ଗେହଲଟଙ୍କ ନିଶାନରେ ପାଇଲଟ । କହିଲେ, ମୁଁ ବାଇଗଣ ବିକିବାକୁ ଆସିନି, ମୁଖ୍ୟମନ୍ତ୍ରୀ ହୋଇକି ଆସିଛି ।

512

କନକ ବ୍ୟୁରୋ : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ଟାର୍ଗେଟରେ ପାଇଲଟ । ମରୁଭୂମି ରାଜନୀତିରେ ଝଡ ଥମିନଥିବା ବେଳେ ପାଇଲଟଙ୍କୁ ପୁଣି ଥରେ ସିଧା ନିଶାନା କରିଛନ୍ତି ଗେହଲଟ । କଂଗ୍ରେସ ପିଠିରେ ଛୁରୀ ଭୁଷିବା ଭଳି କାମ କରିଛନ୍ତି ପାଇଲଟ । ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ଗେହଲଟ । ରାଜସ୍ଥାନ ମୁଖ୍ୟମନ୍ତ୍ରୀ କହିଛନ୍ତି, ପାଇଲଟଙ୍କୁ ଦଳ କଣ ଦେଇନଥିଲା । କମ ବୟସରୁ ସଚିନଙ୍କୁ ଦଳ ବହୁତ କିଛି ଦେଇଥିଲା । ସାଂସଦ, କ୍ୟାବିନେଟ ମନ୍ତ୍ରୀ, ପିସିସି ସଭାପତି, ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଏଭଳି ଅନେକ ପଦବୀ ଦେଇଛି ଦଳ । ଏପରିକି ଗତ ୭ ବର୍ଷ ମଧ୍ୟରେ ରାଜ୍ୟରେ ପିସିସି ସଭାପତି ପରିବର୍ତ୍ତନ କଥା ମଧ୍ୟ ଉଠିନାହିଁ । କାରଣ ଆମେ ଜାଣିଥିଲୁ ଏଥିପାଇଁ ସଚିନ ଆଦୌ ଯୋଗ୍ୟ ନୁହଁନ୍ତି । ଏହାସତ୍ତେ୍ୱ ମଧ୍ୟ ସଚିନଙ୍କ ବିରୋଧରେ କେହି ପଦୁଟିଏ ମଧ୍ୟ କହିନଥିଲେ, ସମସ୍ତେ ତାଙ୍କୁ ସମ୍ମାନ ଦେଇଥିଲେ । କିନ୍ତୁ ସେ ଏମିତି ଖେଳ ଖେଳିବେ ବୋଲି କେହି କଳ୍ପନା ସୁଦ୍ଧା କରିନଥିଲେ । ଏଭଳି କହି ସଚିନଙ୍କୁ ବିଶ୍ୱାସଘାତକର ଟ୍ୟାଗ୍ ଦେଇଛନ୍ତି ଗେହଲଟ ।

ଯେଉଁ ଖେଳ ସଚିନ ଏବେ ଖେଳୁଛନ୍ତି ତାହା ଗତ ମାର୍ଚ୍ଚ ୧୦ ତାରିଖରେ ହେବାକୁ ଥିଲା । ଏପରିକି ଏଥିପାଇଁ ପ୍ରସ୍ତୁତି ମଧ୍ୟ ସରିଥିଲା । କିନ୍ତୁ ଏହି ଘଟଣା ସେତେବେଳେ ସାମ୍ନାକୁ ଆଣିବା ପରେ ସବୁ ଯୋଜନା ପଣ୍ଡ ହୋଇଥିଲା । ଏବେ ସଚିନଙ୍କ ସମର୍ଥନରେ ଯେତେ ଜଣ ଓକିଲ କେସ ଲଢୁଛନ୍ତି ସମସ୍ତ ଦେଶର ନାମୀ ଦାମୀ ଓକିଲ । ଯେଉଁମାନଙ୍କ ଫିସ ଲକ୍ଷ ଲକ୍ଷ ଟଙ୍କା । କଣ ସଚିନ ଓକିଲଙ୍କୁ ଏତେ ଟଙ୍କା ଦେଇ କେସ୍ ଲଢାଉଛନ୍ତି । ଏଭଳି କହି ସଚିନଙ୍କୁ ପ୍ରଶ୍ନବାଣ ମାରିଛନ୍ତି ଗେହଲଟ ।

ଗୋଟିଏ ପଟେ କଂଗ୍ରେସର ଦିଲ୍ଲୀ କ୍ୟାମ୍ପ ପାଇଲଟଙ୍କୁ ଦଳକୁ ଫେରାଇ ଆଣିବା ଉପରେ ଜୋରଦାର ଉଦ୍ୟମ କରୁଥିବା ବେଳେ ଅନ୍ୟପଟେ ପ୍ରତିଦିନ ସଚିନଙ୍କୁ ଟାର୍ଗେଟ କରୁଛନ୍ତି ଗେହଲଟ । ଏଭଳି ସ୍ଥିତିରେ ସଚିନଙ୍କ ଆଗାମୀ କାର୍ଯ୍ୟପନ୍ଥା କଣ ରହିବ ତାହା ଉପରେ ଏବେ ସମସ୍ତଙ୍କର ନଜର ରହିଛି ।