କନକ ବ୍ୟୁରୋ: ଆମେ କହୁଛୁ ସୁଇସାଇଡ୍ ହବ୍ କୁହାଯାଉଥିବା କୋଟାରୁ ଖସିଆସିଥିବା ଜଣେ ଯୁବ ପାଇଲଟଙ୍କ କଥା । କୋଟାରେ ପିଲାଙ୍କ ରୁମରେ ଗୋଟିଏ ବେଡ୍, ଷ୍ଟଡି ଟେବୁଲ, ପଙ୍ଖାଟିଏ ବ୍ୟତୀତ ଆଉ କିଛିନଥାଏ । ଯେତେବେଳେ ସେମାନେ ଆତ୍ମହତ୍ୟା କଥା ଭାବନ୍ତି ପ୍ରଥମ ନଜର ପଙ୍ଖା ଉପରେ ହିଁ ପଡେ । ଆତ୍ମହତ୍ୟା ରୋକିବାକୁ ସ୍ପ୍ରିଙ୍ଗ ଫ୍ୟାନ ଲଗାଇଲେ  ଏ ସମସ୍ୟା ସାମାନ୍ୟ କମିଯାଇପାରେ କିନ୍ତୁ ପରିବାର, ସାଙ୍ଗ, ଓ ଶିକ୍ଷକଙ୍କ ସହଯୋଗ ନମିଳିଲେ ଏହି ସମସ୍ୟା ଶେଷ ହେବନି ବୋଲି କୁହନ୍ତି ଦୀପକ  ।

Advertisment

ନିଜର ସ୍ୱପ୍ନ ନେଇ ଯାଉଥିବା ପିଲାଙ୍କ ପାଇଁ ଆତ୍ମହତ୍ୟାର ସେଣ୍ଟର ପାଲଟିଛି  ରାଜସ୍ଥାନ କୋଟା ସହର । ସେପ୍ଟେମ୍ବର ୧୩ ତାରିଖରେ ନିଟ୍ ପାଇଁ ପ୍ରସ୍ତୁତି କରିବାକୁ କୋଟା ଯାଇଥିବା ୧୬ ବର୍ଷର ଛାତ୍ର ଆତ୍ମହତ୍ୟା କରିବା ପରେ ଚଳିତ ବର୍ଷରେ କୋଟା ଛାତ୍ର ମୃତ୍ୟୁ ସଂଖ୍ୟା ୨୫ରେ ପହଞ୍ଚିଛି । ଏହା ପୂର୍ବରୁ ମଧ୍ୟ ଅନେକ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି ।

 ପ୍ରକୃତ କାରଣ ହେଉଛି ଛାତ୍ରଛାତ୍ରୀଙ୍କର ମାନସିକ ଅବସାଦ । ଜୀବନରେ କିଛି ବନିବାକୁ କୋଟାରେ ପ୍ରସ୍ତୁତି ପାଇଁ ଯାଆନ୍ତି ଛାତ୍ରଛାତ୍ରୀ । ହେଲେ ତାଙ୍କ ଉପରେ ଗୋଟିଏ ଚାପ ନୁହେଁ ଚାରିଆଡୁ ଚାପ ପଡେ । ଯାହାକୁ ସହ୍ୟ କରିପାରନ୍ତିନି କୋମଳମତି ଛାତ୍ରଛାତ୍ରୀ ଏବଂ ଆତ୍ମହତ୍ୟା ପରି ଚରମ ବାଟକୁ ବାଛିନିଅନ୍ତି । ହେଲେ ଏପରି ସମସ୍ୟାରୁ ମୁକ୍ତି ପାଇଁ ଦୀପକ ରାଠି ଦେଖାଇଛନ୍ତି ଆଶାର ଆଲୋକ । ଯିଏ ନିଜେ ଏଭଳି ସମସ୍ୟାରୁ ନିଜକୁ ମୁକ୍ତ କରି ଆଜି ସଫଳତାକୁ ଛୁଇଁପାରିଛନ୍ତି ।

ହରିୟାଣା ରେବାଡି ଜିଲ୍ଲାର ସାୱନ ଗାଁର ଚାଷୀ ପରିବାରର ପୁଅ ଦୀପକ ରାଠି । ବାପା ଜଣେ ସାଧାରଣ ଚାଷୀ, ଯାହାଙ୍କ ବାର୍ଷିକ ଆୟ ୩ ଲକ୍ଷରୁ ବି କମ୍ । ହେଲେ ଦୀପକ ମେଟ୍ରିକ ଓ ଦ୍ୱାଦଶରେ ଭଲ ନମ୍ବର ରଖି ପାସ୍ କରିବା ପରେ ସାଙ୍ଗ ସାଥୀଙ୍କ ପ୍ରୋତ୍ସାହନରେ ଜେଇଇ ଓ ଆଇଆଇଟି ପାଇଁ ପ୍ରସ୍ତୁତ ହେବାକୁ କୋଟା ଯିବେ ବୋଲି ବାପାଙ୍କୁ କହିଥିଲେ । ପୁଅର ପଢିବା ଆଗ୍ରହକୁ ଦେଖି ବାପା ବି ଧାରଉଧାର କରି ପୁଅକୁ କୋଟା ପଠାଇଲେ ହେଲେ ସେଠିକାର ସ୍ଥିତି ଦୀପକ କଳ୍ପନା କରିଥିବା ସ୍ଥିତିଠାରୁ ପୁରାପୁରି ଅଲଗା ଥିଲା । ଖାଇବା ତ ସବୁଠୁ ଖରାପ ଥିଲା । ଆଉ ରହିବା ପାଇଁ ମିଳୁଥିବା ରୁମ ବି ଅତି ଛୋଟ ଯେଉଁଥିରେ ଅଣନିଃଶ୍ୱାସୀ ଭଳି ଅନୁଭବ କରୁଥିଲେ ଦୀପକ । ୧୦ରୁ ଅଧିକ ହଷ୍ଟେଲ ବଦଳାଇବା ପରେ ବି କିଛି ଲାଭ ହେଲାନି । ସବୁଠି ଏକା ପରିସ୍ଥିତି । ତା ସାଙ୍ଗକୁ ବଡ ସମସ୍ୟା ଥିଲା ପଢାର ଧରାବନ୍ଧା ରୁଟିନ୍ , କମ୍ପିଟିସନର ଚାପ ଓ ଉଦାସ ମାହୋଲ ।

କୋଟାରେ ଯେମିତି ତାଙ୍କ ହାତ ପାଦରେ ବେଡି ପଡିଯାଇଥିଲା । ସକାଳୁ ଉଠିବା ମାତ୍ରେ ଆଖି ଆଗରେ ଗଦା ଗଦା ବହି । କୋଟାରେ ପିଲାଙ୍କୁ କୁହାଯାଉଥିଲା, ଦିନକୁ ୧୬ରୁ ୧୮ ଘଣ୍ଟା ପରିଶ୍ରମ କଲେ ହିଁ ଆଇଆଇଟି କ୍ରାକ୍ କରିହେବ । ସେଠି ମନ ହାଲକା କରିବାକୁ ନା ବାହାରକୁ ବୁଲିବାକୁ ନା ମୁଭି ଦେଖିବାକୁ ଯାଉହେଉଥିଲା  । ଯଦି କେହି ତାଙ୍କୁ ବାହାରେ ଦେଖୁଥିଲେ ସମାଲୋଚନା କରୁଥିଲେ ।ଏକଜାମରେ ଖରାପ ପରଫରମାନ୍ସ କଲେ ବ୍ୟାକ୍ ବେଞ୍ଚରେ ବସାଇଦେଉଥିଲେ କୋଚିଙ୍ଗ୍ ସାର୍ । ଏତେ ଚାପ ଭିତରେ  ସେ ମାନସିକ ସ୍ତରରେ ଛଟପଟ ହେଉଥିଲେ । ଏପଟେ ବାପାଙ୍କ ଆର୍ଥିକ ପରିସ୍ଥିତି ତାଙ୍କ ଆଖି ଆଗରେ ନାଚିଯାଉଥିଲା । ତେଣୁ ନିଜେ କିଛି କରିପାରିବେ ବୋଲି ଆତ୍ମବିଶ୍ୱାସ ଥିଲେ ବି କୋଟାର ପରିବେଶ ତାଙ୍କୁ ଅସ୍ତବ୍ୟସ୍ତ କରିପକାଉଥିଲା । ଶେଷରେ ଯେଉଁ ଡର ଥିଲା ତାହାହିଁ ହେଲା  । ଜେଇଇ ମେନରେ ସେ ବିଫଳ ହେଲେ । କିନ୍ତୁ ଏହି ସମୟରେ ବାପା ତାଙ୍କୁ ସମ୍ମାଳିନେଇଥିଲେ ଯାହା ତାଙ୍କୁ ସାହାସ ଦେଇଥିଲା ।

 ୨୦୧୩ରେ ଘରକୁ ଫେରିଆସି ଏକ ସାଧାରଣ କଲେଜରୁ ଗ୍ରାଜୁଏସନ୍ ଶେଷ କଲେ । ବିଫଳତା ପରେ ସାଙ୍ଗ ସାଥୀ ତାଙ୍କୁ ଥଟ୍ଟା କରିଥିଲେ । ହେଲେ ଏହି ସମୟରେ ତାଙ୍କର ପିଲାବେଳର ସ୍ୱପ୍ନ କଥା ମନେପଡିଥିଲା । ବାସ୍ ପୁଅର ସେ ସ୍ୱପ୍ନ କରିବାକୁ ଚାଷୀ ବାବା  ଜିମ ବନ୍ଧା ପକାଇ ୪ ଲକ୍ଷ ଟଙ୍କା ଋଣ କରି ତାଙ୍କୁ ସାଉଥ ଆଫ୍ରିକା ପଠାଇଲେ । ସେଠାରେ ଆଫ୍ରିକା ୪୩ ଏୟା ସ୍କୁଲରେ ତାଙ୍କୁ ଆଡମିସନ୍ ମିଳିଲା । ସେବେଠୁ ଦୀପକ ଆଉ ପଛକୁ ଚାହିଁ ନାହାଁନ୍ତି ବରଂ ଆକାଶରେ ଉଡିବୁଲିଲେ ।

 କୋର୍ସ ଶେଷ ପରେ ଏକ ନାମୀ ଏୟାରଲାଇନ୍ସରେ ଏବେ ପାଇଲଟ୍ ଅଛନ୍ତି ଦୀପକ, ଯାହାଙ୍କ ବାର୍ଷିକ ଦରମା ଏବେ କୋଟିଏରୁ ଅଧିକ । ଦିନେ ବିଫଳ ହେବାରୁ ଥଟ୍ଟା କରୁଥିବା ସାଙ୍ଗସାଥୀ ଆଜି ତାଙ୍କୁ ପ୍ରଶଂସାରେ ପୋତି ପକାଉଛନ୍ତି । ତେଣୁ ଚାପର ଅଧିକ ହୋଇ ଆତ୍ମହତ୍ୟା ପରି ବାଟକୁ ବାଛିନନେଇ ବରଂ ନିଜେ ଭଲପାଉଥିବା ଏକ ବାଟ ପାଛିନେବାକୁ କହିଛନ୍ତି ଦୀପକ ରାଠି ।