ରାଜସ୍ଥାନରେ ରାଜନୈତିକ ସଂକଟ ଜାରି । ପାଇଲଟଙ୍କ ପ୍ରେସମିଟ ଟଳିଲା, ବୟାନ ବଦଳିଲା । କହିଲେ, ବିଜେପିରେ ଯୋଗ ଦେବିନି । କଂଗ୍ରେସ କହିଲା ଏବେବି ଖୋଲା ଦଳର ଦ୍ୱାର

1,207

କନକ ବ୍ୟୁରୋ: ନିଜ ବାଗୀ ସ୍ୱଭାବକୁ ନେଇ କଂଗ୍ରେସ ପାର୍ଟି ତରଫରୁ ଦଣ୍ଡ ଭୋଗିଛନ୍ତି ସଚିନ୍ ପାଇଲଟ୍ । ଆଉ ପଦରୁ ବହିଷ୍କାର ହେବା ପରେ ନିଜ ସଫେଇରେ ପାଇଲଟ୍ କହିଛନ୍ତି ଯେ, ବିଜେପିରେ ଯୋଗ ଦେବେ ନାହିଁ । ଆଉ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଉପରେ ମଧ୍ୟ ତାଙ୍କର କୌଣସି ରାଗ କି ଅଭିମାନ ନାହିଁ । ସରାକରରେ ଥିବାବେଳେ ତାଙ୍କ ସ୍ୱରକୁ ଚପାଇ ଦେବାକୁ ଚେଷ୍ଟା କରାଯାଇଥିବା କହିଛନ୍ତି ସଚିନ୍ ପାଇଲଟ୍ ।

ପଦରୁ ବହିଷ୍କାର ନେଇ ପାଇଲଟଙ୍କ ସଫେଇ । କହିଲେ ବିଜେପିରେ ଯୋଗ ଦେବେନି । ରାଜସ୍ଥାନର କଂଗ୍ରେସ ସରକାରରୁ ଉପ-ମୁଖ୍ୟମନ୍ତ୍ରୀ ଓ ପିସିସି ସଭାପତି ପଦରୁ ବହିଷ୍କାର ହେବା ପରେ ଯୁବନେତା ସଚିନ୍ ପାଇଲଟ୍ ନିଜ ସଫେଇ ଦେଇଛନ୍ତି । ପ୍ରଥମେ ସେ ସ୍ପଷ୍ଟ କରିଛନ୍ତି ଯେ, ବିଜେପିରେ ଆଦୌ ଯୋଗ ଦେବେ ନାହିଁ । ଏକ ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେକୁ ସାକ୍ଷାତକାର ଦେବାବେଳେ ରାଜସ୍ଥାନ ରାଜନୀତି କନ୍ଦଳକୁ ନେଇ ନିଜ ପକ୍ଷ ରଖିଛନ୍ତି ପାଇଲଟ୍ । ସେ କହିଛନ୍ତି –
“ଅଶୋକ ଗେହଲଟଙ୍କ ସହ କୌଣସି ବ୍ୟକ୍ତିଗତ ରାଗ ନାହିଁ । ମୁଁ କୌଣସି ବଡ ପଦ କି ଶକ୍ତି ପାଇଁ ଦାବି କରିନଥିଲି । ମୁଁ କେବଳ ଏତିକି ଚାହିଁଥିଲି, କଂଗ୍ରେସ ସରକାର ଗତ ନିର୍ବାଚନରେ ଯାହା ସବୁ ପ୍ରତିଶ୍ରୁତି ଦେଇଥିଲା ତାହାକୁ ପୂରଣ କରୁ । ମତେ କି ମୋର ସହଯୋଗୀଙ୍କୁ ନା ସମ୍ମାନ ମିଳିଲା ନା ପ୍ରଦେଶର ବିକାଶ ପାଇଁ କୌଣସି କାମ ମିଳିଲା । ସରକାରରେ ମୋର ସ୍ୱର ଦବାଇ ଦେବାକୁ ଚେଷ୍ଟା କରାଯାଇଛି ।”

କଂଗ୍ରେସରେ ପାଇଲଟଙ୍କ ବିଦ୍ରୋହ ପାଇଁ ତାଙ୍କୁ ବିଜେପି ସହ ଯୋଡାଯାଉଥିଲା । ଚର୍ଚ୍ଚା ଏପରି ବି ହେଉଥିଲା ଯେ, ବିଜେପିରେ ଉଡାଣ ଭରିବା ପାଇଁ ପାଇଲଟ୍ କଂଗ୍ରେସରେ ବିଦ୍ରୋହ କରିଛନ୍ତି । ମାତ୍ର ନିଜ ଆଡୁ ସଫେଇ ଦେଇ ପାଇଲଟ୍ କହିଛନ୍ତି ବିଜେପିର କୌଣସି ନେତାଙ୍କୁ ସେ ନିକଟ ଅତିତରେ ଭେଟି ନାହାଁନ୍ତି । ଏପରି କି ତାଙ୍କ ଘନିଷ୍ଠ ବନ୍ଧୁ ଜ୍ୟୋତିରାଦିତ୍ୟ ସିନ୍ଧିୟାଙ୍କ ୁ ମଧ୍ୟ ୬ ମାସ ହେବ ସାକ୍ଷାତ୍ କରି ନାହାଁନ୍ତି । ସେପଟେ ରାଜସ୍ଥାନରେ ରାଜନୈତିକ କନ୍ଦଳକୁ ନେଇ ବିଜେପିକୁ ଦାୟୀ କରିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ । ସେ କହିଛନ୍ତି ବିଜେପି ଘୋଡା ବେପାର କରି ରାଜସ୍ଥାନ ସରକାରକୁ ଭାଙ୍ଗିବାକୁ ଚେଷ୍ଟା କରିଛି ।

ନୋଟିସ୍ ମିଳିବା ପରେ ବି ବିଧାୟକ ଦଳ ବୈଠକରେ ଯୋଗ ନଦେବା ପାଇଲଟଙ୍କୁ ଭାରି ପଡିଛି । ଆଉ ଏଥିପାଇଁ ପଦରୁ ବହିଷ୍କାର ହେବାକୁ ପଡିଛି । ସେପଟେ୍ ସଚିନ୍ ପାଇଲଟ୍ କହିଛନ୍ତି ତାଙ୍କ ବିରୋଧରେ ରାଜସ୍ଥାନ ପୋଲିସ ରାଜଦ୍ରୋହର ନୋଟିସ୍ ଜାରି କରିଥିଲା । ଯାହା ତାଙ୍କ ଆତ୍ମ ସମ୍ନାନକୁ ଆଘାତ ଦେଇଛି । ତେବେ ରାଜନୀତିକୁ ନେଇ ଏବେ ତାଙ୍କର କୌଣସି ଆଗାମୀ ଯୋଜନା ନଥିବା ସେ ସ୍ପଷ୍ଟ କରିଛନ୍ତି । ହେଲେ ଯଦି ସେ ବିଜେପିରେ ଯୋଗ ନଦେବେ ତାହାଲେ ସଚିନ୍ ପାଇଲଟ୍ କଣ କରିବେ, ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।