ରାଜସ୍ଥାନରେ ସରୁନି ରାଜନୈତିକ ଡ୍ରାମା: ସ୍ୱତନ୍ତ୍ର ଅଧିବେଶନ ଡାକିବା ନେଇ ରାଜ୍ୟପାଳ-ମୁଖ୍ୟମନ୍ତ୍ରୀ ମୁହାଁମୁହିଁ; ପ୍ରତିବାଦରେ କଂଗ୍ରେସ ବିଧାୟକଙ୍କ ଧାରଣା

ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ କହିଲେ ଦରକାର ପଡିଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ଦିଆଯିବ ଧାରଣା

150

କନକ ବ୍ୟୁରୋ: ରାଜସ୍ଥାନରେ ରାଜନୈତିକ ଡ୍ରାମା ଜାରି ରହିଛି । ଏହି ଡ୍ରାମା ସୁପ୍ରିମକୋର୍ଟ, ହାଇକୋର୍ଟ ପରେ ପହଁଚିଛି ରାଜଭବନରେ । ବିଧାନସଭା ଅଧିବେଶନ ଡାକିବାକୁ ପ୍ରସ୍ତାବ ଗୃହୀତ କରାଇଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ । ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ । ସଚିନ୍ ପାଇଲଟଙ୍କ ସମର୍ଥିତ ୧୮ ବିଧାୟକଙ୍କୁ ବାଚସ୍ପତି ଅଯୋଗ୍ୟ ଘୋଷଣା କରିପାରିବେ ନାହିଁ କହିବା ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ସିଧା ପହଁଚିଥିଲେ ରାଜଭବନରେ । ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ଭେଟି ବିଧାନସଭା ଅଧିବେଶନ ଡକାଇବାକୁ କହିଥିଲେ । ଫଳରେ ସେ ନିଜର ସଂଖ୍ୟା ଗରିଷ୍ଠତା ପ୍ରମାଣ କରିପାରିବେ । ତେବେ ଏହି ପ୍ରସ୍ତାବକୁ ରାଜ୍ୟପାଳ ଗ୍ରହଣ ନକରିବା ପରେ କଂଗ୍ରେସ ଆରମ୍ଭ କରିଛି ଧାରଣା ଓ ପ୍ରତିବାଦ । ମୁଖ୍ୟମନ୍ତ୍ରୀ ଗେହଲଟ ରାଜଭବନରେ ୫ ଘଂଟା ଧରି ନିଜ ସମର୍ଥକଙ୍କ ସହିତ ଧର୍ମଘଟରେ ବସିଥିଲେ । ପରେ ରାଜ୍ୟପାଳ ବିଧିବ୍ୟବସ୍ଥା ଅନୁସାରେ ପଦ କ୍ଷେପ ନେବାକୁ ପ୍ରତିଶ୍ରୁତି ଦେବା ପରେ ହଟିଥିଲା ଧାରଣା ।

ସେପଟେ ଜୟପୁରରେ ମୁଖ୍ୟମନ୍ତ୍ରୀ ଗେହଲଟ୍ କଂଗ୍ରେସ ବିଧାୟକ ରହୁଥିବା ହୋଟେଲ ଫେୟରମେଂଟରେ କଂଗ୍ରେସ ବିଧାୟକ ଦଳ ଏବଂ କ୍ୟାବିନେଟ୍ ବୈଠକ କରିଛନ୍ତି । ବିଧାୟକଙ୍କୁ ଏକ୍ ଓ ଏକଜୁଟ୍ ରହିବାକୁ ସେ ପରାମର୍ଶ ଦେଇଥିଲେ । ଏହା ସହିତ ବିଜେପି ତାଙ୍କର ସରକାର ଭାଂଗିବାକୁ ଉଦ୍ୟମ କରୁଥିବା ସେ ଅଭିଯୋଗ ଆଣିଛନ୍ତି । ଏହା ସହିତ ଗେହଲଟ୍ ବିଧାୟକମାନଙ୍କୁ କହିଛନ୍ତି ସେମାନଙ୍କୁ ଜୟପୁରରେ ୨୧ ଦିନ ରହିବାକୁ ହେବ । ରାଜଭବନ ଆଗରେ ଧାରଣା ଦେବାକୁ ହେବ । ଆବଶ୍ୟକ ହେଲେ ରାଷ୍ଟ୍ରପତି ଭବନ ଓ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ଧାରଣା ଦିଆଯିବ । ଏହି ଅବସରରେ ଗେହଲଟ୍ ବାଚସ୍ପତି ସ୍ୱତନ୍ତ୍ର ଅଧିବେଶନ ଡକାଇବା ନେଇ ପ୍ରସ୍ତାବ ଗୃହୀତ କରାଇଛନ୍ତି । ସେପଟେ ବିଧାନସଭା ଅଧିବେଶନ ଡକାଇବାକୁ ରାଜ୍ୟପାଳଙ୍କ ଉପରେ ଚାପ ପକାଇବା ଏବଂ ରାଜ୍ୟରେ ଦେଖାଦେଇଥିବା ରାଜନୈତିକ ସଂକଟ ପାଇଁ କଂଗ୍ରେସ ବିଜେପିକୁ ଦାୟୀ କରିଛି ।