କନକ ବ୍ୟୁରୋ: ଗୋଟିଏ ଛବି କହିଯାଏ ଅନେକ କଥା, ଯାହା ହୁଏତ କଥାରେ ପ୍ରକାଶ କରିବା କଷ୍ଟକର ହୋଇପଡେ । ସେଇ ଗୋଟିଏ ଛବି କୋଟି କୋଟି ମନକୁ ଛୁଇଁଯାଏ, ପ୍ରଭାବିତ କରେ ଅନେକ ସମ୍ବେଦନଶୀଳ ମନକୁ । ଯେମିତି ଆଖିଆଗରେ ଜୀବନ୍ତ କରିଦିଏ ପୁରା ଘଟଣାବଳୀକୁ । ଏପରି ଏକ ଛବି ହେଉଛି ରାଜସ୍ଥାନ ଦଙ୍ଗା ସମୟରେ ଏକ କୁନି ପିଲାକୁ ଉଦ୍ଧାର କରି ଦୌଡୁଥିବା ଜଣେ କନଷ୍ଟେବଳଙ୍କ ଫଟୋ । ଏହି ଫଟୋ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ।
ରାଜସ୍ଥାନର କାରାଉଲିଠାରେ ଶନିବାର ଘଟିଥିବା ସାମ୍ପ୍ରଦାୟିକ ହିଂସାକାଣ୍ଡରେ ସମ୍ପୃକ୍ତି ଅଭିଯୋଗକ୍ରମେ ପୋଲିସ ୪୬ ଜଣଙ୍କୁ ଗିରଫ କରିଥିବାବେଳେ ୭ଜଣଙ୍କୁ ଅଟକ ରଖିଛି । କିନ୍ତୁ ଏହି ଘଟଣାରୁ ଏକ ପ୍ରଶଂସନୀୟ ତଥା ସାହସିକ ଖବର ମିିଳିଛି । ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଊଛି ।
ହିଂସାକାଣ୍ଡ ଓ ଜଳାପୋଡା ମଧ୍ୟରେ ପୋଲିସ କନଷ୍ଟେବଳ ନେତ୍ରେଶ ଶର୍ମା ନିଜ ଜୀବନକୁ ବାଜି ଲଗାଇ ନିଆଁ ଭତରକୁ ପଶିଯାଇଥିଲେ । ପୋଡିଯାଉଥିବା ଘର ଭିତରୁ ଏକ ଶିଶୁକୁ ଉଦ୍ଧାର କରିବା ସହ ନିଶ୍ଚିତ ମୃତ୍ୟୁ ମୁଖରୁ ତା’ର ଜୀବନ ଉଦ୍ଧାର କରିଛନ୍ତି । ପୋଡିଯାଉଥିବା ଏକ ଘରୁ ମହିଳାଙ୍କ ଚିକ୍ରାର ଶୁଣିବା ପରେ ପ୍ରବଳ ଢେଲାମାଡ ଓ ଜଳାପୋଡାକୁ ଖାତିର ନକରି ୩୧ ବର୍ଷିୟ ନେତ୍ରେଶ ଶର୍ମା ସାହସର ସହିତ ଘର ଭିତରକୁ ଡେଇଁପଡିଥିଲେ । ସେତେବେଳକୁ ଘରର କବାଟ ଜଳୁଥିଲା । ହେଲେ ଘର ଭିତରୁ ସେ ଦୁଇ ମହିଳାଙ୍କୁ ଉଦ୍ଧାର କରିବା ସହ ଜଣଙ୍କ କୋଳରେ ଥିବା ଶିଶୁକୁ ଧରି ବାହାରକୁ ଦୌଡି ପଳାଇଆସିଥିଲେ । କେବଳ ଏତିକିରେ ଥକି ପଡିନଥିଲେ କନଷ୍ଟେବଳ ଶର୍ମା ।ଆହତ ଅବସ୍ଥାରେ ରାସ୍ତାକଡରେ ଗୁରୁତର ହୋଇପଡିଥିବା ୨ଜଣଙ୍କୁ ମଧ୍ୟ ତୁରନ୍ତ ଡାକ୍ତରଖାନା ପଠାଇବା ବ୍ୟବସ୍ଥା କରିଥିଲେ । ଏଭଳି ୩ ଜଣଙ୍କ ଜୀବନ ବଞ୍ଚିଯାଇଥିଲା । ଏପରି ପଦକ୍ଷେପକୁ ନିଜର କର୍ତ୍ତବ୍ୟ ବୋଲି କହିଛନ୍ତି ଶର୍ମା ।
ସୂଚନା ମୁତାବକ, ହିନ୍ଦୁ ନବବର୍ଷ ପାଇଁ ରାଜସ୍ଥାନ କାରାଉଲିଠାରେ ଆୟୋଜିତ ହୋଇଥିବା ମୋଟର ସାଇଲେ ଶୋଭାଯାତ୍ରା ବାହାରିଥିଲା । ଶୋଭାଯାତ୍ରା ସମୟରେ ଲୋକଙ୍କ ଉପରକୁ କିଛି ଦୁର୍ବୃତ୍ତ ହଠାତ୍ ଢେଲାମାଡ କରିଥିଲେ । ଏବେ ସେହି ସ୍ଥାନରେ କର୍ଫ୍ୟ ଜାରି କରାଯିବା ସହ ମୋବାଇଲ ଓ ଇଣ୍ଟରନେଟ୍ ସେବାକୁ ବନ୍ଦ ରିଦିଅଯାଇଛି । ଶୋଭାଯାତ୍ରାରେ ବାହାରିଇôବା ୨୩ଟି ମୋଟରସାଇକଲକୁ ଓ କାରକୁ ପୋଲିସ ଜବତ କରି ଘଟଣାର ତଦନ୍ତ ଚଳାଇଛି ପୋଲିସ୍ । ହେଲେ ଏହା ଭିତରେ ଦଙ୍ଗାର ବିକଳ ଚିତ୍ର ଆଉ । ଭିତରେ କନଷ୍ଟେବଳ ନେତ୍ରେଶ ଶର୍ମାଙ୍କ ଭଳି ଜଣେ ସାହସିକ ପୋଲିସ କର୍ମୀଙ୍କ ଅଦମ୍ୟ ସାହସକୁ ଦେଖି ବାହାବା କରୁଛନ୍ତି ସାରା ଦେଶବାସୀ । ଖୋଦ୍ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଆଶୋକ ଗେହଲଟ୍ ତାଙ୍କୁ ପ୍ରଶଂସାରେ ପୋତିପକାଇଛନ୍ତି । ନେତ୍ରେଶ ପାଲିଟିଯାଇଛନ୍ତି ରାଜସ୍ଥାନର ରିଅଲ ହିରୋ ।