ସଞ୍ଜୁ ସାମସନଙ୍କୁ ରିଟେନ୍ ରଖିଲା ରାଜସ୍ଥାନ ! ଜାଣନ୍ତୁ, ପ୍ରତି ସିଜିନରେ କେତେ ଟଙ୍କା ପାଇବେ ସାମସନ୍…

484

କନକ ବ୍ୟୁରୋ: ଆଇପିଏଲ୍ ମେଗା ନିଲାମୀ ପ୍ରକ୍ରିୟା ପୂର୍ବରୁ ପ୍ରଥମ ଖେଳାଳି ରିଟେନ୍ ପ୍ରକ୍ରିୟା ଆରମ୍ଭ କରିଛି ରାଜସ୍ଥାନ ରୟାଲ୍ସ । ଦଳ ନିଜର କ୍ୟାପଟେନ୍ ସଞ୍ଜୁ ସାମସନଙ୍କୁ ନିଲାମ ପ୍ରକ୍ରିୟାକୁ ନଛାଡି ରିଟେନ୍ ରଖିଥିବା ସୂଚନା ମିଳିଛି । ତେବେ ଏଥିପାଇଁ ରାଜସ୍ଥାନ ରୟାଲ୍ସ ପ୍ରତି ସିଜିନରେ ସଞ୍ଜୁ ସାମସନଙ୍କୁ ୧୪ କୋଟି ଟଙ୍କା ଦେବ ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ମୁତାବକ, ସଞ୍ଜୁ ସାମସନ ଆଗାମୀ ସିଜିନରେ ଦଳର ନେତୃତ୍ୱ ନେବେ । ଏଥିପାଇଁ ରାଜସ୍ଥାନ ତାଙ୍କୁ ରିଟେନ୍ ରଖିଛି । ଚଳିତ ସିଜିନରେ ତାଙ୍କ ନେତୃତ୍ୱରେ ଦଳ ସେଭଳି ପ୍ରଦର୍ଶନ କରିପାରିନଥିଲେ ମଧ୍ୟ ବ୍ୟକ୍ତିଗତ ପ୍ରଦର୍ଶନକୁ ଦେଖି ଦଳ ଏପରି ନିଷ୍ପତ୍ତି ନେଇଛି । ୨୦୧୮ ମସିହାରେ ୮ କୋଟି ଟଙ୍କାରେ ସଞ୍ଜୁ ସାମସନ ରାଜସ୍ଥାନ ରୟାଲ୍ସ ସହ ଯୋଡି ହୋଇଥିଲେ । ଗତ ସିଜିନରେ ଦଳ ତାଙ୍କୁ ଅଧିନାୟକ ଭାର ସମ୍ଭାଳିବାକୁ ଦେଇଥିଲେ । ହେଲେ ସେ ଦଳକୁ ପ୍ଲେ-ଅଫ୍ ପର୍ଯ୍ୟନ୍ତ ନେଇପାରିନଥିଲେ । ତେବେ ବ୍ୟକ୍ତିଗତ ପ୍ରଦର୍ଶନରେ ସେ ଜବରଦସ୍ତ ପ୍ରଦର୍ଶନ କରିବା ସହିତ ୧୩୭ ଷ୍ଟ୍ରାଇକ ରେଟରେ ୪୮୪ ରନ୍ କରିଥିଲେ ।

ଅନ୍ୟପଟେ ମିଳିଥିବା ସୂଚନା ମୁତାବକ, କେ ଏଲ ରାହୁଲ ପଞ୍ଜାବ କିଙ୍ଗସ ଦଳ ଛାଡି ନୂଆ ଦଳରେ ସାମିଲ ହୋଇପାରନ୍ତି । ନୂଆ ଫ୍ରାଞ୍ଚାଇଜ ଭାବେ ଯୋଡି ହୋଇଥିବା ଲକ୍ଷ୍ନୌ ତାଙ୍କୁ ଟିମରେ ସାମିଲ କରିବାକୁ ଆଗ୍ରହୀ ଥିବା ଜଣାପଡିଛି । ସେହିପରି ହାର୍ଦ୍ଦିକ ଓ କ୍ରୁନାଲ ପାଣ୍ଡ୍ୟାଙ୍କୁ ମଧ୍ୟ ଅହମ୍ମଦାବାଦ ଫ୍ରାଞ୍ଚାଇଜ୍ ନେବାକୁ ଆଗ୍ରହ ପ୍ରକାଶ କରିଛି । ଯଦି ଏହି ଖେଳାଳିଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ରିଟେନ୍ ନକରେ ତେବେ ଏହି ଖେଳାଳିଙ୍କୁ ଅହମ୍ମଦାବାଦ ଟିମ ନିଜ ଦଳରେ ସାମିଲ କରିପାରେ ।

ସେହିପରି କ୍ରିକବଜର ରିପୋର୍ଟ ମୁତାବକ, ଶ୍ରେୟାସ ଆୟର ମଧ୍ୟ ନିଲାମୀ ପ୍ରକ୍ରିୟାରେ ସାମିଲ ହୋଇପାରନ୍ତି । ତାଙ୍କ ସହିତ ଶିଖର ଧାୱନ ମଧ୍ୟ ଦୁଇ ନୂଆ ଟିମ ଭିତରୁ ଗୋଟିଏ ଦଳରେ ସାମିଲ ହୋଇପାରନ୍ତି ବୋଲି ଖବର ମିଳିଛି । ତେବେ ଆସନ୍ତା ୩୦ ତାରିଖ ପୂର୍ବରୁ ପ୍ରତିଦଳ ନିଜର ରିଟେନ୍ ଖେଳାଳିଙ୍କ ତାଲିକା ପ୍ରକାଶ କରିବେ ବୋଲି ଡେଡଲାଇନ୍ ରହିଛି ।