ଆଇପିଏଲରେ ଚେନ୍ନାଇକୁ ହରାଇ ଆଶା ବଜାୟ ରଖିଲା ରାଜସ୍ଥାନ ରୟାଲ୍ସ : ୬୦ ବଲରୁ ୯୫ ରନର ଲଢ଼ୁଆ ବ୍ୟାଟିଂ କରି ହିରୋ ପାଲଟିଲେ ଜୋସ ବଟଲର

42

କନକ ବ୍ୟୁରୋ : ଆଇପିଏଲ୍-୧୧ର ୪୩ତମ ମ୍ୟାଚରେ ଦୁଇ ଥର ବିଜେତା ଚେନ୍ନାଇ ସୁପର କିଙ୍ଗସକୁ ହରାଇ ରାଜସ୍ଥାନ ରୟାଲସ ଆଶା ଉଜ୍ଜୀବିତ କରିଛି। ଅଜିଙ୍କ୍ୟ ରାହାଣେଙ୍କ ଦଳ ୧୧ ମ୍ୟାଚରୁ ପଞ୍ଚମ ବିଜୟ ପାଇଥିବା ବେଳେ ଚେନ୍ନାଇ ସମାନ ସଂଖ୍ୟକ ମ୍ୟାଚରୁ ଚତୁର୍ଥ ପରାଜୟ ବରଣ କରିଛି। କର୍କଟ ରୋଗ ପାଇଁ ସଚେତନତା ସୃଷ୍ଟି ଲାଗି ଗୋଲାପୀ ପୋଷାକରେ ଖେଳିଥିବା ରାଜସ୍ଥାନ ମଧ୍ୟ ବିଜୟୀ ହୋଇ ମଧୁର ଅନୁଭବ ପାଇଛି। ଇଂଲିସ ତାରକା ଜୋସ ବଟଲର (୯୫ଞ୍ଚ, ୬୦ ବଲ୍, ୧୧ ଚୌକା, ୨ ଛକା)ଙ୍କ ପାଇଁ ରାଜସ୍ଥାନ ଏହି ଚମକପ୍ରଦ ବିଜୟ ପାଇଛି। ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ତାଙ୍କୁ ମିଳିଛି। ଜୟପୁରର ସବାଇ ମାନସିଂହ ଷ୍ଟାଡିୟମରେ ଚେନ୍ନାଇ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ସେନ୍ ଓ୍ଵାଟସନ ଏବଂ ଅମ୍ବାତି ରାୟୁଡୁ ପ୍ରଥମ ଦୁଇ ଓଭରରେ ୧୯ ରନ ଆଦାୟ କରିଥିଲେ। ରାୟୁଡୁ (୧୨, ୯ ବଲ୍, ୨ ଚୌକା)ଙ୍କୁ େଓ୍ଵଷ୍ଟଇଣ୍ଡିଆନ ଦ୍ରୁତ ବୋଲର ଜୋଫ୍ରା ଆର୍ଚର ବୋଲଡ କରି ପ୍ରଥମ ସଫଳତା ପାଇଥିଲେ। ଏହା ପରେ ସେନ ଓ୍ଵାଟସନଙ୍କ ସହ ଯୋଗ ଦେଇଥିବା ସୁରେଶ ରାଇନା ଆକର୍ଷଣୀୟ ଅର୍ଧଶତକ ହାସଲ କରିଥିଲେ। ୩୨ ବଲ୍ରୁ ୫୦ ରନ ଟପିବା ପରେ କିନ୍ତୁ ନ୍ୟୁଜିଲାଣ୍ଡ ସ୍ପିନର ଈଶ ସୋଢ଼ୀଙ୍କ ବୋଲିଂରେ ଷ୍ଟୁଆର୍ଟ ବିନ୍ନିଙ୍କୁ ସର୍ଟ ଫାଇନରେ କ୍ୟାଚ୍ ଦେଇ ଫେରିଯାଇଥିଲେ। ରାଇନାଙ୍କ ୩୫ ବଲ୍ ୫୨ ରନ୍ ପାଳିରେ ୬ ଚୌକା ଓ ଗୋଟିଏ ଛକା ସାମିଲ ଥିଲା। ଏହାର ପୂର୍ବ ଓଭରରେ ସେନ୍ ଓ୍ଵାଟସନ (୩୯, ୩୧ ବଲ୍, ୨ ଚୌକା, ୨ ଛକା)ଙ୍କୁ ଜୋଫ୍ରା ଆର୍ଚର ନିଜର ଦ୍ୱିତୀୟ ଶିକାର କରି ସାରିଥିଲେ।

୧୧.୧ ଓଭରରେ ୧୦୦ ରନ୍ରେ ପହଞ୍ଚିଥିବା ଚେନ୍ନାଇ ସମ୍ଭାବ୍ୟ ୨୦୦ରେ ପହଞ୍ଚିଯିବ ବୋଲି ଆଶା କରାଯାଉଥିଲା। କିନ୍ତୁ ବେନ୍ ଷ୍ଟୋକସ (୪-୦-୩୧-୦) ଏବଂ ଈଶ ସୋଢ଼ୀ (୪-୦-୨୯-୧) ନିୟନ୍ତ୍ରିତ ବୋଲିଂ କରିବାରୁ ଚେନ୍ନାଇ ହାତଖୋଲା ସଟ ଖେଳିପାରିନଥିଲା। ଶେଷ ଭାଗରେ ମହେନ୍ଦ୍ର ସିଂହ ଧୋନି (୩୩ଞ୍ଚ, ୨୩ ବଲ୍, ୧ ଚୌକା, ୧ ଛକା) ଏବଂ ସାମ ବିଲିଙ୍ଗସ (୨୭, ୨୨ ବଲ, ୩ ଚୌକା) ଭଲ ଖେଳିଥିଲେ ମଧ୍ୟ ଆଶାଜନକ ବିସ୍ଫୋରଣ କରିପାରିନଥିଲେ। ଜୋଫ୍ରା ଆର୍ଚର ସଫଳ ବୋଲର ଭାବେ ୨ ଓ୍ଵିକେଟ ନେଇଥିଲେ ମଧ୍ୟ ସର୍ବାଧିକ ୪୨ ରନ୍ ବ୍ୟୟ କରିଥିଲେ। ୧୭୭ ରନ୍ ବିଜୟ ଲକ୍ଷ୍ୟରେ ଖେଳିଥିବା ରାଜସ୍ଥାନ ରୟାଲସ ବ୍ୟାଟିଂ ପଦୋନ୍ନତି ସହ ଆସିଥିବା ବେନ୍ ଷ୍ଟୋକସ (୧୧, ୭ ବଲ୍, ୧ ଚୌକା, ୧ ଛକା)ଙ୍କୁ ସଅଳ ହରାଇଥିଲା। ପାଳିର ପ୍ରଥମ ଓଭର ବୋଲିଂ କରିଥିବା ଇଂଲଣ୍ଡର ଡେଭିଡ ଓ୍ଵିଲିଙ୍କୁ ନିଜ ଦେଶର ଜୋସ୍ ବଟଲର ହ୍ୟାଟ୍ରିକ ଚୌକା ମାରି ଅଭିଯାନ ଆରମ୍ଭ କରିଥିଲେ। ୪ ଓଭରରେ ଦଳ ୪୮ ରନ ସଂଗ୍ରହ କରି ନେଇଥିଲା। କିନ୍ତୁ ପରବର୍ତ୍ତୀ ୨ ଓଭରରେ ମାତ୍ର ୯ ରନ୍ ଯୋଡ଼ି ପାଓ୍ଵାର ପ୍ଲେ ଶେଷ ବେଳକୁ ୫୭/୨ରେ ପହଞ୍ଚିଥିଲା। ଗୋଟିଏ ପଟେ ଜୋସ୍ ବଟଲର୍ ଶେଷ ପର୍ୟ୍ୟନ୍ତ ଲଢ଼ି ଏକା ଏକା ମ୍ୟାଚ୍ ଜିତାଇଥିଲେ। ମଝିରେ ସଂଜୁ ସାମସନ୍ (୨୧, ୨୨ ବଲ୍) ଏବଂ ଷ୍ଟୁଆର୍ଟ ବିନ୍ନି (୨୨, ୧୭ ବଲ୍) କିଛିଟା ଅବଦାନ ଦେଇଥିଲେ। କିନ୍ତୁ ଶେଷ ୩ ଓଭରରୁ ୩୮ ରନ୍ ଆବଶ୍ୟକ ପଡ଼ିଥିବା ବେଳେ କ୍ରିଷ୍ଣାପ୍ପା ଗୌତମ ୨ ଛକା ବଳରେ ୪ ବଲରୁ ୧୩ ରନ୍ କରିବା ନିର୍ଣ୍ଣାୟକ ହୋଇଥିଲା। ତଥାପି ଶେଷ ଓଭରରୁ ୧୨ ରନ୍ ଆବଶ୍ୟକ ପଡ଼ିଥିଲା। ବଟଲର୍ ବ୍ରାଭୋଙ୍କ ଚତୁର୍ଥ ବଲକୁ ଛକା ମାରିବା ପରେ ବିଜୟ ସହଜ ହୋଇଯାଇଥିଲା।

ସଂକ୍ଷିପ୍ତ ସ୍କୋର୍: ଚେନ୍ନାଇ ସୁପର୍ କିଙ୍ଗସ: ୨୦ ଓଭରରେ ୧୭୬/୪ (ସୁରେଶ ରାଇନା-୫୨, ସେନ୍ ଓ୍ଵାଟସନ୍-୩୯, ମହେନ୍ଦ୍ର ସିଂହ ଧୋନି-୩୩ଞ୍ଚ, ସାମ୍ ବିଲିଙ୍ଗସ-୨୭, ଜୋଫ୍ରା ଆର୍ଚର୍-୨/୪୨, ଈଶ ସୋଢ଼ୀ-୧/୨୯)। ରାଜସ୍ଥାନ ରୟାଲସ: ୧୯.୫ ଓଭରରେ ୧୭୭/୬ (ଜୋସ୍ ବଟଲର୍-୯୫ଞ୍ଚ, ଷ୍ଟୁଆର୍ଟ ବିନ୍ନି-୨୨, ସଂଜୁ ସାମସନ୍-୨୧, ସାର୍ଦୁଲ ଠାକୁର-୧/୨୨, ରବୀନ୍ଦ୍ର ଜାଦେଜା-୧/୨୮, ହଭରଜନ ସିଂହ-୧/୨୯, ଡ୍ଵାନ୍ ବ୍ରାଭୋ-୧/୩୧, ଡେଭିଡ୍ ଓ୍ଵିଲି-୧/୪୭ )।