ସହଧର୍ମିଣୀଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଅବସରପ୍ରାପ୍ତ ଅଧ୍ୟାପକଙ୍କ ନିଆରା ଯାତ୍ରା ! ସ୍କୁଲରୁ ବିଦାୟ ନେଇ ପତ୍ନୀ ଏବଂ ନାତିଙ୍କ ସହ ହେଲିକ୍ୟାପ୍ଟରରେ ବସି ପହଁଚିଲେ ଗାଁ ।

138

ନିଜ ସହଧର୍ମିଣୀଙ୍କୁ ଖୁସି କରିବା ଏବଂ ତାଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ଜଣେ ଅବସରପ୍ରାପ୍ତ ଅଧ୍ୟାପକଙ୍କ ହେଲିକ୍ୟାପ୍ଟର ଯାତ୍ରା ଏବେ ଖୁବ୍ ଚର୍ଚ୍ଚାରେ ରହିଛି । ରାଜସ୍ଥାନର ଅଲବର ଜିଲ୍ଲାରେ ଜଣେ ଅଧ୍ୟାପକ ଶନିବାର ଅବସର ଗ୍ରହଣ କରିବା ପରେ ନିଜ ପତ୍ନୀଙ୍କୁ ନେଇ ହେଲିକ୍ୟାପ୍ଟରରେ ଘରେ ପହଁଚିଥିଲେ । ଅଧ୍ୟାପକ ଜଣକ ଏହାକୁ ଆନନ୍ଦମୟୀ ଅନୁଭବ କହି ପତ୍ନୀଙ୍କ ଦୀର୍ଘଦିନର ସ୍ୱପ୍ନକୁ ପୂରଣ କରିଥିବା କଥା କହିଛନ୍ତି । ରାଜକୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସୋରାଇର ଅଧ୍ୟାପକ ରମେଶ୍ ଚନ୍ଦ୍ର ମିଣା ଶନିବାର କାର୍ଯ୍ୟରୁ ଅବସର ନେବା ପରେ ସ୍କୁଲରୁ ନିଜ ଗାଁ ମଲାବଲୀ (ଲକ୍ଷ୍ମଣଗଡ) ପର୍ଯ୍ୟନ୍ତ ଯିବା ପାଇଁ ହେଲିକ୍ୟାପ୍ଟର ବୁକ୍ କରିଥିଲେ । ସ୍କୁଲର ବିଦାୟ ନେବା ପରେ ସେ ନିଜ ପତ୍ନୀଙ୍କ ସୋମତୀ ମିଣା ଏବଂ ନାତି ଅଜୟଙ୍କ ସହ ହେଲିକ୍ୟାପ୍ଟରରେ ନିଜ ଗାଁରେ ପହଁଚିଥିଲେ । ତେବେ ରାଜସ୍ଥାନରେ ଏହି ଘଟଣା ପ୍ରଥମ ଯେଉଁଠି ଜଣେ ଅଧ୍ୟାପକ ଅବସର ପରେ ହେଲିକ୍ୟାପ୍ଟର ସାହାଯ୍ୟରେ ଘର ପହଁଚିଛନ୍ତି ।

ମିଣା ଏବଂ ତାଙ୍କ ପତ୍ନୀ ଥରେ ଛାତ ଉପରେ ବସିଥିବା ସମୟରେ ଆକାଶରେ ହେଲିକ୍ୟାପ୍ଟର ଯିବା ଦେଖି ପତ୍ନୀ ସେଥିରେ ଥରେ ବସିବାକୁ ଇଚ୍ଛା ପ୍ରକାଶ କରିଥିଲେ । ପତ୍ନୀଙ୍କ ଏହି ଇଚ୍ଛାକୁ ପୂରଣ କରିବା ପାଇଁ ଅଧ୍ୟାପକ ରମେଶ୍ ଅବସରପ୍ରାପ୍ତ ଦିନଟିକୁ ଚୟନ କରିଥିଲେ । ମିଣା ଦିଲ୍ଲୀର ଏକ ହେଲିକ୍ୟାପ୍ଟର କମ୍ପାନୀରୁ ହେଲିକ୍ୟାପ୍ଟର ବୁକ୍ କରିଥିଲେ । ଗ୍ରାମୀଣ ଅଞ୍ଚଳରେ ହେଲିକ୍ୟାପ୍ଟର ଆସିବା ଦେଖି ସେଠାରେ ଲୋକଙ୍କ ଭିଡ ଜମିଥିଲା । ନିଜର ପ୍ରଥମ ବିମାନ ଯାତ୍ରାକୁ ଏହି ଦମ୍ପତୀ ଆନନ୍ଦଦାୟକ ବୋଲି କହିଛନ୍ତି । ତେବେ ଏହି ହେଲିକ୍ୟାପ୍ଟର ଯାତ୍ରା ପାଇଁ ମିଣାଙ୍କୁ ୪.୪୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିଛି । ୩୪ ବର୍ଷ ଧରି ଶିକ୍ଷକ ପଦବୀରେ ରହିଥିବା ମିଣାଙ୍କ ଦୁଇ ପୁଅ ସରକାରୀ ଚାକିରୀ କରିଛନ୍ତି ।