କନକ ବ୍ୟୁରୋ : ପାଖେଇ ଆସୁଛି ରାଜସ୍ଥାନ ବିଧାନସଭା ନିର୍ବାଚନ । ଆଉ ନିର୍ବାଚନକୁ ନେଇ ରାଜ୍ୟରେ ବଢିବାରେ ଲାଗିଛି ତାତି । କ୍ଷମତାରେ ଥିବା କଂଗ୍ରେସ ପୁଣିଥରେ ବାଜି ମାରିବାକୁ ପ୍ରସ୍ତୁତ ହେଉଛି । ଏହାରି ଭିତରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଏକ ବୟାନ ରାଜନୈତିକ ଉଷ୍ମତାକୁ ଆହୁରି ବଢାଇ ଦେଇଛି । ସଚିନ୍ ପାଇଲଟଙ୍କ ସହ ସମ୍ପର୍କକୁ ନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି - ଆମ ଭିତରେ ସବୁ ମତାନ୍ତର, ମନାନ୍ତର ଦୂର ହୋଇ ସାରିଛି । ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଗେହଲଟଙ୍କୁ ପଚରାଗଲା ଯେ, ସେ ୪ର୍ଥ ଥର ରାଜସ୍ଥାନ ମୁଖ୍ୟମନ୍ତ୍ରୀ ହେବେ କି ନାହିଁ, ଏଥିରେ ଉତର ରଖି ସେ କହିଛନ୍ତି – ଯେଉଁମାନେ ମୁଖ୍ୟମନ୍ତ୍ରୀ ପଦ ପାଇଁ ନିଜକୁ ଦାବିଦାର ଭାବନ୍ତି, ସେମାନେ ମୁଖ୍ୟମନ୍ତ୍ରୀ ହୁଅନ୍ତି ନାହିଁ । ଦଳର ହାଇକମାଣ୍ଡ ହିଁ ମୁଖ୍ୟମନ୍ତ୍ରୀ କିଏ ହେବ ଚୟନ କରନ୍ତି । ‘ମୁଁ ମୁଖ୍ୟମନ୍ତ୍ରୀ ଆସନ ଛାଡିବାକୁ ପ୍ରସ୍ତୁତ । ହେଲେ ସିଏମ୍ ପଦର ଦାୟିତ୍ୱ ମତେ ଛାଡୁନାହିଁ’ ।

Advertisment

ସାମ୍ବାଦିକ ସମ୍ମିଳନୀରେ ସଚିନ୍ ପାଇଲଟଙ୍କ ସହ ଥିବା ତିକ୍ତତା ଦୂର ହୋଇ ଯାଇଥିବା କଥା କହିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ । ସଚିନ୍ ପାଇଲଟକୁ ନେଇ ପ୍ରଶ୍ନରେ ଗେହଲଟ୍ କହିଛନ୍ତି – ‘ ମୁଁ ନିଜେ ସଚିନ୍ ପାଇଲଟଙ୍କ ସମର୍ଥନ କରୁଛି । ଆମ ଭିତରେ ସବୁ ମତାନ୍ତର-ମନାନ୍ତର ଦୂର ହୋଇ ଯାଇଛି । ତାଙ୍କୁ ସମର୍ଥନ କରୁଥିବା ସବୁ ବିଧାୟକଙ୍କୁ ଟିକେଟ୍ ନିଶ୍ଚୟ ମିଳିବ ।’ ମୁଖ୍ୟମନ୍ତ୍ରୀ ଆସନକୁ ନେଇ ଅଶୋକ ଗେହଲଟ ଓ ସଚିନ୍ ପାଇଲଟ କଳି ସବୁବେଳେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି । ହେଲେ ଗେହଲଟ୍ ଏଭଳି ବୟାନରୁ ଲାଗୁଛି ବିଧାନସଭା ନିର୍ବାଚନ ପାଇଁ ଦୁହିଁଙ୍କ ମନ ମିଶି ଯାଇଛି ।

ତେବେ ଆସନ୍ତା ବିଧାନସଭା ନିର୍ବାଚନରେ ଯଦି କଂଗ୍ରେସ ରାଜସ୍ଥାନରେ କ୍ଷମତାକୁ ଆସେ, ତାହାଲେ ମୁଖ୍ୟମନ୍ତ୍ରୀ ଆସନ ପାଇଁ ଗେହଲଟ-ପାଇଲଟଙ୍କ ଭିତରେ ପୁଣିଥରେ ବିବାଦ ନଦେଖାଯିବ, ସେକଥା ଏବେଠୁ କହିହେବ ନାହିଁ ।