ରାଜସ୍ଥାନ ରାଜନୀତିରେ ରୋଚକ ଦୃଶ୍ୟ । ବିଦ୍ରୋହ ପରେ ଗେହଲଟଙ୍କୁ ସାକ୍ଷାତ କରି ହାତ ମିଳାଇଲେ ସଚିନ ପାଇଲଟ୍, ସେପଟେ ଆସନ୍ତାକାଲି ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଆଣିବ କହିଲା ବିଜେପି ।

312

କନକ ବ୍ୟୁରୋ: ଏକ ବଡ଼ ବିବାଦ ପରେ ଉଭୟ ପକ୍ଷ ପୁଣି ମିଶିଯିବା ଅନେକ ସମୟରେ କମ୍ ଦେଖାଯାଏ । କିନ୍ତୁ ରାଜନୀତିରେ ଏମିତି ଘଟଣା ବାରମ୍ବାର ଘଟେ । କାରଣ କୁହଯାଏ ରାଜନୀତିରେ କେହି କାହାର ଶତ୍ରୁ ନୁହନ୍ତି କିମ୍ବା କେହି କାହାର ମିତ୍ର ନୁହନ୍ତି । ସମସ୍ତଙ୍କ ନଜର ଥାଏ କ୍ଷମତା ଉପରେ ଆଉ ସୁଯୋଗ ଉପରେ । ରାଜସ୍ଥାନର କାହାଣୀ ମଧ୍ୟ କିଛି ଅଲଗା ନୁହେଁ ।

ମାସକ ପୂର୍ବରୁ ରାଜସ୍ଥାନ ରାଜନୀତିରେ ଝଡ଼ ଆସିଥିଲା । ଜୋରଦାର ଚର୍ଚ୍ଚା ଚାଲିଲା ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଦଳକୁ ଭାଙ୍ଗିଦେବେ ଏବଂ ଅଧା ବିଧାୟକଙ୍କୁ ନେଇ ବିଜେପିରେ ମିଶିଯିବେ । ଏପଟେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଜୋରଦାର ବ୍ୟାଟିଂ ଆରମ୍ଭ କରିଦେଲେ ।

ନିଜ ସମର୍ଥକଙ୍କୁ ଏକଜୁଟ ରଖିଲେ ଏବଂ ସଚିନ ପାଇଲଟଙ୍କ ଉପରେ ବୟାନର ପ୍ରହାର କଲେ । ରାଜସ୍ଥାନ ରାଜନୀତି ଏତେ ସରଗରମ୍ ହୋଇଗଲା ଯେ ଦିଲ୍ଲୀ ବି ଦୋହଲି ଉଠିଲା । ସମସ୍ତେ ଭାବିଲେ କର୍ଣ୍ଣାଟକ, ମଧ୍ୟପ୍ରଦେଶ ଭଳି ଏଠାରେ ବି କଂଗ୍ରେସକୁ କ୍ଷମତାରୁ ବାହାର କରିଦେବ ବିଜେପି । କିନ୍ତୁ ଅଶୋକ ଗେହଲଟ କୌଣସି ପରିସ୍ଥିତିରେ ରାଜସ୍ଥାନ ରାଜନୀତିର ସ୍ଥିତିକୁ ନିଜ ହାତରୁ ଯିବା ପାଇଁ ଦେଲେ ନାହିଁ । ଧିରେ ଧିରେ ପରିସ୍ଥିତି ବଦଳିବାରେ ଲାଗିଲା ।

ସଚିନ ପାଇଲଟ ବିଜେପି ଯିବା ନେଇ କିମ୍ବା ନୂଆ ଦଳ ଗଠନ କରିବା ନେଇ କୌଣସି ସଂକେତ ଦେଲେ ନାହିଁ । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ତାଙ୍କୁ ଜୋରଦାର ଆକ୍ରମଣ କରୁଥିବା ବେଳେ ସେ କିନ୍ତୁ ସଂଯମତା ହରାଇଲେ ନାହିଁ । ଶେଷରେ ମାମଲା ହାଇକମାଣ୍ଡଙ୍କ ପାଖକୁ ଗଲା ।

ସଚିନ ପାଇଲଟ ରାହୁଲ ଗାନ୍ଧୀଙ୍କୁ ଭେଟିବା ପାଇଁ ସମୟ ମାଗିଲେ । ଏବଂ ଦିଲ୍ଲୀ ଯାଇ କଥା ହେଲେ । ଏହାପରେ ରାଜସ୍ଥାନ ରାଜନୀତିରେ ଉଠିଥିବା ଝଡ଼ ହଠାତ ଶାନ୍ତ ପଡ଼ିଗଲା । ସଚିନ ପାଇଲଟ କହିଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ କଥା ତାଙ୍କୁ ଖରାପ ଲାଗିଥିଲା, କିନ୍ତୁ ଦଳ ସ୍ୱାର୍ଥ ସବୁଠୁ ବଡ଼ । ଆଉ ଆଜି ରାଜସ୍ଥାନ ରାଜନୀତି ସମ୍ପୁର୍ଣ୍ଣ ନୂଆ ରୁପ ନେଇ ଯାଇଛି । ସେଥିପାଇଁ କହନ୍ତି ରାଜନୀତିରେ କେହି ସ୍ଥାୟୀ ଶତ୍ରୁ କିମ୍ବା ସ୍ଥାୟୀ ମିତ୍ର ନଥାନ୍ତି ।