ଲୁଇସଙ୍କ ଦମଦାର ଅର୍ଦ୍ଧଶତକ । ବାଙ୍ଗାଲୋରକୁ ୧୫୦ ରନର ଟାର୍ଗେଟ୍ ଦେଲା ରାଜସ୍ଥାନ ।

62

କନକ ବ୍ୟୁରୋ : ଦୁବାଇ ଇଣ୍ଟର ନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ଆଜି ହେଉଛି ବୁଧବାରର ବଡ଼ ଟକ୍କର । ଆଇପିଏଲର ୪୩ତମ ମ୍ୟାଚରେ ମୁହାଁମୁହିଁ ହେଉଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ରାଜସ୍ଥାନ ରୟାଲ୍ସ । ତେବେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ବାଙ୍ଗାଲୋର ପ୍ରଥମେ ଟସ୍ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ ମୈଦାନକୁ ଓହ୍ଲାଇଥିଲା ସଞ୍ଜୁ ସାମସନଙ୍କ ନେତୃତ୍ୱାଧୀନ ରାଜସ୍ଥାନ ଦଳ । ରାଜସ୍ଥାନ ୨୦ ଓଭରରେ ୯ଟି ଓ୍ଵକେଟ୍‌ ହରାଇ ୧୫୦ ରନ୍‌ ସଂଗ୍ରହ କରିବା ପରେ ବାଙ୍ଗାଲୋରକୁ ୧୫୦ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି ।

ରାଜସ୍ଥାନର ଇନିଂସ ଆରମ୍ଭ କରିଥିଲେ ଇଭିନ୍‌ ଲୁଇସ୍‌ ଓ ଯଶସ୍ୱୀ ଜୟସ୍ୱାଲ । ଲୁଇସ୍‌ ୩୭ଟି ବଲ୍‌ ଖେଳି ୫୮ ରନ୍‌ ସଂଗ୍ରହ କରିଥିଲେ । ଏଥିରେ ୫ଟି ଚୌକା ଓ ୩ ଛକା ସାମିଲ ଥିଲା । ତାଙ୍କର ସାଥୀ ଖେଳାଳି ଜୟସ୍ୱାଲ ୨୨ଟି ବଲ ଖେଳି ୩ଟି ଚୌକା ଓ ୨ଟି ଛକା ମାରିଥିଲେ । ଅଧିନାୟକ ସଂଜୁ ସାମ୍‌ସନ୍‌ ୧୫ଟି ବଲ ଖେଳି ୨ଟି ଛକା ସହାୟତାରେ ୧୯ ରନ୍‌ କରିଥିଲେ । ସେହିପରି ରାଜସ୍ଥାନ ଦଳର କ୍ରିସ ମୋରିସ୍‌ ୧୪ ରନ୍‌, ରିୟାନ ପରାଗ ୯ ରନ୍‌, ଲିଆମ୍‌ ଲିଭିଂଗଷ୍ଟୋନ୍‌ ୬ ରନ୍‌ କରିଥିଲେ । ବାଙ୍ଗାଲୋର ପକ୍ଷରୁ ହର୍ଷ ପଟେଲ ସର୍ବାଧିକ ୩ଟି ଓ୍ଵିକେଟ୍‌ ନେଇଥିବା ବେଳେ ଯୁଜବେନ୍ଦ୍ର ଚହଲ ଓ ସାହାବାଜ୍‌ ଅହମଦ୍‌ ୨-୨ଟି ଓ୍ଵିକେଟ ନେଇଥିଲେ । ଜର୍ଜ ଗାର୍ଟେନ ଓ ଡାନିଏଲ୍‌ ଖ୍ରୀଷ୍ଟିଆନ୍‌ଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ମିଳିଥିଲା ।