଙ୍ଗପୁର ଆସନରେ ଯଥେଷ୍ଟ ପ୍ରଭାବ ରହିଛି ତେଣୁ କଂଗ୍ରେସ ଏଠାରେ ଫାଇଦାରେ ରହିବ ବୋଲି ଚର୍ଚ୍ଚା ହେଉଛି । ତେବେ ସମ୍ଭାବ୍ୟ ପ୍ରାର୍ଥୀ ତାଲିକାରେ ରାଜନ ଏକ୍କାଙ୍କ ନାଁ ରହିଥିବାରୁ ଏଠାରେ କଂଗ୍ରେସ ଟିକେଟ ପାଇବା ପାଇଁ ବଡ କସରତ ହେବ ।

ରାଜଗାଙ୍ଗପୁର ବିଧାନସଭା କ୍ଷେତ୍ରରେ ଏପର୍ଯ୍ୟନ୍ତ ବିଜେପି ସଫଳ ହୋଇନାହିଁ। ବାରମ୍ବାର ଏଠାରେ ପରାଜୟ ବରଣ କରି ଆସିଥିବା ବିଜେପି ଚଳିତଥର ଏଥିରେ ବ୍ରେକ ଲଗାଇବାକୁ ରଣନୀତି କରୁଛି । ବିଜେପି ଟିକେଟ ଦୌଡରେ ଉପନ୍ଦ୍ରେ ପ୍ରଧାନଙ୍କ ସମେତ ଲାଇଙ୍ଗ ସରପଞ୍ଜ ନରସିଂହ ମିଞ୍ଜ, ଜିଲ୍ଲା ପରିଷଦ ସଭ୍ୟ ସୁରେନ୍ଦ୍ର ଦେହୁରୀଙ୍କ ନାଁ ଆଗରେ ରହିଛି । ତେବେ ଏହି ଆସନରେ ଟିକେଟ ବଣ୍ଟନରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ନିଣ୍ଣାୟ ଭୂମିକା ରହିବ ।

ଏହି ଆସନରେ ସବୁଠୁ ବଡ ଗେମଚେଞ୍ଜର ଭାବେ ଉଭା ହୋଇପାରେ ଜେଏମଏମ । ଏଠାରେ ଜେଏମଏମର ବଡ ଭୋଟ ବ୍ୟାଙ୍କ ରହିଛି ଯାହା କୌଣସି ପ୍ରାର୍ଥୀଙ୍କୁ ଜିତାଇ ପାରିବ ତ ପୁଣି କାହାର ବିଧାୟକ ହେବା ଆଶାକୁ ଧୂଳିସାତ ମଧ୍ୟ କରିପାରିବ । ଜେଏମଏମ ପକ୍ଷରୁ ସୁଶୀଲ ଲାକ୍ରା ଓ ଆର୍ଥର ସୋରେଙ୍ଗ ପ୍ରମୁଖ ଦାବିଦାର ରହିଛନ୍ତି ରାଜଗାଙ୍ଗପୁର ମୈଦାନକୁ ଓହ୍ଲାଇବା ପାଇଁ । ଏଭଳି ଗୋଳିଆଘଣ୍ଟା ରାଜନୀତି ମଧ୍ୟରେ ରାଜଗାଙ୍ଗପୁରରେ କାହାର ରାଜତିଳକ ହେବ ତାହା ଉପରେ ପୂରା ଜିଲ୍ଲାବାସୀଙ୍କ ନଜର ରହିଛି ।