ରାଜଧାନୀ ଏକ୍ସପ୍ରେସରେ ଦେଖିବାକୁ ମିଳିବ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟର ଝଲକ । ପୂର୍ବତଟ ରେଳପଥ ଓ ନାଲକୋ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ, ଗୋଟିଏ ମାସ ମଧ୍ୟରେ ସରିବ କାମ ।

361

କନକ ବ୍ୟୁରୋ : ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟରେ ଝଲସି ଉଠିବ ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ । ଏଥିପାଇଁ ପୂର୍ବତଟ ରେଳପଥ ଏବଂ ନାଲକୋ ମଧ୍ୟରେ ଆଜି ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଓଡିଶାର ନୃତ୍ୟ ଶୈଳୀ, ପ୍ରତ୍ନତତ୍ୱ ପ୍ରାଚୀନ କୀର୍ତ୍ତି ଏବଂ ଜଙ୍ଗଲ ପରିବେଶ ଓ ଜୀବଜନ୍ତୁ ଗୁଡିକୁ ନେଇ ତିନିଟି ବିଷୟ ବସ୍ତୁ ଉପରେ ଡିଜାଇନ ଗୁଡିକ ତିଆରି ହୋଇଛି । ଓଡ଼ିଶାର କଳା ଓ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ସହିତ ପର୍ୟ୍ୟଟନର ସମ୍ଭାବ୍ୟ ବିକାଶକୁ ପ୍ରୋତ୍ସାହନ କରିବା ଦିଗରେ ଏହା ପ୍ରମୁଖ ଭୂମିକା ନେବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି ।

ଏହି ଡିଜାଇନ ଗୁଡିକ ଟ୍ରେନ ଝରକାଗ୍ଲାସ ଗୁଡିକର ମଧ୍ୟବର୍ତ୍ତୀ ସ୍ଥାନମାନଙ୍କରେ ଲଗାଯିବା ସହିତ ଏହାର ଉପରେ ଓ ତଳେ ଦୁଇଟି ଷ୍ଟ୍ରିପରେ ବିଭିନ୍ନ ଛବି ସହ ପାରମ୍ପରିକ ପଟ୍ଟଚିତ୍ରର ଛବି ସ୍ଥାନ ପାଇବ । ରାଜଧାନୀ ଏକ୍ସପ୍ରେସର ସମୁଦାୟ ୩ଟି ରେକ ଅଛି । ପ୍ରତ୍ୟେକଟି ରେକରେ ପ୍ରାୟ ୧୫ଟି କୋଚ ରହିଛି । ପ୍ରତିଟି ରେକ ପାଇଁ ଏକ କୋଟି ବାବଦରେ ନାଲକୋ ୩ଟି କୋଚ ପାଇଁ ସମୁଦାୟ ୩ କୋଟି ଟଙ୍କା ବିଜ୍ଞାପନ ବାବଦରେ ପୂର୍ବତଟ ରେଳପଥକୁ ଦେବ । ଗୋଟିଏ ମାସ ମଧ୍ୟରେ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ ।