ନିର୍ବାଚନରେ ବେଳେ କରିଥିଲେ ପ୍ରତିଜ୍ଞା । ଏବେ କାର୍ଯ୍ୟାଳୟ ଯିବା କଲେ ବନ୍ଦ, ସରକାରୀ ଗାଡି ବି ଛାଡିଲେ , ରାଜସ୍ଥାନ ମନ୍ତ୍ରୀଙ୍କ ଇସ୍ତଫା ନେଇ ଚର୍ଚ୍ଚା

2,336

କନକ ବ୍ୟୁରୋ : କିଛି ଦିନ ତଳେ ରାଜସ୍ଥାନର କୃଷିମନ୍ତ୍ରୀ କରୋଡିଲାଲ ମୀଣା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଥିଲେ କି, ରଘୁକୂଳ ରୀତି ସଦା ଚଲି ଆଇ, ପ୍ରାଣ ଯାଏ ପର ବଚନ ନ ଯାଇ । ଅର୍ଥାତ ଜୀବନ ଯାଉ ବରଂ ପ୍ରତିଜ୍ଞା ପାଳନ ହେଉ । ଲୋକସଭା ନିର୍ବାଚନ ପ୍ରଚାର ବେଳେ ରାଜସ୍ଥାନ କୃଷିମନ୍ତ୍ରୀ କରୋଡିଲାଲ ମୀଣା ଦାବି କରିଥିଲେ କି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୋସା ସମେତ ୭ ଟି ଲୋକସଭାର ଦାୟୀତ୍ୱ ନେଇଛନ୍ତି । ଯଦି ଏହି ୭ ଆସନ ମଧ୍ୟରୁ ଗୋଟିଏରେ ବି ବିଜେପି ପରାଜିତ ହୁଏ ତେବେ ସେ ଇସ୍ତଫା ଦେଇଦେବେ ।

ହେଲେ ନିର୍ବାଚନ ଫଳାଫଳ ଆସିବା ପରେ ସେହି ୭ ଆସନ ମଧ୍ୟରୁ ୪ଟି ବିଜେପିର ଶୋଚନୀୟ ପରାଜୟ ହୋଇଛି । ଏହି କାରଣରୁ ମନ୍ତ୍ରୀ କରୋଡିଲାଲ ମୀଣା ପ୍ରତିଜ୍ଞା ମୁତାବକ ତାଙ୍କ କାର୍ଯ୍ୟାଳୟ ଯିବା ବନ୍ଦ କରିଦେଇଛନ୍ତି । କିଛି ସୂତ୍ର ସୂଚନା ମୁତାବକ କରୋଡିଲାଲ ମୀଣା ମନ୍ତ୍ରୀପଦରୁ ଇସ୍ତଫା ଦେଇଦେଇଛନ୍ତି ।  ଏହାସହ ସେ ସରକାରୀ ଗାଡି ବ୍ୟବହାର କରିବା ମଧ୍ୟ ବନ୍ଦ କରିଦେଇଛନ୍ତି । ହେଲେ ଏନେଇ ରାଜସ୍ଥାନ ବିଜେପି ନେତୃବୃନ୍ଦ କିଛି ପ୍ରତିକ୍ରିୟା ଦେଇ ନାହାଁନ୍ତି ।

ସୂଚନା ମୁତାବକ କରୋଡିଲାଲ ମୀଣା ନିର୍ବାଚନ ଫଳାଫଳ ବାହାରିବା ଦିନ ଅର୍ଥାତ ଜୁନ ୪ ତାରିଖରେ ଇସ୍ତଫା ଦେଇଛନ୍ତି । ଏହାପରେ ସେ ନିଜ କାର୍ଯ୍ୟାଳୟ ଯିବା ବନ୍ଦ କରିଦେଇଛନ୍ତି । ଏହାସହ ନିର୍ବାଚନ ଆଚାର ସଂହିତା ଉଠିବା ପରେ ମଧ୍ୟ ସେ ସରକାରୀ ଗାଡି ବ୍ୟବହାର କରୁନାହାଁନ୍ତି । ସେପଟେ କୁହାଯାଇଛି କି ପାର୍ଟି ହାଇକମାଣ୍ଡ ମୀଣାଙ୍କ ଇସ୍ତଫା ପତ୍ର ଅସ୍ୱୀକାର କରିଛନ୍ତି ।

କହିରଖୁ କି ରାଜସ୍ଥାନର ଦୋସା କେରାଡିଲାଲ ମୀଣାଙ୍କ ଗଡ ବୋଲି କୁହାଯାଏ । ହେଲେ ଚଳିତ ନିର୍ବାଚନରେ ସେଠାରେ ବିଜେପିର ଶୋଚନୀୟ ପରାଜୟ ହୋଇଛି ।