ପୁଅର ଜୀବନ ବଞ୍ଚାଇବାକୁ ହାତଯୋଡି ନେହୁରା ହେଲେ ରାଜବୀରଙ୍କ ମା’। ଇଞ୍ଜେକସନ୍ ପାଇଁ ଦରକାର ୧୬ କୋଟି ଟଙ୍କା

325

କନକ ବ୍ୟୁରୋ: ଜୀବନ ମୃତ୍ୟୁ ଭିତରେ ୨ରୁ୩ ମାସର ଅନ୍ତର । ସ୍ପାଇନଲ ମସକୁଲାର ଆଟ୍ରୋଫି ରୋଗରେ ରାହା ଧରି କାନ୍ଦୁଛି କୁନି ରାଜବୀର। ବୟସ ମାତ୍ର ୨୦ ମାସ ହେଲେ ତା ଦେହର ରୋଗକୁ ହରାଇବା ପାଇଁ ଦରକାର ୧୬ କୋଟି ଟଙ୍କାର ଇଞ୍ଜେକସନ। ତେଣୁ ରାଜବୀରର ବାପା-ମା ଏହି ଟଙ୍କା ଯୋଗାଡକରିବାରେ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି। ସେଥିପାଇଁ ଏବେ ପୁଅ ପାଇଁ ପୁଣିଥରେ କନ୍ଧମାଳ ଜିଲ୍ଲାପାଳଙ୍କୁ ଭେଟି ସହାୟତା ଲୋଡିଛନ୍ତି।

କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ଆମ୍ବପଡାର କୁଳମଣି ରଣା ଓ ତମଲିକା ଦାସଙ୍କ ଏକ ମାତ୍ର ପୁଅ ରାଜବୀର। ଦେଢ଼ ବର୍ଷର ଶିଶୁ ଦେହରେ ଅତି ବିରଳ ରୋଗ ଦେଖାଦେଇଛି। ରାଜବୀର ଆଉ ମୃତ୍ୟୁ ମଧ୍ୟରେ ମାତ୍ର ୨ରୁ ୩ ମାସ ଅନ୍ତର ବୋଲି ଡାକ୍ତର କହିସାରିଲେଣି। କୁନି ରାଜବୀରକୁ ବଞ୍ଚାଇବାକୁ ହେଲେ ପୃଥିବୀର ସବୁଠାରୁ ଦାମୀ ‘ଜୋଲଗେନ୍ସମା ଇଂଜେକ୍ସନ’ ଦରକାର। ଯେଉଁଥିପାଇଁ ଉଭୟ ବାପା ମା ଓଡ଼ିଶାରୁ ଦିଲ୍ଲୀ ସବୁଠି ସହାୟତା ପାଇଁ ଆକୁଳ ନିବେଦନ କରିଛନ୍ତି।

କେବେ ମୁଖ୍ୟମନ୍ତ୍ରୀ, କେବେ ଜିଲ୍ଲାପାଳ ଆଉ କେବେ ସୋସିଆଲ ମିଡ଼ିଆ ପୁଅଟିକୁ ବଞ୍ଚାଇବା ପାଇଁ ଜଣେ ମାଆ କେତେ ନେହୁରା ହୋଇପାରେ ତାହା ରାଜବୀରଙ୍କ ଜନ୍ମଦାତ୍ରୀଙ୍କ କାକୁତି ମିନତୀରୁ ହିଁ ଦେଖି ହେଉଛି… କନ୍ଧମାଳ ଜିଲ୍ଲାପାଳ ତାଙ୍କୁ ୫୦ ହଜାର ଟଙ୍କା ସହାୟତା ଦେବା ସହ ରାଜବୀରର ଚିକିତ୍ସା ପାଇଁ ସରକାରଙ୍କୁ ସୁପାରିଶ କରିଥିବା କହିଛନ୍ତି।  ଏପଟେ ରାଜବୀର ଦେହ ଦିନକୁ ଦିନ ଅଧିକ ବିଗିଡ଼ିବାରେ ଲାଗିଥିବା ବେଳେ ପୁଣି ବାପା ମା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆକୁଳ ନିବେଦନ କରିଛନ୍ତି। ସେପଟେ ରାଜବୀର ଜୀବନ ପାଇଁ ଅନେକ ସ୍ବେଚ୍ଛାସେବୀ ସଂଗଠନ ଦୁଆର ଦୁଆର ବୁଲି ବୁଲି ଟଙ୍କା ଆଦାୟ କରିବାରେ ମଧ୍ୟ ଲାଗିଛନ୍ତି  । ବିଭିନ୍ନ କ୍ରାଉଡ ଫଣ୍ଡିଂ ସଂସ୍ଥା ତଥା ବ୍ୟକ୍ତିଗତ ସ୍ତରରେ ଲକ୍ଷାଧିକ ଟଙ୍କା ଯୋଗାଡ ହୋଇଥିଲେ ବି ତାହା ସମୁଦ୍ରକୁ ଶଙ୍ଖେ ଭଳି ।

ତେବେ ଓଡ଼ିଶାର ବଡ଼ ମେଡିକାଲରୁ, କ୍ୟାପିଟାଲ ହସ୍ପିଟାଲ ସବୁଠି ନିରାଶ ହୋଇ ଫେରିବା ପରେ ଏବେ ପୁଅକୁ କେବଳ ଦରକାର୧୬ କୋଟିର ଇଂଜେକସନ। ପୁଅର ଜୀବନ ବଞ୍ଚାଇବା ପାଇଁ ମା’ ଆଖିରୁ ଲୁହ ଶୁଖୁନି । କୋଳରେ ରୋଗୀଣା ପୁଅକୁ ଧରି ତା’ ଜୀବନ ପାଇଁ ମାଆ ସରକାରଙ୍କୁ ଭିକ ମାଗିଚାଲିଛି। ଜଣେ ମାଆର ବିଶ୍ୱାସ ଅଛି ଏ ଖବର ମୁଖ୍ୟମନ୍ତ୍ରୀ ଚାହିଁଲେ ରାଜବୀର ନୂଆ ଜୀବନ ପାଇବ। ପୁଣି ତାଙ୍କ କୋଳରେ ଖେଳି ହସି ଉଠିବ ବୋଲି ଆଶା ରଖିଛନ୍ତି ରାଜବୀରଙ୍କ ବାପା ମା ।