ପଞ୍ଜାବ, ଛତିଶଗଡ ପରେ ରାଜସ୍ଥାନ କଂଗ୍ରେସରେ କନ୍ଦଳ, ବିଜେପିରେ ମିଶିବା ନେଇ ୪ ବିଧାୟକଙ୍କ ସଂକେତ

113

କନକ ବ୍ୟୁରେ : କଂଗ୍ରେସରେ କଣ ଚାଲିଛି ତାହା ବୁଝିବା ଏବେ କଷ୍ଟକର । ନା କର୍ମୀଙ୍କ କଥାରେ ନେତା ନା ନେତାଙ୍କ କଥାରେ ହାଇକମାଣ୍ଡ । ପୁରା ଦିଗହରା ଏବେ ଦେଶରେ ସର୍ବପୂରାତନ ରାଜନୈତିକ ଦଳ କଂଗ୍ରେସ । କେହି କାହାରି ବୋଲରେ ନଥିବା ଭଳି ଲାଗୁଛି । ଗୋଟେପଟେ ବିଜେପିର କଂଗ୍ରେସମୁକ୍ତ ଭାରତ ନାରା ତ ଅନ୍ୟପଟେ ବିନା ଶତ୍ରୁରେ କଂଗ୍ରେସ ଦିନକୁ ଦିନ ରଶାତଳଗାମୀ ହେଉଛି । ପଞ୍ଜାବ, ଛତିଶଗଡ ପରେ ଏବେ ରାଜସ୍ତାନରେ ବି କଂଗ୍ରେସ କନ୍ଦଳ ଜଳ ଜଳ ହୋଇ ଦେଖାଯାଉଛି । ପଞ୍ଜାବ କଂଗ୍ରେସ ୩ ଫାଳ, ତ ଛତିଶଗଡରେ ଦଳୀୟ କନ୍ଦଳ, ଏହାରି ଭିତରେ ରାଜସ୍ତାନର ଗେହଲଟ ସରକାରରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଟଣା ଉଟାରା । ଏହାରି ଭିତରେ ରାଜସ୍ତାନ କଂଗ୍ରେସର ୬ ଜଣ ବିଧାୟକ ଏବେ ଖୋଲାଖୋଲି ବିଜେପିରେ ମିଶିବା ନେଇ ସଂକେତ ଦେଇଛନ୍ତି ।

ବିଏସପି ଛାଡି କଂଗ୍ରେସରେ ଯୋଗଦେଇଥିବା ୪ ବିଧାୟକ ଏବେ ଗେହଲଟଙ୍କ ପାଇଁ ବିପଦ ଆଣିଛନ୍ତି । ଏହି ୪ ଜଣ ବିଧାୟକ ଏବେ ଦିଲ୍ଲୀରେ ପହଂଚିଛନ୍ତି । ଅନ୍ୟପଟେ ଆଉ ୨ ଜଣ ବିଧାୟକ ଗତକାଲି ମଧ୍ୟରାତ୍ରରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଭେଟିଛନ୍ତି । କୁହାଯାଉଛି କି ଅଶୋକ ଗେହଲଟ ସେମାନଙ୍କ ମନ୍ତ୍ରୀପଦ ଦେବାର ଲୋଭ ଦେଖାଇ କଂଗ୍ରେସରେ ଜଏନ କରାଇଥିଲେ । ହେଲେ ସରକାରକୁ ଅନେକଦିନ ବିତି ଯାଇଥିଲେ ବି ଗେହଲଟ୍ ତାଙ୍କ କଥା ପୂରଣ କରିପାରି ନାହାଁନ୍ତି ।

ଦୀର୍ଘଦିନର ଅପେକ୍ଷା ପରେ ଏବେ ଗେହଲଟଙ୍କୁ ଜବାବ୍ ଦେବାକୁ ଏହି ୬ ଜଣ ବିଧାୟକ ପ୍ରସ୍ତୁତ ହେଉଛନ୍ତି । ଦିଲ୍ଲୀରେ ପହଂଚିଥିବା ୪ ବିଧାୟକ କହିଛନ୍ତି କି ଗୃହମନ୍ତ୍ରୀ ତଥା ବିଜେପିର ଚାଣକ୍ୟ କୁହାଯାଉଥିବା ଅମିତ୍ ଶାହା ଯଦି ସେମାନଙ୍କୁ ଭରଶା ଦେବେ ତେବେ ସେମାନେ ତୁରନ୍ତ ବିଜେପିରେ ମିଶିଯିବେ ।