ରାଜସ୍ଥାନ ରାଜନୀତିରେ ରୋଚକ ମୋଡ । ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିଲେ କଂଗ୍ରେସର ବିଦ୍ରୋହୀ ନେତା ସଚିନ ପାଇଲଟ । ସଚିନଙ୍କ ଘର ବାହୁଡା ନେଇ ଖୋଲିପାରେ ଦ୍ୱାର…

612

କନକ ବ୍ୟୁରୋ: ଭାରତର ରାଜନୀତିକୁ ଦୋହଲାଇ ଦେଇଥିଲା ରାଜସ୍ଥାନର ରାଜନୀତି । ଯେଉଁ ସଚିନ ପାଇଲଟ ବିଜେପି ସହ ମିଶି କଂଗ୍ରେସକୁ ଭାଙ୍ଗିଦେବାକୁ ଚେଷ୍ଟା କରୁଛନ୍ତି ବୋଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଭିଯୋଗ କରି ତୁମ୍ବିତୁଫାନ କରିଥିଲେ ସେହି ସଚିନ ପାଇଲଟ ରାହୁଲଙ୍କୁ ଭେଟିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ରାଜସ୍ଥାନରେ କାହାର ଚାଲିବ ସରକାର, ଏହାକୁ ନେଇ ରାଜନୀତିର ଘଂଟାଚକଟା ଭିତରେ କିଛି ସକରାତ୍ମକ ଦିଗ ବାହାର କରିବା ପାଇଁ ଆଜି ବିବାଦର ମାସେ ପରେ ଦିଲ୍ଲୀରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଭେଟିଛନ୍ତି ରାଜସ୍ଥାନର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ । ଦିଲ୍ଲୀରେ ହୋଇଥିବା ଏହି ଆଲୋଚନାରେ କଣ କଥାବାର୍ତା ହୋଇଛନ୍ତି ଏହି ଦୁଇ ନେତା ସେନେଇ କିଛି ସ୍ପଷ୍ଟ ହୋଇନାହିଁ ।

ସୁତ୍ରରୁ ମିଳିଥିବା ଖବର ଅନୁସାରେ ଆଜିର ଏହି ବୈଠକରୁ କିଛି ସକରାତ୍ମକ ଉତ୍ତର ଆସିବା ପାଇଁ ଅପେକ୍ଷା କରାଯାଉଛି । ସଚିନ ପାଇଲଟ ୧୮ଜଣ ବିଦ୍ରୋହୀ ବିଧାୟକ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କୁ ବିରୋଧ କରି ଜୟପୁର ଛାଡିବାର ମାସେ ପରେ ଦିଲ୍ଲୀ ଦରବାରରେ ଏହି ଭେଟଘାଟ ହୋଇଛି ।

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କ ମତରେ ରାହୁଲଙ୍କୁ ଭେଟିବା ପୂର୍ବରୁ ଦଳର ବରିଷ୍ଠ ନେତା ଅହମ୍ମଦ ପଟେଲ ଏବଂ କେ.ସି ଭେନୁଗୋପାଲଙ୍କ ସହିତ ମଧ୍ୟ ପାଇଲଟ କଥାବାର୍ତା କରୁଛନ୍ତି । ଯାହା ଅନୁମାନ କରାଯାଉଛି , ସଚିନ ପାଇଲଟ ତାଙ୍କ ଷ୍ଟାଣ୍ଡରେ କିଛିଟା ନରମ ଭାବ ପୋଷଣ କରିପାରନ୍ତି ।

ତେବେ ଆଜିର ଏହି ବୈଠକ ସମ୍ପର୍କରେ ରାହୁଲ ଗାନ୍ଧି କିମ୍ବା ସଚିନ ପାଇଲଟଙ୍କ କାର୍ଯ୍ୟାଳୟ ତରଫରୁ କୌଣସି ସୂଚନା ଦିଆଯାଇନାହିଁ । ସେପଟେ ଅଶୋକ ଗେହେଲଟଙ୍କ କାର୍ଯ୍ୟ କରିବାର ତରିକାକୁ ପାଇଲଟଙ୍କ ଟିମ ପସନ୍ଦ କରୁନଥିବା ବେଳେ ଆଜିର ଭେଟଘାଟ କିଛି ନୂଆ ସମୀକରଣ ତିଆରି କରିବା ନେଇ ସମ୍ଭାବନା ସୃଷ୍ଟି ହୋଇଛି । ୨୦୦ ଆସନ ବିଶିଷ୍ଟ ରାଜସ୍ଥାନ ବିଧାନସଭାରେ ଅଶୋକ ଗେହେଲଟ ୧୦୨ ବିଧାୟକଙ୍କ ସମର୍ଥନ ଥିବା ଦାବି କରୁଥିବାବେଳେ ପାଇଲଟଙ୍କ ପାଖରେ ଅଛି ୧୯ଜଣଙ୍କ ସମର୍ଥନ ।