ରାଜସ୍ଥାନ ରାଜନୀତିରେ ନୂଆ ମୋଡ: ବିଧାନସଭା ଅଧିବେଶନ ପ୍ରସ୍ତାବରେ ରାଜି ହେଲେ ରାଜ୍ୟପାଳ; ସାମ୍ବିଧାନିକ ବ୍ୟବସ୍ଥାରେ ଅଧିବେଶନ ଡାକିବାକୁ ଦେଲେ ଅନୁମତି

ସେପଟେ ସୁପ୍ରିମକୋର୍ଟରେ ଶୁୁଣାଣି ପୂର୍ବରୁ ନିଜ ଆବେଦନ ଫେରାଇନେଲେ ବାଚସ୍ପତି

131

କନକ ବ୍ୟୁରୋ: ରାଜସ୍ଥାନ ରାଜନୈତିକ ସଂକଟ ମଧ୍ୟରେ ଗେହଲଟ ସରକାରଙ୍କୁ ମିଳିଛି ଗ୍ରୀନ୍ ସିଗନାଲ । ରାଜ୍ୟପାଳ କଲରାଜ ମିଶ୍ର ରାଜସ୍ଥାନ ସରକାରଙ୍କୁ ବିଧାନସଭା ଅଧିବେଶନ ଡା଼କିବାକୁ ଅନୁମତି ଦେଇଛନ୍ତି । ତେବେ ସମ୍ବିଧାନକି ବ୍ୟବସ୍ଥା ଅନୁସାରେ ଅଧିବେଶନ ଡାକିବାକୁ ସେ ପରାମର୍ଶ ଦେଇଛନ୍ତି । ଏଥିପାଇଁ ରାଜ୍ୟପାଳ ୩ଟି ସର୍ତ ରଖିଛନ୍ତି । ରାଜ୍ୟପାଳ କହିଛନ୍ତି ସରକାର ଅଧିବେଶନ ପାଇଁ ୨୧ ଦିନର ସମୟ ସୀମା ରଖି ନୋଟିସ କରନ୍ତୁ । ଯେପରି ସମ୍ବିଧାନର ଅନୁଚ୍ଛେଦ ୧୪ ଅନୁସାରେ ସମସ୍ତଙ୍କୁ ନିଜ ମତ ରଖିବାକୁ ସୁଯୋଗ ମିଳିବ ।

ଯଦି କୌଣସି ପରିସ୍ଥିତିରେ ସରକାର ସଂଖ୍ୟାଗରିଷ୍ଠତା ପ୍ରମାଣ ପାଇଁ ଅଧିବେଶନରେ ଉଦ୍ୟମ କରନ୍ତି ତେବେ ସମସ୍ତ ପ୍ରକ୍ରିୟା ସଂସଦୀୟ ସଚିବଙ୍କ ଉପସ୍ଥିତିରେ ହେବ ଓ ଏହାର ଭିଡିଓ ରେକର୍ଡି ମଧ୍ୟ କରାଯିବ । ଏହାଛଡା ଅଧିବେଶନ ସମୟରେ କରୋନା ସଂକ୍ରମଣ ଏଡାଇବାକୁ ସମାଜିକ ଦୂରତା ରକ୍ଷା କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟପାଳ । ରାଜଭବନ ପକ୍ଷରୁ କୁହାଯାଇଛି ରାଜ୍ୟ ସରକାର ଅଧିବେଶନ ପାଇଁ ଦେଇଥିବା ପ୍ରସ୍ତାବରେ ବିଶ୍ୱାସମତ ନେଇ କୌଣିସି ସୂଚନା ଦେଇ ନାହାନ୍ତି । ତେବେ ମିଡିଆ ରିପୋର୍ଟରୁ ଜଣା ପଡୁଛି ସରକାର ଆଗାମୀ ଅଧିବେଶନରେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିପାରନ୍ତି ।