କନକ ବ୍ୟୁରୋ : ରାଜସ୍ଥାନ ବିଧାନସଭା ନିର୍ବାଚନ ଫଳାଫଳ ଆସିବାରେ ଲାଗିଛି । ସଦ୍ୟ ସୂଚନା ମୁତାବକ ରାଜସ୍ଥାନରେ ଭୋଟିଂ ହୋଇଥିବା ୧୯୯ ଆସନ ମଧ୍ୟରୁ ବିଜେପି ୧୧୫ ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ୬୯ଟି ଆସନରେ ଆଗ୍ରୁଆ ଚାଲିଛି । ସେହିଭଳି ଅନ୍ୟାନ୍ୟ ଦଳମାନେ ୧୬ଟି ଆସନରେ ଆଗୁଆ ଚାଲିଛନ୍ତି । ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଥିବା ଅଶୋକ ଗେହଲଟଙ୍କ ନେତୃତ୍ୱରେ କଂଗ୍ରେସର ପରାଜୟ ପଛରେ ଅନେକ କାରଣ ରାଜନୈତିକ ବିଶ୍ଳେଷକମାନେ କହୁଛନ୍ତି । ତେବେ ଆସନ୍ତୁ ଜାଣିବା ରାଜସ୍ଥାନରେ କଂଗ୍ରେସ ପରାଜୟ ପଛର ମୁଖ୍ୟ ୫ କାରଣ ।

Advertisment

ପେପର ଲିକ୍ ମାମଲା : ରାଜସ୍ଥାନ ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ଯେଉଁ ପ୍ରସଙ୍ଗ ସବୁ ଉଠାଇଥିଲେ ତା ମଧ୍ୟରେ ପେପର ଲିକ୍ ମାମଲା ଅନ୍ୟତମ । ମୋଦୀ ଜନତାଙ୍କୁ ଭରସା ଦେଇଛନ୍ତି କି ରାଜସ୍ଥାନରେ ବିଜେପି ସରକାର ଆସିଲେ ଏହି ମାମଲାର ଯାଂଚ ହେବ ।

ଲାଲ୍ ଡାଏରୀ ମାମଲା : ରାଜସ୍ଥାନ ରାଜନୀତିରେ ଲାଲ୍ ଡାଏରୀ ମାମଲା ନୂଆ ନୁହେଁ । ଅନେକ ବର୍ଷ ଧରି ଏହି ଲାଲ୍ ଡାଏରୀକୁ ନେଇ ରାଜସ୍ଥାନ ରାଜନୀତି ସରଗରମ ରହିଛି । ରାଜସ୍ଥାନ ସରକାରରେ ମନ୍ତ୍ରୀ ଥିବା ରାଜେନ୍ଦ୍ର ଗୁଡାଙ୍କୁ ସରକାରରୁ ବରଖାସ୍ତ କରାଯିବା ପରେ ସେ ମଧ୍ୟ କହିଥିଲେ କି ବିଧାୟକଙ୍କୁ କିଣାଯିବା ନେଇ ସମସ୍ତ ତଥ୍ୟ ଏହି ଲାଲ ଡାଏରୀରେ ରହିଛି । ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ କି ଏହି ଲାଲ୍ ଡାଏରୀର ପ୍ରତି ପୃଷ୍ଟାରେ ଗେହଲଟଙ୍କ କଳାକାରନାମା ଲିପିବଦ୍ଧ ହୋଇ ରହିଛି ।

ଦଳୀୟ କନ୍ଦଳ : ରାଜସ୍ଥାନରେ କଂଗ୍ରେସ ଭିତରେ ଥିବା ଦଳୀୟ କନ୍ଦଳ କାହାକୁ ଅଛପା ନାହିଁ । ଏହାର ପ୍ରଭାବ ରାଜ୍ୟର ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ଉପରେ ପଡିଥିବା ଅନୁମାନ ହେଉଛି । ରାଜ୍ୟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ଯୁବନେତା ସଚ୍ଚିନ ପାଇଲଟଙ୍କ ମଧ୍ୟରେ ଦୀର୍ଘଦିନ ଧରି ଅନ୍ତଃକନ୍ଦଳ ଲାଗି ରହିଥିଲା । ମାତ୍ର ନିର୍ବାଚନର କିଛିଦିନ ଆଗରୁ ରାହୁଲ ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡଗେ ଏହାର ସମାଧାନ କରିଥିଲେ ବି ଏହାର ପ୍ରଭାବ ଭୋଟରଙ୍କ ଉପରେ ପଡିନଥିବା ଭଳି ମନେ ହେଉଛି ।

କହ୍ନେୟାଲାଲ ହତ୍ୟାକାଣ୍ଡ : ରାଜସ୍ଥାନ ନିର୍ବାଚନ ପ୍ରଚାରରେ ପ୍ରଧାନମନ୍ତ୍ରୀ ମୋଦୀ କହ୍ନେୟାଲାଲ୍ ହତ୍ୟାକାଣ୍ଡ ପ୍ରସଙ୍ଗ ଉଠାଇଥିଲେ । ସେ କହିଥିଲେ କି ରାଜ୍ୟରେ ବିଜୟୀ ହେବାକୁ ଚାହୁଁଛନ୍ତି ଯଦି ପ୍ରଥମେ ମାରୱାଡ ଆସନ ଜିତି ଦେଖାଅ (ମାରୱାଡ ବିଧାନସଭା କ୍ଷେତ୍ରରେ କହ୍ନେୟାଲାଲଙ୍କ ଘର) । କହ୍ନେୟାଲାଲ ହତ୍ୟାକାଣ୍ଡକୁ ନେଇ ବିଜେପି କଂଗ୍ରେସ ଉପରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ନେଇ ପ୍ରଶ୍ନ ଉଠାଇଥିଲା । ଏହାପରେ ଏହା ଉପରେ ପ୍ରତିକ୍ରିୟା ରଖିଥିଲେ ଅଶୋକ ଗେହଲଟ । ହେଲେ ତାହା ଫଳଫ୍ରଦ ହୋଇନାହିଁ ।

ଇଡିର ଚଢାଉ : ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ କ୍ରମରେ ଦୁଇଟି ରାଜ୍ୟରେ ଇଡି ପ୍ରବେଶ କରିଥିଲା । ରାଜସ୍ଥାନ କଂଗ୍ରେସ ଅଧ୍ୟକ୍ଷ ଗୋବିନ୍ଦ ସିଂ ଡୋଟାସାରା ଓ କଂଗ୍ରେସର ବିଧାୟକ ପ୍ରାର୍ଥୀ ଓମପ୍ରକାଶ ହୋଡଲାଙ୍କ ଘରେ ପେପର ଲିକ୍ ମାମଲାରେ ଇଡି ଚଢାଉ କରିଥିଲା । ଏହି ମାମଲାରେ ଅଶୋକ ଗେହଲଟ୍ ଏକ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ସରକାର ଓ ଇଡି ମଧ୍ୟରେ ମଧୁର ସଂପର୍କ ଥିବା ଅଭିଯୋଗ କରିଥିଲେ । ହେଲେ କଂଗ୍ରେସ ପରାଜୟ ପଛରେ ଏହା ଏକ ବଡ କାରଣ ବୋଲି କୁହାଯାଉଛି ।