ରାଜସ୍ଥାନରୁ ଆସିଲା ଆଶ୍ଚର୍ଯ୍ୟ କରିଦେବା ଭଳି ଖବର । ୧୦ ମିନିଟ ଅନ୍ତରରେ ମହିଳାଙ୍କୁ ଦିଆଗଲା କରୋନା ଟିକାର ଦ୍ୱିତୀୟ ଡୋଜ

1,076

କନକ ବ୍ୟୁରୋ : ରାଜସ୍ଥାନର ଦୋଷା ଜିଲ୍ଲାରୁ ଆସିଲା ଆଶ୍ଚର୍ଯ୍ୟ କରିଦେବା ଭଳି ଖବର । ଦେଶରେ ଏହାବୋଧେ ପ୍ରଥମ ଘଟଣା । ଯାହାକି ଜଣେ ମହିଳାଙ୍କୁ କରୋନା ଟିକାର ପ୍ରଥମ ଖୋରାକ ଦେବାର ୧୦ ମିନିଟ ପରେ ଦ୍ୱିତୀୟ ଖୋରାକ ଦିଆଯାଇଥିବା ମହିଳା ଜଣଙ୍କ ଦାବି କରିଛନ୍ତି । ଅନ୍ୟପଟେ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଏଭଳି ହୋଇଥିବା କଥାକୁ ସିଧା ସିଧା ଖଣ୍ଡନ କରିଛନ୍ତି ।

କହିରଖୁ କି ଶୁକ୍ରବାର ଦିନ ଦୋଷା ଜିଲ୍ଲାରେ କିଛି କେନ୍ଦ୍ରରେ ୧୮-୪୪ ବର୍ଷ ବୟସର ଲୋକଙ୍କୁ କୋଭିଡ-୧୯ ଟିକା ଦିଆଯାଉଥିଲା । ଏହି କ୍ରମରେ ନଙ୍ଗଲ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ବେରସୀ ଟିକାକରଣ କେନ୍ଦ୍ରରେ ଖେରବାଲ ଗାଁର ୪୩ ବର୍ଷ ବୟସ୍କ ମହିଳା କିରଣ ଶର୍ମା ତାଙ୍କ ପୁଅ ସହ ଟିକାକରଣ କେନ୍ଦ୍ରରେ ପହଂଚି ଟିକାର ପ୍ରଥମ ଖୋରାକ ନେଇଥିଲେ । ମହିଳା ଜଣଙ୍କ କହିବା ମୁତାବକ ସେ ପ୍ରଥମ ଖୋରାକ ଟିକା ନେବା ପରେ ଅନ୍ୟଜଣେ ସ୍ୱାସ୍ଥ୍ୟକର୍ମୀ ଆସି କିରଣଙ୍କ ଆଧାରକାର୍ଡ ଯାଂଚ କରିଥିଲେ । ଯାଂଚ ପରେ ସ୍ୱାସ୍ଥ୍ୟକର୍ମୀ ଜଣଙ୍କ କିରଣଙ୍କୁ ଟିକାର ଆଉଗୋଟିଏ ଖୋରାକ ଦେଇଦେଇଥିଲେ । ଦୁଇଟି ଡୋଜ ଟିକା ନେବା ପରେ ମହିଳା ଜଣଙ୍କ ଘରକୁ ଫେରିଥିଲେ । ଏନେଇ ମହିଳା ଜଣଙ୍କ କହିଛନ୍ତି କି ତାଙ୍କୁ ଜଣା ନଥିଲା କି ଟିକାର ଦୁଇଟି ଡୋଜ ଏକା ସାଙ୍ଗରେ ନିଆଯାଏ ନାହିଁ ବୋଲି , ତେଣୁ ସେ ଏନେଇ ସ୍ୱାସ୍ଥ୍ୟକର୍ମୀଙ୍କୁ କିଛି କହିନଥିଲେ ।

ଏନେଇ କିରଣ ତାଙ୍କ ସ୍ୱାମୀ ରାମଚରଣଙ୍କୁ କହିବା ପରେ ପୁରା ପରିବାର ବ୍ୟସ୍ତ ବିବ୍ରତ ହୋଇପଡିଥିଲେ । ହେଲେ ଶୁକ୍ରବାରରୁ ଶନିବାର ମଧ୍ୟାହ୍ନ ପର୍ଯ୍ୟନ୍ତ ମହିଳାଙ୍କ ଶରୀରରେ କୌଣସି ପାଶ୍ୱର୍ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ । ଏସବୁ ଜାଣିବା ପରେ ମହିଳା ଜଣଙ୍କ ଭୟ ପାଇଯାଇଛନ୍ତି । ଫଳରେ ତାଙ୍କୁ ଠିକ୍ ରେ ନିଦ ନହେବା ଓ ସାମାନ୍ୟ ଜ୍ୱର ଆସୁ୍ଥିବା କଥା ସେ କହିଛନ୍ତି ।

ଅନ୍ୟପଟେ ଏଭଳି ଘଟଣା ପ୍ରଘଟ ହେବା ପରେ ନଙ୍ଗଲ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ସଫେଇ ଦିଆଯାଇଛି । ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ କୁହାଯାଇଛି କି, କିରଣଙ୍କୁ ଦୁଇଥର ଟିକା ଦିଆଯାଇ ନାହିଁ । ନଙ୍ଗଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପ୍ରଭାରୀ ନୀଲମ ମୀଣା କହିଛନ୍ତି କି କିରଣ ଭୁଲ କଥା କହୁଛନ୍ତି । ତାଙ୍କ ଠାରେ ପ୍ରଥମ ଡୋଜ ଟିକା ଦେବା ବେଳେ ତାଙ୍କ ଶରୀରରୁ ରକ୍ତ ବାହାରିଥିଲା । ଫଳରେ ଟିକା ଦେବାରୁ ବିରତ ରହିଥିଲେ ସ୍ୱାସ୍ଥ୍ୟକର୍ମୀ । ଏହାର କିଛି ସମୟ ପରେ ଅନ୍ୟଜଣେ ସ୍ୱାସ୍ଥ୍ୟକର୍ମୀ ଆସି ତାଙ୍କ ଆଧାରକାର୍ଡ ଯାଂଚ କରି ପୁଣିଥରେ ତାଙ୍କୁ ଟିକା ଦେଇଥିଲେ ।