ଆଦର୍ଶ ଯୁବଚାଷୀ ରାଜେଶ ସୋରେନ୍ । ବିନା ମେସିନ୍ ଏବଂ ବିନା ବିଦ୍ୟୁତ୍ ସଂଯୋଗରେ ତିଆରି କଲେ ପାଣି ପମ୍ପ ।

155

କନକ ବ୍ୟୁରୋ: କୁହାଯାଏ ଇଚ୍ଛାଥିଲେ ଉପାୟ ଆପେଆପେ ଆସେ । ଠିକ୍ ସେହିଭଳି ଜଣେ ଯୁବଚାଷୀଙ୍କ ଇଚ୍ଛାଶକ୍ତି ଓ ଦୃଢ଼ ମନୋବଳ ହିଁ ଅନ୍ୟ ମାନଙ୍କପାଇଁ ପ୍ରେରଣାର ଉତ୍ସ ସାଜିପାରିଛି । ଆଜିକାଲିର ଯୁବପିଢି ଚାକିରୀ ପଛରେ ପଡି ନିଜର ସମୟ ନଷ୍ଟ କରୁଥିବାବେଳେ ମୟୂରଭଞ୍ଜ ଜିଲ୍ଲାର ଜଣେ ଅଧା ଶିକ୍ଷିତ ଆଦିବାସୀ ଯୁବକ ଚାଷ ପ୍ରତି ମନ ବଳାଇ ନିଜର ଜ୍ଞାନ କୌଶଳ ବଳରେ ଚାଷ ଜମିରେ ପାଣି ଯୋଗାଇବା ପାଇଁ ବିନା ମେସିନ୍ ଏବଂ ବିନା ବିଦ୍ୟୁତ୍ ସଂଯୋଗରେ ଏକ ପାଣି ପମ୍ପ ତିଆରି କରିବା ନିଶ୍ଚିତ ଭାବରେ ଏକ ଆଶ୍ଚର୍ଯ୍ୟର କଥା ।

ବାରିପଦା ବ୍ଲକ୍ ସାନଡାକୋଇ ୨୬ ବର୍ଷୀୟ ଯୁବକ ରାଜେଶ୍ ସୋରେନ୍ । ଚାଷୀ ପରିବାରର ରାଜେଶ ଛୋଟ ବେଳୁ କିଛି କରି ନୂଆ କରିବାର ନିଶା ରଖିଥିଲେ । ଆର୍ଥିକ ସମସ୍ୟା ହେତୁ ବେଶି ପାଠ ପଢି ନପାରି ବାପା ଓ ଜେଜେ ବାପାଙ୍କୁ ଚାଷ କାମରେ ସହଯାଗ କରନ୍ତି ରାଜେଶ । ଚାଷ କାମ ପାଇଁ ଜଳ ସମସ୍ୟା ତାଙ୍କୁ ବିଚଳିତ କରି ପକାଇଲା । ପାଣି ସମସ୍ୟା ଦୂର କରିବା ପାଇଁ ରାସ୍ତା ଖୋଜି ବାହାର କଲେ ରାଜେଶ ଆଉ ତିଆରି କଲେ ବାମ୍ବୋ ପାଣି ପମ୍ପ ।

୪ଟି ବାଉଁଶ ଖୁଂଟ, ଏକ ପୁରୁଣା ସାଇକେଲ୍ ରିଂ, ପୁରୁଣା ଚପଲ, ଦୁଇଟି ପ୍ଲାଷ୍ଟିକ୍ ପାଇପ୍ ଏବଂ ୧୦-୧୨ ଫୁଟ୍ର ଏକ ଦୌଡି ସାହାଯ୍ୟରେ ବାମ୍ବୋ ପାଣି ପମ୍ପ ତିଆରି କରିଛନ୍ତି ଯୁବ ଚାଷୀ । ଆଉ ଏହି ପମ୍ପ ଯୋଗେ ବିନା ମେସିନ୍ ଏବଂ ବିନା ବିଦ୍ୟୁତ୍ ସଂଯୋଗରେ ଜମିରେ ମାଡୁଛି ପାଣି । ଏସବୁ ପାଇଁ ରାଜେଶଙ୍କୁ ସହଯୋଗ କରିଛନ୍ତି ମୟୂରବଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଓ.ଏ.ଏସ. ପ୍ରବେସନର ଭାବେ କାର୍ଯ୍ୟରତ ଥିବା ମଧୁସ୍ମିତା ସିଂ ।

ରାଜ୍ୟ ସରକାରଙ୍କ ପକ୍ଷରୁ ରାଜେଶଙ୍କ ପରିବାର ସଦସ୍ୟଙ୍କୁ “ନ୍ୟୁଟ୍ରି ଗାଡେନ୍” ପାଇଁ ସହାୟତା ମିଳିଛି । ବିଲାତି, ବାଇଗଣ, କଖାରୁ, ଭେଣ୍ଡି, ଶାଗ ଆଦି ଚାଷ କରି ଭଲ ଅମଳ କରୁଥିଲେ । କିନ୍ତୁ ପରେ ଜଳ ସମସ୍ୟା ପାଇଁ ଚାଷ କାମ ଅଟକି ଗଲା । ହେଲେ ଏବେ ବାମ୍ବୋ ପାଣି ପମ୍ପ ଉଦ୍ଭାବନ କରି ପୁଣି ଜମିରେ ସୁନ୍ଦର ସୁନ୍ଦର ଫୁଲ ଫୁଟାଇ ପାରିଛନ୍ତି ରାଜେଶ ।