ଟଳିନି ରାଜସ୍ଥାନର ରାଜନୈତିକ ସଂକଟ: ଜଟିଳ ପରିସ୍ଥିତିରେ ଗେହଲଟଙ୍କ କ୍ୟାବିନେଟ ଓ ମନ୍ତ୍ରୀପରିଷଦ ବୈଠକ; ଏପଟେ ଦିଲ୍ଲୀରେ ଆଜି ସଚିନ ପାଇଲଟଙ୍କ ପ୍ରେସମିଟ୍

ସ୍ଥିତି ଦେଖି ବିଜେପି ଶିବିର ସକ୍ରିୟ, ଦଳୀୟ ବୈଠକରେ ସାମିଲ ହେବେ ବସୁନ୍ଧରା ରାଜେ

240

କନକ ବ୍ୟୁରୋ: ରାଜସ୍ଥାନର ରାଜନୈତିକ ଡ୍ରାମା ଜଟିଳ ହେଉଛି । କାଲି ଉପମୁଖ୍ୟମନ୍ତ୍ରୀ ଓ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦରୁ ପାଇଲଟଙ୍କୁ ବିଦା କରାଯାଇଛି । ପାଇଲଟଙ୍କ ଦୁଇ ଘନିଷ୍ଟ ମନ୍ତ୍ରୀ ବିଶ୍ୱେନ୍ଦ୍ର ସିଂ ଓ ଅଶୋକ ମୀନାଙ୍କୁ ମନ୍ତ୍ରୀପଦରୁ ହଟାଯାଇଛି । କଂଗ୍ରେର ଏହି କାର୍ଯ୍ୟାନୁଷ୍ଠାନ ପରେ ବିଦ୍ରୋହ ଆହୁରି ବିସ୍ଫୋରକ ରୁପ ନେଇପାରେ ବୋଲି ଅନୁମାନ କରାଯାଉଛି । କାଲି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଛିି ।

କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଥିବା କୁହାଯାଇଛି, ହେଲେ ଏହାକୁ ସାର୍ବଜନୀନ କରାଯାଇ ନାହିଁ । ବୈଠକ ପରେ ପୁଣି ବିଧାୟକମାନଙ୍କୁ ଫେୟରମୋଂଟ ହୋଟେଲକୁ ପଠାଇ ଦିଆଯାଇଛି । ପାଇଲଟଙ୍କୁ ପିସିସି ସଭାପତି ପଦରୁ ହଟାଇବା ପରେ ତାଙ୍କ ସ୍ଥାନରେ ଗୋବିନ୍ଦ ସିଂ ଦୋତାସରାଙ୍କ ନୂଆ ପିସିସି ସଭାପତି ଦାୟିତ୍ୱ ଦିଆଯାଇଛି । କାଲି ରାଜ୍ୟପାଳଙ୍କୁ ଭେଟି ଫେରିବା ପରେ ମୁଖ୍ୟମନ୍ତ୍ରୀ ଗେହଲଟ କହିଛନ୍ତି ସରକାରକୁ ଅସ୍ଥିରତା କରିବା ପଛରେ ବିଜେପି ଶକ୍ତି କାମ କରୁଛି । ଅନ୍ୟପଟେ ବିଜେପି କହିଛି, ସରକାର ଉପରେ ବିଧାୟକ ଓ ଜନତାଙ୍କୁ ଭରସା ତୁଟି ଯାଇଛି । ତେଣୁ ସରକାର ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବା ଆବଶ୍ୟକ ବୋଲି ବିରୋଧୀ ଦଳ ନେତା ଗୁଲାବଚନ୍ଦ କଟାରିଆ କହିଛନ୍ତି ।

ରାଜସ୍ଥାନର ଡେପୁଟୀ ସିଏମ ଓ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦରୁ ବିଦା ହୋଇଥିବା ସଚିନ ପାଇଲଟ ଆଜି ଦିଲ୍ଲୀରେ ପ୍ରେସକନଫରେନ୍ସ କରିବେ । ରାଜସ୍ଥାନର ରାଜନୈତିକ ଘଟଣାକ୍ରମ ପରେ ପ୍ରଥମ ଥର ପାଇଁ ପାଇଲଟ ମୁହଁ ଖୋଲିବେ । ଏମିତି ଦେଖିବାକୁ ଗଲେ ସଚିନ ପାଇଲଟ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ଦଳ ବିରୋଧରେ କୌଣସି ସାର୍ବଜନୀନ ବୟାନ ଦେଇ ନାହାନ୍ତି । ଅନ୍ୟପଟେ ପାଇଲଟଙ୍କ ସମର୍ଥକ କହୁଛନ୍ତି ଗେହଲଟ ଗ୍ରୁପ ତାଙ୍କୁ ଲଗାତାର ବଦନାମ କରିବା କାମରେ ଲାଗିଛନ୍ତି । ତେଣୁ ଆଜିର ପ୍ରେସମିଟର ନିଜ କଥା ସମସ୍ତଙ୍କ ସାମ୍ନାରେ ରଖିବେ ସଚିନ ପାଇଲଟ ।

ଅନ୍ୟପଟେ ଦଳର ହାଇକମାଣ୍ଡ ପାଖକୁ ନିଜ କଥା ପଠାଇବାକୁ ପାଇଲଟ ଉଦ୍ୟମ କରିବା ସହ ଦଳର କାର୍ଯ୍ୟାନୁଷ୍ଠାନକୁ ନେଇ ସମର୍ଥକ ବିଧାୟକଙ୍କ ସହ ବିଚାର ବିମର୍ଶ କରୁଥିବା ଶୁଣିବାକୁ ମିଳିଛି । ଏହାଛଡା ଦଳ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବାରୁ ଦିଲ୍ଲୀରେ ରହି କିପରି ଗେହଲଟ ସରକାରଙ୍କୁ କ୍ଷମାତଚ୍ୟୁତ କରିବେ ସେନେଇ ରଣନୀତି ମଧ୍ୟ କରୁଥିବା ଶୁଣିବାକୁ ମିଳୁଛି । କହିବାକୁ ଗଲେ ସଚିନ ପାଇଲଟ ଏଯାଏଁ ଶାନ୍ତ ରହିଛନ୍ତି । ଦଳ ତାଙ୍କୁ ପଦବୀରୁ ବିଦା କରିବା ପରେ କେବଳ ଦୁଇଟି ଟୁଇଟ କରିଛନ୍ତି । ପ୍ରଥମ ଟ୍ୱିଟରେ ଲେଖିଛନ୍ତି ସତ୍ୟକୁ ହଇରାଣ କରାଯାଇପାରେ ପରାଜିତ ନୁହେଁ । ସେହିପରି ଦ୍ୱିତୀୟ ଟ୍ୱିଟରେ ସମର୍ଥକଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ।