ଅସହାୟଙ୍କ ଅନ୍ନଦାତା ରାଜେଶ : ୧୮ ବର୍ଷ ଧରି ଅସହାୟଙ୍କୁ ଖାଦ୍ୟ ଖୁଆଉଛନ୍ତି ରାଜେଶ । ହୋଟେଲ୍ , ମନ୍ଦିରରୁ ବଳକା ଖାଦ୍ୟ ଆଣି ଅସହାୟଙ୍କ ମଧ୍ୟରେ ବାଣ୍ଟନ୍ତି ଏହି ବଦାନ୍ୟ ବ୍ୟକ୍ତି ।

301

ନୂଆପଡ଼ା : ପ୍ରାୟ ୧୮ ବର୍ଷ ହେବ ଖରା,ବର୍ଷା, ଶୀତରେ ମାନସିକ ବିକାରଗ୍ରସ୍ତ, ଭିନ୍ନକ୍ଷମ, ଭିକାରି ଓ ଅସହାୟ ମଣିଷଙ୍କୁ ଭୋଜନ ଯୋଗାଉଛନ୍ତି ଜଣେ ବ୍ୟକ୍ତି । ଏହି ବ୍ୟକ୍ତି ଜଣକ ହେଉଛନ୍ତି ନୂଆପଡା ଜିଲ୍ଲା ଖଡ଼ିଆଳ ସଦର ଲାଲସାହେବ ପଡ଼ାର ରାଜେଶ କୁମାର ପୋଡ଼। ଆଜିକୁ ୧୮ ବର୍ଷ ତଳେ ଦିନେ ରାଜେଶ ଖଡ଼ିଆଳ ସହରରେ ବୁଲୁଥିବା ବେଳେ ଏକ ଦୁଃଖଦ ଦୃଶ୍ୟ ତାଙ୍କ ଆଖିରେ ପଡ଼ିଥିଲା । ଭୋକ ବିକଳରେ ଜଣେ ପାଗଳ ଅଳିଆ ଗଦାରୁ ଖାଦ୍ୟର ସନ୍ଧାନ କରୁଥିଲେ । ଅଳିଆରୁ ମୁଠାଏ ଭାତ ଆଣି ଭୋକର ଜ୍ୱାଳା ମେଣ୍ଟାଇଥିଲେ। ଏହି ଦୃଶ୍ୟ ରାଜେଶଙ୍କୁ ବିଚଳିତ କରିଥିଲା । ସେହିଦିନ ରାଜେଶ ନିଜ ଘରୁ କିଛି ଭାତ ଡାଲି ତରକାରି ଧରି ସେ ପାଗଳକୁ ଖୋଜିବାକୁ ଲାଗିଲେ । ତାକୁ ଭେଟି ଖାଇବାକୁ ଦେଲେ । ମନରେ ଆନନ୍ଦ ପାଇଲେ । କିଛି ଦିନ ନିଜ ଘରୁ ଖାଦ୍ୟ ନେଇ ପାଗଳପାଗଳୀମାନଙ୍କୁ ଖାଇବାକୁ ଦେଲେ। ଏବେ ସେ ଖଡ଼ିଆଳର କେତେକ ମନ୍ଦିର, ହୋଟେଲ ଓ କେତେ ଜଣ ବଦାନ୍ୟ ବ୍ୟକ୍ତିଙ୍କ ଘରକୁ ଯାଇ ବଳକା ଖାଦ୍ୟ ସଂଗ୍ରହ କରି ତାକୁ ଧରି ମାନସିକ ବିକାରଗ୍ରସ୍ତ, ଭିନ୍ନକ୍ଷମ, ଭିକାରି ଓ ଅସହାୟ ମଣିଷଙ୍କୁ ଖୋଜି ଖୋଜି ଖାଇବାକୁ ଦେଉଛନ୍ତି ।

ଖଡ଼ିଆଳ ଲାଲସାହେବ ପଡ଼ାର ରାଜେଶ କୁମାର ପୋଡ଼ଙ୍କ ପରିବାର କହିଲେ ପତ୍ନୀ ହରିପ୍ରିୟା , ପୁଅ ଓ ଝିଅ । ରୋଜଗାର କହିଲେ, ଖଡ଼ିଆଳରେ ତାଙ୍କର ଏକ ଛୋଟ ପାଥୋଲୋଜି କ୍ଲିନିକ୍ ଅଛି। ସକାଳୁ ୧୨ଟା ଯାଏ ପାଥୋଲୋଜି ଖୋଲନ୍ତି । ପରେ ସାଇକେଲ ଧରି ବାହାରି ଯା’ନ୍ତି ଖାଦ୍ୟ ସଂଗ୍ରହ ପାଇଁ। ସାଇକେଲରେ ୩/୪ଟି ବେଗ୍ ନେଇ ଖଡ଼ିଆଳ ସହର ଘରକୁ ଘର ବୁଲି, ହୋଟେଲ ଓ ମନ୍ଦିରମାନଙ୍କୁ ଯାଇ ବଳକା ଖାଦ୍ୟ ନଷ୍ଟ ନ କରିବାକୁ ଲୋକଙ୍କୁ ଅନୁରୋଧ କରନ୍ତି। ଖରା ହେଉ କି ବର୍ଷା, ଶୀତ ହେଉକି ଝଡ଼ ତୋଫାନ ରାଜେଶଙ୍କ ପଥ ଅଟକାଇ ପାରନ୍ତି ନାହିଁ କେହି। ଏବେ ମଧ୍ୟ ଖଡ଼ିଆଳ ସହରରେ ଥିବା ୧୦/୧୫ ଜଣ ପାଗଳପାଗଳୀ, ଭିନ୍ନକ୍ଷମ ଓ ଅସହାୟଙ୍କୁ ମାଗଣା ଭୋଜନ ଯୋଗାଇ ଆସୁଛନ୍ତି ସେ । ତାଙ୍କ ସ୍ତ୍ରୀ ହରିପ୍ରିୟା ମଧ୍ୟ ରାଜେଶଙ୍କ କାମକୁ ପ୍ରଶଂସା କରୁଥିବା ବେଳେ କେବେ କେବେ ସେ ମଧ୍ୟ ଭୋଜନ ସଂଗ୍ରହ ଓ ଖାଦ୍ୟ ବିତରଣରେ ସହଯୋଗ କରନ୍ତି । ରାଜେଶ କହନ୍ତି ଯେ ତାଙ୍କୁ ଭୋକିଲା ମଣିଷକୁ ଖାଦ୍ୟ ଦେବାରେ ଆନନ୍ଦ ମିଳେ , କୋଟିଏ ଟଙ୍କା ପାଇଲା ପରି ଅନୁଭବ ହୁଏ। ଆଜୀବନ ଏହି ସେବା ଜାରି ରହିବ ବୋଲି ସେ କହିଛନ୍ତି ।