ଦିଲ୍ଲୀରେ ପହଞ୍ଚିଲା ରାଜସ୍ଥାନ ରାଜନୀତି। ଗେହଲଟଙ୍କ ଉପରେ କଂଗ୍ରେସ ହାଇକମାଣ୍ଡ ଖପ୍ପା।

120

କନକ ବ୍ୟୁରୋ: ରାଜସ୍ଥାନର କଂଗ୍ରେସ ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ସଚିନ ପାଇଲଟଙ୍କ ମୁଖ୍ୟମନ୍ତ୍ରୀ ପଦକୁ ବିରୋଧ କରି ଅଶୋକ ଗେହଲଟ କ୍ୟାମ୍ପର ୯୦ ବିଧାୟକ ଇସ୍ତଫା ଦେବା ପରେ ରାଜ୍ୟ ରାଜନୀତିରେ ଝଡ ସୃଷ୍ଟି ହୋଇଛି । କଂଗ୍ରେସ କନ୍ଦଳ ଦିଲ୍ଲୀ ଦରବାରରେ ପହଞ୍ଚିିଛି । କୁହାଯାଉଛି, ରାଜସ୍ଥାନରେ ବିଧାୟକଙ୍କ ବିଦ୍ରୋହ ପରେ ଅଶୋକ ଗେହଲଟଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି ସୋନିଆ ଗାନ୍ଧି । ତେଣୁ ଗେହଲଟଙ୍କୁ କଂଗ୍ରେସ ସଭାପତି ରେସରୁ ବାଦ୍ ଦିଆଯାଇପାରେ । ଏପରିକି ତାଙ୍କ ମୁଖ୍ୟମନ୍ତ୍ରୀ ପଦ ବି ଯାଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ଖବର ଅନୁସାରେ, ସେପ୍ଟେମ୍ବର ୩୦ରେ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ସରୁଛି ଓ ସେପଯ୍ୟନ୍ତ ରାଜସ୍ଥାନରେ ସ୍ଥିତି ବଜାୟ ରଖିବାକୁ ହାଇକମାଣ୍ଡ ନିର୍ଦ୍ଦେଶ ଦେଇଛନ୍ତି । କୌଣସି ବିଧାୟକ ଉପରେ ବି କାର୍ଯ୍ୟାନୁଷ୍ଠାନ ନ ନେବାକୁ କୁହାଯାଇଛି । ରାଜସ୍ଥାନ ପାଇଁ ଯାଇଥିବା ଦୁଇ ପର୍ଯ୍ୟବେକ୍ଷକ ଅଜୟ ମାକେନ ଓ ମଲ୍ଲିକାଜୁର୍ନ ଖଡଗେଙ୍କ ରିପୋର୍ଟକୁ ଅପେକ୍ଷା କରିଛନ୍ତି ହାଇକମାଣ୍ଡ ।

ଗେହେଲଟ ସଭାପତି ରେସରୁ ବାଦ ପଡିବା ପରେ ଏବେ ନୂଆ ନାଁକୁ ନେଇଚର୍ଚ୍ଚା ଜୋର ଧରିଛି । ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ, ମଲ୍ଲିକାର୍ଜୁନ ଖଡଗେଙ୍କ ସଭାପତି ନିର୍ବାଚନ ଲଢିପାରନ୍ତି । ସେପଟେ ପୂର୍ବରୁ ଶଶି ଥରୁରୁ ସେପ୍ଟେମ୍ବର ୩୦ରେ ନାମାଙ୍କନ ଦାଖଲ କରିବେ ବୋଲି ଦଳ ପକ୍ଷରୁ ଘୋଷଣା କରାଯାଇଛି ।

ରାଜସ୍ଥାନ ରାଜନୀତିକୁ ନେଇ ଦିଲ୍ଲୀ କଂଗ୍ରେସ ଶିବିର ଚଳଚଞ୍ଚଳ ହୋଇଛି । ଆଉ ଏହାରି ଭିତରେ ଦିଲ୍ଲୀ ଆସିଛନ୍ତି ସଚିନ ପାଇଲଟ । କୁହାଯାଉଛି, ସେ ଦିଲ୍ଲୀରେ ବିଭିନ୍ନ ନେତାଙ୍କୁ ଭେଟି ନିଜର ଆଗାମୀ ରଣନୀତି ପ୍ରସ୍ତୁତ କରିବେ । ଏହାରି ଭିତରେ ଅଶୋକ ଗେହଲଟ କ୍ୟାମ୍ପର ଅନେକ ବିଧାୟକ ନରମ ମନୋଭାବ ଦେଖିବାକୁ ମିଳିଛି । ସଚିନ ପାଇଲଟ ମୁଖ୍ୟମନ୍ତ୍ରୀ ହେଲେ ସେମାନଙ୍କ କୌଣସି ସମସ୍ୟା ନାହିଁ ବୋଲି ସେମାନେ ବୟାନ ଦେଇଛନ୍ତି, ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି ।